ଭୁବନେଶ୍ୱର : କିଛି ଦିନର ଚଢଉ ପରେ ବଜାରରେ ପୁଣିଥରେ ପୂର୍ବଭଳି ଛେନା ଓ ପନୀର ବିକ୍ରି ଆରମ୍ଭ ହୋଇଗଲାଣି । ବିକ୍ରେତାମାନେ ଏହା ସମ୍ପୂର୍ଣ୍ଣ ଶୁଦ୍ଧ ବୋଲି କହୁଥିବାବେଳେ ଏହାର ଗୁଣବତ୍ତା ନେଇ କିନ୍ତୁ ଗ୍ରାହକମାନେ ଅନ୍ଧାରରେ । ବିକ୍ରେତାଙ୍କ କଥାରେ ବିଶ୍ୱାସ କରି ସେମାନେ ବଜାରରୁ ଛେନା ଓ ପନୀର କିଣି ଖାଇବାରେ ଲାଗିଛନ୍ତି ।
ବଜାରରେ ନିମ୍ନମାନର ଓ ଅପମିଶ୍ରିତ ଛେନା ଓ ପନୀର ବିକ୍ରିର ମାଳ ମାଳ ଅଭିଯୋଗ ଆସିବା ପରେ ପ୍ରଥମେ କଟକରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଚଢଉ କରିଥିଲେ । ଚଢଉ ସମୟରେ ଦେଖାଗଲା ଯେ ବଜାରରେ ବିକ୍ରି ହେଉଥିବା ଛେନା ଓ ପନୀର ଅତ୍ୟନ୍ତ ନିମ୍ନମାନର ଅପମିଶ୍ରିତ । ସର୍ବ ସମ୍ମୁଖରେ ଏହାର ପରୀକ୍ଷା ସହିତ ପ୍ରମାଣ ମିଳିଲା ପରେ କୁଇଣ୍ଟାଲ କୁଇଣ୍ଟାଲ ଛେନା ଓ ପନୀରକୁ ନଷ୍ଟ କରିଦେଲେ । ତେବେ ଏହାର ପରୀକ୍ଷା କେବଳ ତାଲିମପ୍ରାପ୍ତ ସରକାରୀ ଅଧିକାରୀମାନେ କରିଥିଲେ ଓ ପରୀକ୍ଷାରେ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥ ସେମାନେ ହିଁ ସାଙ୍ଗରେ ଆଣିଥିଲେ ।
ତେବେ ପ୍ରଥମେ କଟକ ଓ ପରେ ପରେ ରାଜଧାନୀରେ ଚାଲିଥିବା ଚଢଉ ଏବେ ଥମି ଯାଇଛି । ଏପରିକି ଛେନା ପ୍ରସ୍ତୁତ ହେଉଥିବା ନିଆଳି, ବାଲିପାଟଣା ଆଦି ଅଞ୍ଚଳକୁ ଯାଇ ଖାଦ୍ୟ ସୁରକ୍ଷା ଟିମ୍ ଖାଲି ହାତରେ ଫେରିଛି । ଯାଞ୍ଚ ଧିମେଇ ଯିବାପରେ ଏବେ ବଜାରରେ ପୂର୍ବଭଳି ଛେନା ଓ ପନୀରର ପସରା ଖୋଲିଲାଣି । ପୂର୍ବରୁ ଯେଭଳି ଦୁଇ ଚକିଆ ଓ ଚାରିଚକିଆରେ ପୁଡା ବନ୍ଧାହୋଇ ରାଜଧାନୀକୁ ଛେନା ଓ ପନୀର ଆସୁଥିଲା ଏବେ ବି ସେମିତି ଆସୁଛି । ଖାଲି ଫରକ ଏତିକି, ପୂର୍ବରୁ ବ୍ୟବସାୟୀମାନେ କିଛି ନକହି ଏହାକୁ ବିକ୍ରି କରୁଥିବାବେଳେ ଏବେ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ବିକ୍ରି ସମୟରେ ଏହା ଶତ ପ୍ରତିଶତ ଶୁଦ୍ଧ ବୋଲି ଗ୍ରାହକଙ୍କୁ ବୁଝାଉଛନ୍ତି ।
ଅନ୍ୟ ପକ୍ଷରେ ଦୁଗ୍ଧ ଚାଷୀମାନେ ଏବେ ବି ଏତେ ପରିମାଣର ଛେନା, ପନୀର କାରବାରକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି । କିଛି ଦୁଗ୍ଧ ଚାଷୀଙ୍କ ମତରେ ଯେଉଁସବୁ ଅଞ୍ଚଳରୁ ଏହା ଭୁବନେଶ୍ୱର ଓ କଟକକୁ ଆସୁଛି ସେହି ଅଞ୍ଚଳରେ ଉତ୍ପାଦିତ ଦୁଗ୍ଧରୁ ଏତେ ପରିମାଣରେ ଛେନା ଓ ପନୀର ପ୍ରସ୍ତୁତ କରିବା ସମ୍ଭବ ନୁହେଁ । କାରଣ ଗୋଟିଏ କିଲୋ ଛେନା କିମ୍ବା ପରୀର ପାଇଁ ୫ ରୁ ୬ ଲିଟର ଖାଣ୍ଟି ଦୁଗ୍ଧ ଆବଶ୍ୟକ । ଚାଷୀମାନେ ଉତ୍ପାଦିତ କରୁଥିବା ଦୁଗ୍ଧର କିଛି ପରିମାଣ ଓମ୍ଫେଡ୍ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥାକୁ ବିକ୍ରି କରିବାପରେ ଆଉ କିଛି କ୍ଷୀରକୁ ଛେନା ଓ ପନୀର ପ୍ରସ୍ତୁତ ପାଇଁ ବ୍ୟବହାର କରିଥାନ୍ତି । କେବଳ କଟକ ଓ ଭୁବନେଶ୍ୱର ସହରରେ ଦୈନିକ ବିକ୍ରି ହେଉଥିବା ୭୦/୮୦ କୁଇଣ୍ଟାଲ ଛେନା ଓ ପନୀର ବିକ୍ରି ହେଉଛି । ତେଣୁ ଅନେକ ଚାଷୀ ଏହାର ମାନକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ।
ଅନ୍ୟ ପକ୍ଷରେ ଖାଦ୍ୟ ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଯାଉନଥିବାରୁ ସେମାନେ ଛେନା ଓ ପନୀରର ମାନ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଅନ୍ଧାରରେ ରହିବା ସହିତ ପୂର୍ବଭଳି ବଜାରକୁ କିଣି ଖାଇବାରେ ଲାଗିଛନ୍ତି । (ତଥ୍ୟ)

