Home Health ବର୍ଷକୁ ବର୍ଷ ବଢୁଛନ୍ତି କର୍କଟ ରୋଗୀ

ବର୍ଷକୁ ବର୍ଷ ବଢୁଛନ୍ତି କର୍କଟ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା । ବର୍ଷକୁ ହାରାହାରି ୫୫ ହଜାରରୁ ଅଧିକ ବ୍ୟକ୍ତିଙ୍କ ଠାରେ ଏହି ମାରାତ୍ମକ ରୋଗ ଚିହ୍ନଟ ହେଉଛି । ସମଗ୍ର ଦେଶ ସହିତ ତାଳଦେଇ ରାଜ୍ୟରେ ଏହି ରୋଗ ବଢିବା ଏବେ ଚିନ୍ତାର କାରଣ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୪ ମସିହାରେ ସମଗ୍ର ଦେଶରେ ୧୫ ଲକ୍ଷ ୩୩ ହଜାରରୁ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥିବାବେଳେ ଓଡିଶାରେ ଏହି ରୋଗୀ ସଂଖ୍ୟା ୫୫ ହଜାରରୁ ଅଧିକ ରହିଥିଲା । ଏହିବର୍ଷ ଉତ୍ତରପ୍ରଦେଶରେ ସର୍ବାଧିକ ୨ଲକ୍ଷ ୨୧ହଜାର କର୍କଟ ରୋଗୀ ଚିହ୍ନଟ ହୋଇଥିବାବେଳେ ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ କରି ରହିଥିଲା । ତେବେ ସବୁଠାରୁ କମ୍‍ ଲକ୍ଷାଦ୍ୱୀପରେ ମାତ୍ର ୩୨ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ ।

୨୦୨୫ ବର୍ଷରେ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ଲକ୍ଷ ୬୯ ହଜାରକୁ ଟପିଯାଇଥିଲା । ଏହିବର୍ଷ ମଧ୍ୟ ଓଡିଶାରେ କର୍କଟରୋଗୀଙ୍କ ସଂଖ୍ୟା ୫୬ ହଜାରକୁ ଅତିକ୍ରମ କରିଥିଲା । ତେବେ ପୂର୍ବବର୍ଷ ଭଳି ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ସବୁଠାରେ ଆଗରେ ରହିବା ସହିତ ସେହି ରାଜ୍ୟରେ ୨ଲକ୍ଷ ୨୬ହଜାରରୁ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ ।

ତେବେ ଏହି ପ୍ରାଣଘାତୀ ଅଣସଂକ୍ରାମକ ରୋଗ ବୃଦ୍ଧିର କାରଣ ଅପମିଶ୍ରିତ ଖାଦ୍ୟ ଓ ତମାଖୁ ସେବନକୁ ଦାୟୀ କରାଯାଉଛି । ଆମ ରାଜ୍ୟରେ ଯେତେ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ମୁଖ ଗହ୍ୱର କର୍କଟ ଆକ୍ରାନ୍ତ । କମ୍‍ ବୟସରୁ ବ୍ୟାପକ ଗୁଟଖା, ଖଇନି ସହିତ ବିଡି, ସିଗାରେଟ ଆଦି ସେବନ ଏବଂ ମଦ୍ୟପାନ କର୍କଟରୋଗ ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

କର୍କଟ ରୋଗର ମୁକାବିଲା ପାଇଁ ସଚେତନତା ଗୋଟିଏ ବଡ ମାଧ୍ୟମ ହୋଇଥିବାବେଳେ ସରକାର ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ତମାଖୁ, ସିଗାରେଟ ଆଦି ପ୍ୟାକେଟ ଉପରେ ମୁଖଗହ୍ୱର କର୍କଟରୋଗୀଙ୍କର ଭୟଙ୍କର ଫଟୋ ଛପାଯିବା ସହିତ ସତର୍କ ସୂଚନା ରହୁଛି । ହେଲେ ଏହାକୁ ଯୁବବର୍ଗ ଅଣଦେଖା କରିବା ଫଳରେ ମୁଖ ଗହ୍ୱର କର୍କଟ ରୋଗର ଶିକାର ହେବାରେ ଲାଗିଛନ୍ତି । ଏହି ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ଆକ୍ରାନ୍ତ ରୋଗୀମାନେ ଅଧିକାଂଶ କ୍ଷେତ୍ରରେ ସର୍ବସ୍ୱାନ୍ତ ହୋଇଯାଇଥାନ୍ତି ।

ଆଇସିଏମଆର ସୂଚନା ଅନୁଯାୟୀ ୧୯୯୦ ରୁ ୨୦୨୩ ମଧ୍ୟରେ ବିଶ୍ୱରେ କର୍କଟ ରୋଗୀଙ୍କ ମୃତ୍ୟୁସଂଖ୍ୟା ୨୪ ପ୍ରତିଶତ ହ୍ରାସ ପାଇଛି । ତେବେ ଏହା କେବଳ ଉଚ୍ଚଆୟକାରୀ ଓ ଧନିକ ଦେଶଗୁଡିକରେ ଦେଖିବାକୁ ମିଳିଛି । କିନ୍ତୁଗରିବ ଦେଶଗୁଡିକରେ କର୍କଟ ଚିକିତ୍ସା ଭିତ୍ତିଭୂମିର ଅଭାବ ଯୋଗୁଁ ମୃତ୍ୟୁସଂଖ୍ୟା ଢେର ଅଧିକ ରହୁଛି । ଅନ୍ୟପକ୍ଷରେ ଭାରତରେ କର୍କଟରୋଗୀଙ୍କ ସଂଖ୍ୟା ୨୬.୪ ପ୍ରତିଶତ ହାରରେ ବୃଦ୍ଧି ପରିଲକ୍ଷିତ ହୋଇଛି । କେବଳ ୨୦୨୩ ବର୍ଷରେ କର୍କଟରୋଗୀ ତାଲିକାରେ ୧୫ଲକ୍ଷ ନୂଆ ଆକ୍ରାନ୍ତ ଯୋଡିହୋଇ ଯାଇଛନ୍ତି । (ତଥ୍ୟ)