ଭୁବନେଶ୍ୱର : ପଚାଶ ବର୍ଷ ତଳେ ଓଡିଶାର ସମୁଦ୍ର ଉପକୂଳର ଦୈର୍ଘ୍ୟ ୪୮୦ କିଲୋମିଟର ଥିବାବେଳେ ଏବେ ଏହା ୫୭୨ କିଲୋମିଟରରେ ପହଞ୍ଚିଲାଣି । ଏହି ଧାରା ଅବ୍ୟାହତ ରହିଲେ ଆଗକୁ ରାଜ୍ୟର ବ୍ୟାପକ ଅଞ୍ଚଳ ସମୁଦ୍ରରେ ଲୀନ ହୋଇପାରେ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଓଡିଶା ଉପକୂଳରେ ବ୍ୟାପକ ମୃତ୍ତିକା ଅବକ୍ଷୟ ଘଟୁଛି । ଏଥିଯୋଗୁଁ ଅନେକ ଗାଁ ମଧ୍ୟ ଉଜୁଡି ସାରିଲାଣି । ଏହାଛଡା ସମୁଦ୍ରରେ ପଡିଥିବା ନଦୀ ଓ ହ୍ରଦର ମୁହାଣ ବି ମାନବୀୟ ଅତ୍ୟାଚାର କାରଣରୁ ପୋତିହୋଇ ଚାଳିଛି ।
ଇତି ମଧ୍ୟରେ ବୈଜ୍ଞାନିକମାନେ ଯେଉଁ ସତର୍କ ସୂଚନା ଦେଉଛନ୍ତି ତାହା ଯଦି ସତ୍ୟରେ ପରିଣତ ହୁଏ ତେବେ କୋଲକତା ଓ ମୁମ୍ବାଇ ଭଳି ମହାନଗରୀଗୁଡିକର ଅନେକ ଅଞ୍ଚଳ ଜଳମଗ୍ନ ହୋଇପାରନ୍ତି । ଏ ପରିପ୍ରେକ୍ଷୀରେ ଓଡିଶାର ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପ୍ରତି ବିପଦର ଆଶଙ୍କା ରହିଛି ।
ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମଖଣ୍ଡ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ଗତ କିଛି ଦଶନ୍ଧି ଧରି ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ତାହାର ସଦ୍ୟତମ ଉଦାହରଣ ନେପାଳ ବୋଲି କୁହାଯାଉଛି । ଭାରତର ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜାମ୍ମୁକାଶ୍ମୀର ଆଦିରେ ବର୍ଷକୁ ବର୍ଷ ଭୂସ୍ଖଳନ ସହିତ ଅନ୍ୟାନ୍ୟ ବିପତ୍ତି ବଢିବାରେ ଲାଗିଛି ।
ଓଡିଶାର ବ୍ୟାପକ ଅଞ୍ଚଳ ସେସ୍ମିକ୍ ଜୋନ୍ରେ ଜୋନରେ ରହୁଥିବାରୁ ଏଠାରେ ଭୂମିକମ୍ପର ମଧ୍ୟ ସମ୍ଭାବନା ଅଧିକ ରହିଛି । ଚଳିତବର୍ଷର ବର୍ଷା ପ୍ରମାଣ କରିଦେଇଛି ଯେ ଏଲନିନୋ ପ୍ରଭାବରେ ଗୋଟିଏ ପଟେ ଗରମ, ଗୁଳୁଗୁଳି ଲାଗି ରହୁଥିବାବେଳେ ଅନ୍ୟପଟେ ରାଜ୍ୟର କିଛି ଜିଲ୍ଲାରେ ଅତ୍ୟଧିକ ବର୍ଷା ଯୋଗୁଁ ସାଂଘାତିକ ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଦକ୍ଷିଣାଞ୍ଚଳର କେତେକ ଜିଲ୍ଲାରେ ବର୍ଷାଭାବ କାରଣରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଅଗଷ୍ଟମାସରେ ଓଡିଶାରେ ଯେତେ ବର୍ଷା ହେବାକଥା ତାହାର ପାଖାପାଖି ଦେଢଗୁଣ ଅଧିକ ବର୍ଷା ହୋଇଛି । ମୟୁଭରଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷରେ ଯେତିକି ବର୍ଷା ହେବାକଥା ମାସକ ଭିତରେ ତାହାଠାରୁ ଅଧିକ ବର୍ଷା ହୋଇଛି ।
ଗୋଟିଏ ପଟେ ବୃଷ୍ଟିପାତର ଅନିୟମିତତା ବଢି ବଢି ଚାଲିଥିବାବେଳେ ଅନ୍ୟପଟେ ବର୍ଷରେ ଯେତିକି ଦିନ ଯେଉଁ ସମୟରେ ବର୍ଷା ହେବାକଥା ତାହା ବି କମିଯାଉଛି । ଏଥିଯୋଗୁଁ ଆଗାମୀ ଦିନରେ କୃଷି ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ସୃଷ୍ଟି ହେବାର ଢେର ଆଶଙ୍କା ରହିଛି ।
ତିରିଶ ବର୍ଷ ତଳେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ମାନ(ଏକ୍ୟୁଆଇ) ବେଶ୍ ଭଲ ରହୁଥିବାବେଳେ ଏବେ ଅଧିକାଂଶ ସମୟରେ ତାହା ବିପଦଜନକ ସ୍ତରରେ ରହୁଛି । ବିଶେଷକରି ଗୋଟିଏ ପଟେ ବିକାଶ ଓ ଖଣି ଖନନ ପାଇଁ ବ୍ୟାପକ ଗଛ କଟାଯାଉଥିବାବେଳେ ଅନ୍ୟପଟେ ଖଣି କାରବାର ବୃଦ୍ଧି ଓ ଶିଳ୍ପାୟନ ଯୋଗୁଁ ଉଭୟ ଜଳ ଓ ବାୟୁ ପ୍ରଦୂଷଣ ବଢୁଛି । ଏହା ବି ତାପମାନ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ରାଜ୍ୟର ଗୋଟିଏ ହେଲେ ନଦୀର ଜଳ ଏବେ ପାନୀୟ ଉପଯୋଗୀ ହୋଇ ନାହିଁ । ବିଶେଷକରି କଳ କାରଖାନା ଓ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ପାଇଖାନା ପାଣିର କୁପ୍ରଭାବରେ ଅନେକ ନଦୀରୁ ମାଛବଂଶ ଲୋପ ପାଇଯାଉଥିବାବେଳେ ଏହା ମଣିଷ ପାଇଁ ବ୍ୟବହାର ଯୋଗ୍ୟ ହେବ କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସ୍ଥିତିରେ କୃଷି କ୍ଷେତରେ ବ୍ୟବହାର କରାଯାଉଥିବା ଅତ୍ୟଧିକ କୀଟନାଶକ ଓ ରସାୟନିକ ସାରର କୁପ୍ରଭାବ ମଧ୍ୟ ପଡୁଛି । ପଲିଥିନ୍ ନିଷିଦ୍ଧ ହୋଇଥିବାବେଳେ ନଦୀ, ହ୍ରଦ ଓ ସମୁଦ୍ରରେ ବ୍ୟାପକ ପରିମାଣର ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀ ଜମାହୋଇ ରହିବା ଯୋଗୁଁ ସମୁଦ୍ର ଜଳର ତାପମାତ୍ରାରେ ମଧ୍ୟ ଗୁରୁତର ପରିବର୍ତ୍ତନ ଘଟୁଥିବା କୁହାଯାଉଛି । (ତଥ୍ୟ)

