ଭୁବନେଶ୍ୱର : କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଚମକିଛି ଓଡିଶାର କଫି । ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି “ଟାଇଗର ବ୍ରାଇଟ୍” ବ୍ରିକ୍ସ ସମ୍ମିଳନୀରେ ଅତିଥିମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ ଜୀବିକାରେ ଅପାର ସମ୍ଭାବନାକୁ ପ୍ରଦର୍ଶିତ କରୁଛି ।
କୋରାପୁଟର ଆଦିବାସୀ ସମ୍ପ୍ରଦାୟ ପାଇଁ ‘ଟାଇଗର ବ୍ରାଇଟ୍’ର ଏହି ସଫଳତା କେବଳ ଏକ କଫି ବ୍ରାଣ୍ଡର କାହାଣୀ ନୁହେଁ ବରଂ ଏହା ସେମାନଙ୍କ ପାଇଁ ନୂତନ ସୁଯୋଗ ଆଣି ଦେଇଛି । ଆଞ୍ଚଳିକ ବ୍ରାଣ୍ଡକୁ ଅନ୍ତର୍ଜାତୀୟ ବଜାର ମିଳିଛି । ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଶହ ଶହ ଆଦିବାସୀ ଚାଷୀ ପରିବାରର ପରିଶ୍ରମକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଗ୍ରାମୀଣ ଆଦିବାସୀ ଅଞ୍ଚଳରୁ ସୃଷ୍ଟ ଉତ୍ପାଦଗୁଡ଼ିକ କିପରି ଆଧୁନିକ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବେ, ତାହା ନେଇ ପ୍ରୟାସ ଆରମ୍ଭ ହୋଇଛି ।
କୋରାପୁଟର କଫି ବିଶେଷ କରି ନନ୍ଦପୁର ଏବଂ ମାଛକୁଣ୍ଡ ଅଞ୍ଚଳରେ ଚାଷ କରାଯାଇଥାଏ । ସମୁଦ୍ର ପତ୍ତନରୁ ପ୍ରାୟ ୯୨୦ ରୁ ୯୫୦ ମିଟର ଉଚ୍ଚତାରେ ୧୦୦ ପ୍ରତିଶତ ଆରବିକା କଫି ଚାଷ କରାଯାଇଥାଏ । ଆମ୍ବ, ପଣସ ଏବଂ କମଳା ଜାତୀୟ ଗଛର ପ୍ରାକୃତିକ ଛାଇ ତଳେ କଫି ବଗିଚା ସୃଷ୍ଟି କରାଯାଏ । କଫି ଫଳଗୁଡ଼ିକ ପାଚିବା ପରେ ହାତରେ ତୋଳାଯାଇ ସାବଧାନତାର ସହ ପ୍ରକ୍ରିୟାକରଣ କରାଯାଏ, ଯାହା କୋରାପୁଟ କଫିର ସ୍ୱାଦ ଓ ଗୁଣବତ୍ତାକୁ ବଜାୟ ରଖେ । ଓଡ଼ିଶା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମର ସମ୍ପୂର୍ଣ୍ଣ ସହଯୋଗରେ କିଣିବା, ଶୁଖାଇବା, ଗ୍ରେଡିଂ, ପ୍ରକ୍ରିୟାକରଣ ଏବଂ ବିପଣନ ପ୍ରକ୍ରିୟା ଶେଷ ହେବା ପରେ ଏହା ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ ।
୧୧ ସେପ୍ଟେମ୍ବର ୨୦୧୯ ରେ “କୋରାପୁଟ କଫି” ବ୍ରାଣ୍ଡର ଶୁଭାରମ୍ଭ ହୋଇଥିଲା । ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫି ପାଇଁ ଏକ ସୁବ୍ୟବସ୍ଥିତ ବଜାର ସୃଷ୍ଟି କରିବା ଏବଂ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯାହାଦ୍ୱାରା ଆର୍ଥିକ ଲାଭର ଏକ ବଡ଼ ଅଂଶ ଚାଷୀଙ୍କ ପାଖରେ ପହଞ୍ଚିପାରିବ । ବିଗତ ବର୍ଷଗୁଡ଼ିକରେ, ଉତ୍ପାଦନ, କ୍ରୟ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ଖୁଚୁରା ବିକ୍ରିର ସମ୍ପ୍ରସାରଣ ସହିତ ଏହା ଏକ ବିଶାଳ କଫି ଇକୋସିଷ୍ଟମ୍ ରେ ପରିଣତ ହୋଇଛି ।
ଏହି ପରିବର୍ତ୍ତନର ଆକାର କ୍ରୟ ପରିମାଣରୁ ସ୍ପଷ୍ଟ ଜଣାପଡ଼େ । ୨୦୨୫–୨୬, ଟିଡିସିଓଏଲ ରେକର୍ଡ ପରିମାଣର ୧୦୨.୫୪ ମେଟ୍ରିକ ଟନ୍ କଫି ଫଳ କ୍ରୟ କରିଛି, ଯାହା ୨୦୨୨–୨୩ ର ୩୪.୬୮ ମେଟ୍ରିକ ଟନ୍ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ । ୨୦୨୪–୨୫ ରେ ଏହି କ୍ରୟ ପରିମାଣ ୩୪.୪୧ ମେଟ୍ରିକ ଟନ୍ ଥିଲା । ଏହି ଅଭିବୃଦ୍ଧି ଦ୍ୱାରା ପ୍ରାୟ ୩୬୦ ଆଦିବାସୀ ପରିବାର ଲାଭାନ୍ୱିତ ହୋଇଛନ୍ତି । ଏହାଦ୍ବାରା କୋରାପୁଟ ଅଞ୍ଚଳରେ କଫି ଚାଷ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକାର ମାଧ୍ୟମ ପାଲଟିଛି ।
କ୍ରୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ଚାଷୀ-ଅନୁକୂଳ କରିବା ପାଇଁ ପ୍ରୟାସ କରାଯାଇଛି । ନଗଦ କାରବାର ବଦଳରେ ସିଧାସଳଖ ଡିଜିଟାଲ୍ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଆଦିବାସୀ କଫି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୦୭ କୋଟି ଟଙ୍କା ଟିଡିସିଓଏଲ ଦ୍ବାରା ପ୍ରଦାନ କରାଯାଇଛି । ଏଥିରେ ୭୧ ଜଣ ଆଦିବାସୀ ମହିଳା ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ୪୫.୭ ପ୍ରତିଶତ କଫି ଚାଷୀ ସ୍ମାର୍ଟ କାର୍ଡ ଆପଣେଇଛନ୍ତି, ଯାହା ଚାଷୀଙ୍କ ପରିଚୟ ଏବଂ ଡିଜିଟାଲ୍ ଟ୍ରାକିଂକୁ ସହଜ କରିଛି ।
ଓଡ଼ିଶା ଏବଂ ଦିଲ୍ଲୀରେ ଆଠଟି କୋରାପୁଟ କଫି ବ୍ରାଣ୍ଡ୍ କାଫେ ପ୍ରତିଷ୍ଠା କରାଯାଇ ବିପଣନ ଏବଂ ଗ୍ରାହକ ସଂଯୋଗ ପାଇଁ ନୂଆ ରାସ୍ତା ଖୋଲାଯାଇଛି । ଆର୍ଥିକ ବର୍ଷ ୨୦୨୩–୨୪ ମଧ୍ୟରେ ଏହି କାଫେଗୁଡ଼ିକରୁ ୧.୬୪ କୋଟି ଟଙ୍କାର ବିକ୍ରି ହୋଇଛି । ୧୦,୬୩୪ ରୁ ଅଧିକ ‘ଟାଇଗର ବ୍ରାଇଟ୍’ ପ୍ୟାକେଟ୍ ବିକ୍ରି ହେବା ଏହା ଦର୍ଶାଉଛି ଯେ କେବଳ ଏକ କୃଷି ଉତ୍ପାଦ ନୁହେଁ, ବରଂ ଏକ ବ୍ରାଣ୍ଡ୍ ଭାବେ ଏହାର ଚାହିଦା ବୃଦ୍ଧି ପାଇଛି ।

