Home Judiciary କାମ କରୁନି ମାମଲା ନୀତି

କାମ କରୁନି ମାମଲା ନୀତି

ଭୁବନେଶ୍ୱର : ଓଡ଼ିଶା ସରକାର ପ୍ରଣୟନ କରିଥିବା ରାଜ୍ୟ ମାମଲା ନୀତିର ଠିକଣା ଅନୁପାଳନ ହେଉନଥିବାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ସରକାରଙ୍କ ପଦାଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବି ବଢ଼ିବଢ଼ି ଚାଲୁଛି । ଏଥିଯୋଗୁ ଆଇନ୍‍ ଅଦାଲତଗ୍‍ୁଡ଼ିକ ଉପରେ ଚାପ ବଢ଼ୁଥିବାବେଳେ ତଳୁ ଉପର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଦାଲତରେ ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନଥିବାରୁ ସମସ୍ୟା ଗମ୍ଭୀର ହେଉଛି ।

ଏବେ ଓଡ଼ିଶାର ବିଭିନ୍ନ ଅଦାଲତରେ ୨୨ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ଥିବା କୁହାଯାଉଛି । ଏଥିରୁ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୭୦ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଥିବାବେଳେ ସେଥିମଧ୍ୟରେ ପ୍ରାୟ ୧୨ ହଜାର ଅଦାଲତ ଅବମାନନା ମାମଲା ରହିଛି । କେବଳ ସେତିକି ନୁହେଁ, ଜିଲ୍ଲା ସ୍ତରୀୟ ଓ ଅଧସ୍ତନ କୋର୍ଟଗୁଡ଼ିକରେ ୨୦/୩୦ ବର୍ଷରୁ ପୁରୁଣା ଅନେକ ମାମଲା ବି ଗଡୁଛି ।

ପୁରୁଣା ମାମଲାର ସଂଖ୍ୟା ହ୍ରାସ ସହିତ ତ୍ୱରିତ ଫଇସଲାକୁ ଆଖି ଆଗରେ ରଖି ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୨୦୧୧ ମଇ ମାସରେ ଓଡ଼ିଶା ସରକାର ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ । ୫ବର୍ଷରୁ ପୁରୁଣା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଏହି ମାମଲା ନୀତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା । ମାମଲା ନୀତିର କାର୍ଯ୍ୟକାରିତା ସଂକ୍ରାନ୍ତରେ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ମଧ୍ୟ ଗଢ଼ାଯାଇଥିଲା । ଜିଲ୍ଲା ସ୍ତରରେ ବି ଅନୁରୂପ ବ୍ୟବସ୍ଥା ହୋଇଥିଲା ।

ଅଭିଯୋଗ ହେଉଛି ଯେ ୫ବର୍ଷ ଭିତରେ ମାମଲା ଫଇସଲା ତ ଦୂରର କଥା କେତେକ କ୍ଷେତ୍ରରେ ଏହା ୨୦/୩୦ବର୍ଷରୁ ଅଧିକ ସମୟ ଧରି ମଧ୍ୟ ଗଡୁଛି । ଯେଉଁସବୁ ମାମଲାରେ ନୀତିଗତ ଭାବେ ରାଜ୍ୟ ସରକାରଙ୍କ ଅଦାଲତଙ୍କ ଆଦେଶକୁ ଅନୁପାଳନ କରୁଛନ୍ତି ସେଭଳି କ୍ଷେତ୍ରରେ ମାମଲା ରୁଜୁ ହୋଇନଥିଲେ ମଧ୍ୟ ଅନ୍ୟମାନଙ୍କୁ ସମାନ ଫାଇଦା ଦେବା ପାଇଁ ଏଥିରେ ବ୍ୟବସ୍ଥା ଥିଲା । ତେବେ ଅଦାଲତରୁ ଆଦେଶ ନଆଣିଲେ ଅଭିଯୋଗ ସମାଧାନ ହୋଇପାରିବ ନାହିଁ ବୋଲି ବହୁ କ୍ଷେ୍‍ତ୍ରରେ ରୋକ୍‍ଠୋକ୍‍ ଭାବେ ଶୁଣାଇ ଦିଆଯାଉଥିବାରୁ ସମାନ ଅଭିଯୋଗ ପାଇଁ ଲୋକଙ୍କୁ ଅଦାଲତ ମୁହାଁ ହେବାକୁ ବାଧ୍ୟ କରାଯାଉଛି ।

ସରକାରୀ ମାମଲା ପରିଚାଳନାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତର ଦାଖଲ କରିବା ଏବଂ ଅଦାଲତ ଯେଉଁ ନଥିପତ୍ର ଓ ତଥ୍ୟ ଚାହୁଁଛନ୍ତି ତାହା ଯୋଗାଇ ଦେବା ପାଇଁ ମାମଲା ନୀତିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା । ଏହା ସତ୍ତ୍ୱେ ବି ଅଧିକାଂଶ ମାମଲାରେ ସରକାରଙ୍କ ପକ୍ଷରୁ ଉତ୍ତର ଓ ତଥ୍ୟ ଦାଖଲରେ ଅହେତୁକ ବିଳମ୍ବ ଘଟିଥାଏ । କେବଳ ସେତିକି ନୁହେଁ, ନିମ୍ନ ଅଦାଲତରେ ଫୌଜଦାରୀ ମାମଲାଗୁଡ଼ିକରେ ବହୁ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ସାକ୍ଷ୍ୟ ପ୍ରମାଣ ଦାଖଲରେ ଅବହେଳା ଯୋଗୁ ମାମଲା ଫଇସଲାରେ ବିଳମ୍ବ ଘଟିଥାଏ ।

ମାମଲା ନୀତି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଶୋଧିତ ମାମଲା ନୀତି ପ୍ରଣୟନ କରାଯାଇଥିଲା । ତାହା ମଧ୍ୟ ଠିକଣା ଭାବେ ଅନୁପାଳନ କରାଯାଇପାରୁ ନାହିଁ । ଅଭିଯୋଗ ହେଉଛି ଯେ ଛୋଟଛୋଟ ସମସ୍ୟା ସମାଧାନ କରିବାରେ କ୍ଷେତ୍ର ଅଧିକାରୀମାନଙ୍କ ବିଫଳତା ଯୋଗୁ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ସଂଖ୍ୟା ବଢ଼ୁଛି ଏବଂ ପରବର୍ତ୍ତୀ ସମୟରେ ଫୌଜଦାରୀ ମାମଲାରେ ଦଣ୍ଡବିଧାନ ହାର କମ୍‍ ରହୁଛି । ସରକାରୀ ମାମଲାର ଠିକଣା ପରିଚାଳନା ଘେନି ନିକଟରେ ଓଡ଼ିଶା ହାଇକୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କଳ ମାମଲା ସଂକ୍ରାନ୍ତରେ ସଚେତନ ଓ ସମ୍ବେଦନଶୀଳ ରହିଲେ ଅଦାଲତଗୁଡ଼ିକ ଉପରେ ମାମଲାର ଚାପ କମନ୍ତା ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।(ତଥ୍ୟ)