ଭୁବନେଶ୍ୱର : ବିଜେପି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଓଡିଶା ଉପେକ୍ଷିତ ହେବାରେ ଲାଗିଛି । ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ହେଉନଥିବା ବେଳେ ଋଣ ଭାର ବୃଦ୍ଧି ପାଉଛି । ଏମଏମଡିଆର ଆକ୍ଟ ବଳରେ ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସଦାସର୍ବଦା ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କରିଆସିଛି । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା ଓ ପୂର୍ବର ଦାରିଦ୍ର୍ୟତା ରାଜ୍ୟ ଓଡ଼ିଶାର ରୂପରେଖକୁ ପରିବର୍ତ୍ତନ କରିଥିଲେ । ତାଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଜରିଆରେ ଚାଷୀ କୂଳ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ମାନଙ୍କ ଉପାର୍ଜନକୁ ଦୁଇ ଗୁଣ କରିଥିଲା ।
ଅର୍ଥନୈତିକ ବିନିଯୋଗରେ ଓଡ଼ିଶା ଏକ ନମ୍ୱର ରାଜ୍ୟ ହୋଇ ନୀତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଥିଲା । ପୂର୍ବରୁ ରାଜ୍ୟର ବଜେଟ୍ ପରିମାଣ ୧୧,୦୦୦ ହଜାର କୋଟି ଟଙ୍କା ଥିବାବେଳେ ବିଜେଡି ଶାସନ ସମୟରେ ତାହା ବୃଦ୍ଧି ପାଇ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ପାଇଁ ରାଜ୍ୟର ଋଣ ଭାର କମିବା ସହ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ କମିବାରେ ଲାଗିଛି । ଓଡିଶାର ସ୍ୱାର୍ଥ କେନ୍ଦ୍ରିକ ବିଭିନ୍ନ ଯୋଜନା ଅଟକି ରହିଛି । ଯାହା ଦ୍ୱାରା ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ବାରମ୍ୱାର ଉପେକ୍ଷିତ ହେଉଛନ୍ତି ।
ସେହିଭଳି ସୁଲତା ଦେଓ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ସ୍ୱାର୍ଥ ପୂରଣ ହେଉନାହିଁ । କିଛି ଦିନ ପୂର୍ବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରୁଥିବା କହିଥିଲେ । ଏଫସିଆଇ ଚାଉଳ ଉଠାଉ ନଥିବା ବେଳେ ବାରମ୍ବାର କହିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କଥା କେନ୍ଦ୍ର ସରକାର ଶୁଣୁ ନାହାନ୍ତି ବୋଲି କହିଥିଲେ । ଉକ୍ତ ବକ୍ତବ୍ୟ ହିଁ ବିଜେପି ସରକାରରେ ରାଜ୍ୟର ସ୍ୱାର୍ଥ କିପରି ପୂରଣ ହେଉଛି ବୋଲି ସ୍ପଷ୍ଟ ହୋଇଛି ।
ରାଜ୍ୟ ଖଣିଜ ସମ୍ପଦର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏମଏମଡିଆର ଆକ୍ଟ ଜରିଆରେ ଉକ୍ତ ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । ଏ ବାବଦରେ ସଂସଦରେ ବିଜେପି ସାଂସଦମାନେ କୌଣସି ପ୍ରଶ୍ନ ନକରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।

