ଭୁବନେଶ୍ୱର : ରାଜ୍ୟରେ ଶିଶୁଙ୍କ ନିଖୋଜ ହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯେଉଁ ପରିମାଣରେ ଶିଶୁମାନେ ନିଖୋଜ ହେଉଛନ୍ତି ସେହି ପରିମାଣରେ ସେମାନଙ୍କ ସନ୍ଧାନ ପାଇବା ସମ୍ଭବପର ହେଉନାହିଁ । ୨୦୨୦ ରୁ ପାଞ୍ଚ ବର୍ଷର ନିଖୋଜ ତଥ୍ୟରୁ ଏହା ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି ।
ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଯେଉଁ ତଥ୍ୟ ପ୍ରକାଶ କରିଛି ସେଥିରେ ଦର୍ଶାଯାଇଛି ଯେ ୨୦୨୦ ମସିହାରେ ରାଜ୍ୟରେ ୬୯୧୨ ଜଣ ଶିଶୁ ନିଖୋଜ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩୬୪୧ ଜଣଙ୍କର ସନ୍ଧାନ ମିଳି ପାରିଥିଲା । ୨୦୨୧ ମସିହାରେ ଶିଶୁଙ୍କ ନିଖୋଜ ସଂଖ୍ୟା ୭୪୦୪ ରେ ପହଞ୍ଚିଥିଲା । ଏହିବର୍ଷ କିନ୍ତୁ ସାଢେ ଚାରି ହଜାରରୁ ଅଧିକ ଶିଶୁଙ୍କୁ ଖୋଜି ଅଣାଯାଇ ପାରିଥିଲା ।
୨୦୨୨ ବର୍ଷରେ ରାଜ୍ୟରୁ ନିଖୋଜ ହୋଇଯାଇଥିବା ଶିଶୁଙ୍କ ସଂଖ୍ୟା ୭୫୬୫ରେ ପହଞ୍ଚିଥିଲା । ଏବର୍ଷ କିନ୍ତୁ ନିଖୋଜ ଶିଶୁଙ୍କ ମଧ୍ୟରୁ ମାତ୍ର ୨୭୨୮ ଜଣଙ୍କର ସନ୍ଧାନ ମିଳିପାରିଥିଲା । ୨୦୨୩ ବର୍ଷରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରି ୧୦,୭୭୫ରେ ପହଞ୍ଚିଥିଲା । ଏବର୍ଷ ନିଖୋଜ ଶିଶୁଙ୍କ ମଧ୍ୟରୁ ଅଧା ପିଲାଙ୍କୁ ବି ଠାବ କରାଯାଇନଥିଲା ।ଏହିବର୍ଷ ୩୫୦୫ ଜଣ ଶିଶୁ ମିଳିଥିଲେ । ୨୦୨୪ରେ ରାଜ୍ୟରୁ ନିଖୋଜ ଶିଶୁଙ୍କ ସଂଖ୍ୟା ୧୩ହଜାରକୁ ଅତିକ୍ରମ କରିଥିଲା । ହେଲେ ଏହିବର୍ଷ ୪ହଜାରରୁ କମ୍ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଥିଲା ।
ରାଜ୍ୟରୁ ନିଖୋଜ ହେଉଥିବା ଶିଶୁ, ମହିଳା ଓ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ୩୬ଟି ୟୁନିଟ୍ କାର୍ଯ୍ୟ କରୁଛି । ପୁଲିସ୍ମାନଙ୍କର ଏ କ୍ଷେତ୍ରରେ ବଡ ଭୂମିକା ରହୁଥିବାବେଳେ ଅପରେସନ ମୁସ୍କାନ ଭଳି ମିଶନ ଜରିଆରେ ଶିଶୁମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ରାଜ୍ୟରେ ଯେତେ ଶିଶୁ ନିଖୋଜ ହେଉଛନ୍ତି ସେମାନଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ରହୁଥିବା ଜଣାଯାଇଛି ।
ମାନବ ଚାଲାଣ ର୍ୟାକେଟ ଦ୍ୱାରା ଶିଶୁମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସେତେଟା ସହଜ ହେଉନାହିଁ । ନିଖୋଜ ହେଉଥିବା ପିଲାଙ୍କ ମଧ୍ୟରୁ କେତେକଙ୍କୁ ଘରୋଇ କାମରେ ନିୟୋଜିତ କରାଯାଉଥିବାବେଳେ ଆଉ କେତେକଙ୍କୁ ବ୍ୟବସାୟିକ କେନ୍ଦ୍ରରେ କାମରେ ଲଗାଯାଉଛି । ଛୋଟ ଛୋଟ ପିଲାଙ୍କୁ ବି ଅନ୍ୟ ରାଜ୍ୟରେ ନେଇ ଭିକ୍ଷାବୃତ୍ତି ଭଳି ଧନ୍ଦାରେ ଲଗାଯାଉଥିବାର ନଜିର ରହିଛି ।
କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ବି ଛୋଟ ଛୋଟ ପିଲାଙ୍କ ନିଖୋଜ ଘଟଣା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୨୦ ମସିହାରେ ଦେଶରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୮ହଜାର ଥିବାବେଳେ ୨୦୨୧ ରେ ଏହା ୧ଲକ୍ଷ ୨୧ହଜାରକୁ ଟପିଯାଇଥିଲା । ୨୦୨୨ ରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୨୭ହଜାରକୁ ଟପିଥିବାବେଳେ ୨୦୨୩ରେ ୧ଲକ୍ଷ ୩୮ହଜାର ଓ ୨୦୨୪ରେ ଏହା ୧ଲକ୍ଷ ୪୭ହଜାରକୁ ଅତିକ୍ରମ କରିଯାଇଛି । ଦେଶରେ ବୃଦ୍ଧି ପାଉଥିବା ଶିଶୁଙ୍କ ନିଖୋଜ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । (ତଥ୍ୟ)

