ଭୁବନେଶ୍ୱର : ଗଞ୍ଜେଇ ଜବତରେ ଓଡିଶା ଏବେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ସାରା ଦେଶରେ ଯେତିକି ଗଞ୍ଜେଇ ଜବତ ହେଉଛି ତାହାର ପାଞ୍ଚ ଭାଗେରୁ ଭାଗେ କେବଳ ଓଡିଶାରୁ ଜବତ ହେଉଛି । ତେବେ ୨୦୨୨ ବର୍ଷରେ ଗଞ୍ଜେଇ ଜବତରେ ଉତ୍ତରପ୍ରଦେଶ ଏକ ନମ୍ବର ସ୍ଥାନରେ ଥିବାବେଳେ ୨୦୨୪ରେ କିନ୍ତୁ ଓଡିଶା ଏ କ୍ଷେତ୍ରରେ ଉତ୍ତରପ୍ରଦେଶକୁ ବହୁ ପଛରେ ପକାଇ ଦେଇଛି ।
ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ ଓଡିଶାର କୁଖ୍ୟାତି ଏବେ ସାରା ଦେଶରେ ରହିଥିବାବେଳେ ନିଶା ମୁକ୍ତ ଭାରତ ଯୋଜନାକୁ ସଫଳ କରିବାପାଇଁ ପୁଲିସ୍, ଅବକାରୀ ବିଭାଗ ଏବେ ଗଞ୍ଜେଇ ପଛରେ ପଡିଛନ୍ତି । ପ୍ରତିଦିନ ରାଜ୍ୟର କେଉଁଠୁ ନା କେଉଁଠୁ ପୁଳା ପୁଳା ଗଞ୍ଜେଇ ଜବତ ହେଉଛି । ଗଞ୍ଜେଇ ଚାଲାଣ ଉପରେ ପୁଲିସ୍ କଡାନଜର ରଖିବାପରେ ନିଶା ବେପାରୀମାନେ ଏବେ ଗଞ୍ଜେଇରୁ ତେଲ ପ୍ରସ୍ତୁତ କରି ତାହାକୁ ବଜାରକୁ ଛାଡିବାରେ ଲାଗିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ମସିହାରେ ସମଗ୍ର ଦେଶରେ ୧୭ଲକ୍ଷ ୧୬ ହଜାର କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏଥିରେ ଉତ୍ତରପ୍ରଦେଶର ଭାଗ ଥିଲା ୧୦ଲକ୍ଷ ୩୦ହଜାର କିଲୋ । ସେହିଭଳି ଓଡିଶାରୁ ସେହିବର୍ଷ ୧ଲକ୍ଷ ୪୩ହଜାର କିଲୋ ଗଞ୍ଜେଇ ଜବତ ହୋଇଥିଲା, ଯାହା ଥିଲା ଦ୍ୱିତୀୟ ସର୍ବାଧିକ ପରିମାଣ । ତେବେ ୨୦୨୩ ବର୍ଷରେ ଦେଶରେ ଗଞ୍ଜେଇ ଜବତ ପରିମାଣ ସାଢେ ୫ଲକ୍ଷ କିଲୋକୁ ହ୍ରାସ ପାଇଥିଲା । ଏହିବର୍ଷ ଉତ୍ତରପ୍ରଦେଶରେ ଜବତ ଗଞ୍ଜେଇ ପରିମାଣ ୫୦ହଜାର କିଲୋ ତଳକୁ ଖସିଥିଲା । ଓଡିଶା କିନ୍ତୁ ୧ଲକ୍ଷ ୭୧ହଜାର କିଲୋ ସହିତ ଏକ ନମ୍ବର ସ୍ଥାନ ଦଖଲ କରିଥିଲା । ୨୦୨୪ ମସିହାରେ ଉଭୟ ଓଡିଶା ଓ ଉତ୍ତରପ୍ରଦେଶରେ ଜବତ ଗଞ୍ଜେଇ ପରିମାଣ ହ୍ରାସ ପାଇଥିଲେ ମଧ୍ୟ ଓଡିଶା ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଉତ୍ତରପ୍ରଦେଶରୁ ଏହିବର୍ଷ ୬୩ହଜାର କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଓଡିଶାରୁ ଜବତ ପରିମାଣ ୧ଲକ୍ଷ ୪୦ହଜାର କିଲୋରୁ ଅଧିକ ରହିଥିଲା ।
ଓଡିଶା ଗଞ୍ଜେଇର ଚାହିଦା ମାୟାନଗରୀ ମୁମ୍ବାଇ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟରେ ଥିବାରୁ ନିଶା ବେପାରୀମାନେ ପ୍ରତିଦିନ ରାଜ୍ୟରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କର କହିବାକଥା ଯେ ପୁଲିସ୍ ଓ ଅବକାରୀ ବିଭାଗ ଯେତିକି ପରିମାଣରେ ଗଞ୍ଜେଇ ଜବତ କରୁଛନ୍ତି ତାହାଠାରୁ ଅଧିକ ପରିମାଣର ଗଞ୍ଜେଇ ନିଶାବେପାରୀମାନେ ଚାଲାଣ କରିଦେଉଛନ୍ତି ।
ପୂର୍ବରୁ ଗଞ୍ଜେଇ ଚାଷ ପାଇଁ ମାଓବାଦୀମାନଙ୍କ ମୁଣ୍ଡରେ ଦୋଷ ଲଦା ଯାଉଥିଲା । ହେଲେ କେନ୍ଦ୍ର ସରକାରଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଓଡିଶା ଜଙ୍ଗଲରୁ ମାଓବାଦୀମାନେ ଏକ ପ୍ରକାର ସଫା ହୋଇଯାଇଥିବାବେଳେ ଗଞ୍ଜେଇ ଚାଷ କିନ୍ତୁ ପୂର୍ବାପେକ୍ଷା ଅଧିକ ହେବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଧାନ ପାଇଁ ସରକାର ରଖୁଥିବା ସାର ଗଞ୍ଜେଇ ଚାଷରେ ବ୍ୟବହାର ହେଉଥିବା ଖୋଦ କୃଷି ମନ୍ତ୍ରୀ ସଭା ସମିତିରେ କହୁଛନ୍ତି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ଚାଷ ବଢି ବଢି ଚାଲିଥିବାବେଳେ ଏହାର କାରବାର ଏବେ କେବଳ ନିଶା ମୁକ୍ତି ଭାରତ ଅଭିଯାନ ରାସ୍ତାରେ କଣ୍ଟା ହୋଇନାହିଁ, ସରକାର ବି ଏଥିପାଇଁ ସାରା ଦେଶରେ ଅପବାଦ ମୁଣ୍ଡାଇବାରେ ଲାଗିଛନ୍ତି । (ତଥ୍ୟ)

