ଭୁବନେଶ୍ୱର : ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟରୁ ପାଖପାଖି ୧୫ ମେଗାୱାଟ ବିଜୁଳି ଉତ୍ପାଦନ ହେବ । ଭୁଆଷୁଣି ଠାରେ ଏହି କାରଖାନା ପ୍ରତିଷ୍ଠାର ଯୋଜନା ରହିଥିବାବେଳେ ଏଠାରେ ଭୁବନେଶ୍ୱର, କଟକ, ଖୋରଧା ଓ ଜଟଣୀରୁ ବାହାରୁଥିବା ବର୍ଜ୍ୟର ବ୍ୟବହାର କରାଯିବ ।
ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏଥିରୁ ବିଜୁଳି ଶକ୍ତି ବାହାର କରିବା ସହିତ ସହଜ ପରିଚାଳନା କରାଯାଇ ପାରିବ ତାହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଡିପିଆର ପ୍ରସ୍ତୁତି ଚାଲିଥିବାବେଳେ ପ୍ରସ୍ତାବିତ କାରଖାନା ଭୁଆଷୁଣି ଠାରେ ହେବ ବୋଲି ଜଣାଯାଇଛି । ଏହାର କାର୍ଯ୍ୟକାରିତା ଓ ପରିଚାଳନା ଦାୟିତ୍ୱ ଭାରତୀୟ ତୈଳ ନିଗମ ହାତରେ ରହିବ । ଏଥିପାଇଁ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ଭାରତୀୟ ତୈଳ ନିଗମ ମଧ୍ୟରେ ଚଳିତ ମାସରେ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେବଳ ଭୁବନେଶ୍ୱର ସହରରୁ ଦୈନିକ ୮୦୦ ମେଟ୍ରିକ ଟନ୍ ବର୍ଜ୍ୟ ବାହାରୁଥିବାବେଳେ ଏହାକୁ ବିଭିନ୍ନ ଉପାୟରେ ପରିଚାଳନା କରାଯାଉଛି । ଓଦା ବର୍ଜ୍ୟରୁ ଖତ ପ୍ରସ୍ତୁତ ହେଉଥିବାବେଳେ ବର୍ଜ୍ୟରୁ ମିଳୁଥିବା ବିଭିନ୍ନ ଧାତବ ସାମଗ୍ରୀକୁ ବିକି ୪କୋଟିରୁ ଅଧିକ ଟଙ୍କା ଆୟ କରାଯାଉଛି । ସେହିଭଳି ପ୍ଲାଷ୍ଟିକ ଓ ଜରିମୁଣା ବର୍ଜ୍ୟକୁ କେତେକ ସିମେଣ୍ଟ କମ୍ପାନୀକୁ ପଠାଯାଉଛି । ଏହା ସତ୍ୱେ ବି ସମସ୍ତ ବର୍ଜ୍ୟକୁ ପରିଚାଳନା କରିବା କାଠିକରପାଠ ହେଉଛି ।
ବର୍ତ୍ତମାନ ବର୍ଜ୍ୟରୁ ସମ୍ପଦ ଯୋଜନାରେ ଶକ୍ତି ଉତ୍ପାଦନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଣ୍ଟା ଭିଡିଛି । ଭୁଆଷୁଣି ନିକଟରେ ଶକ୍ତି ଉତ୍ପାଦନ ପ୍ଲାଣ୍ଟ ବସାଇବାକୁ ସ୍ଥିର ହୋଇଛି । ଏଥିରୁ ବାହାରିବାକୁ ଥିବା ଶକ୍ତିରୁ ବ୍ୟାପକ ଆର୍ଥିକ ଲାଭ ମିଳିବା ସହିତ ବର୍ଜ୍ୟ ଚିନ୍ତାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।
କେବଳ ସେତିକି ନୁହେଁ, ସହରାଞ୍ଚଳରେ ବାହାରୁଥିବା ଆମିଷ ବର୍ଜ୍ୟ ଚିନ୍ତାରୁ ମୁକ୍ତି ପାଇଁ ମଧ୍ୟ ଭୁଆଷୁଣି ଠାରେ ଏକ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଠାରେ ଦୈନିକ ୫୦ ମେଟ୍ରିକ ଟନ୍ ଆମିଷ ବର୍ଜ୍ୟ ବିଶେଷକରି ମାଛ କାତି, କୁକୁଡା ପର ଓ ଅନ୍ୟାନ୍ୟ ବର୍ଜ୍ୟକୁ ବିଘଟନ କରାଯାଇ ପାରିବ । ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି କାରଖାନା ପାଇଁ ଟେଣ୍ଡର ପ୍ରସ୍ତୁତ ସହିତ ୟୁଜର୍ସ ଦେୟ ବିଏମସି ପ୍ରସ୍ତୁତ କରୁଛି । ଏହାର ଅନୁମୋଦନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ ।
ସହରାଞ୍ଚଳ ବର୍ଜ୍ୟ ପରିଚାଳନା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଥିବାବେଳେ ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ କିନ୍ତୁ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ୟାକେଟ, ଗୁଟ୍ଖା ଜରି, ଦୁଗ୍ଧଜାତ ସାମଗ୍ରୀ ଆସୁଥିବା ଜରି ଓ ଥଳି, ସରକାର ନିଷିଦ୍ଧ କରିଥିବା ଥର୍ମୋକୁଲ୍ ଓ ଏକକ ବ୍ୟବହାର ଯୋଗ୍ୟ ନିମ୍ନମାନର ଜରିମୁଣା ଏବେ ପୌରସଂସ୍ଥାଗୁଡିକର ଚିନ୍ତା ବଢାଇବାରେ ଲାଗିଛନ୍ତି । (ତଥ୍ୟ)

