Home News in Odia ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା କେବେ?

ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା କେବେ?

ଭୁବନେଶ୍ୱର : ସର୍ବଭାରତୀୟ ନିଟ୍‍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ୟାନ୍ୟ କେଳେଙ୍କାରୀ ପଦାରେ ପଡ଼ିବା ପରେ ଉକ୍ତ ପରୀକ୍ଷାକୁ ବାତିଲ କରାଯିବାର ଦୁଇମାସ ଭିତରେ ସାନି ପରୀକ୍ଷା କରାଯାଇ ଫଳାଫଳ ପ୍ରକାଶ ପରେ କୃତି ଛାତ୍ରଛାତ୍ରୀମାନେ ମେଡିକାଲ୍‍ କଲେଜ୍‍ମାନଙ୍କରେ ନାମ ଲେଖାଇଲେଣି । ଅଥଚ ପ୍ରାୟ ଦୁଇବର୍ଷ ତଳେ ଓଡ଼ିଶା ପୁଲିସ ରିକୃଟ୍‍ମେଣ୍ଟ ବୋର୍ଡ ଦ୍ୱାରା ହେବାକୁ ଥିବା ସବ୍‍ଇନ୍ସପେକ୍ଟର ପଦବୀ ଲାଗି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କେଳେଙ୍କାରୀ ଧରାପଡିବା ପରେ ଏଯାବତ୍‍ କିନ୍ତୁ ସାନି ପରୀକ୍ଷା ହୋଇପାରୁ ନାହିଁ । ଏଥିଘେନି ଆଶାୟୀ ପ୍ରାର୍ଥୀମାନେ ବାରମ୍ବାର ଆନ୍ଦୋଳନ କରୁଥିବାବେଳେ ଅନ୍ୟପଟେ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ ନଥିବାରୁ ଆଇନ୍‍ ଶୃଙ୍ଖଳା ରକ୍ଷା ଏବେ ବଡ଼ ଆହ୍ୱାନରେ ପରିଣତ ହୋଇଛି ।

ଏଠାରେ ଉଲ୍ଳେଖନୀୟ ଯେ ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସ (ଏନ୍‍ଟିଏ) ଦ୍ୱାରା ହେଉଥିବା ନିଟ୍‍ ପରୀକ୍ଷାର ଫଳାଫଳ ଉପରେ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ନିର୍ଭର କରିଥାଏ । ବେସରକାରୀ ସଂସ୍ଥାଙ୍କ ମାଧ୍ୟମରେ ଏହି ପରୀକ୍ଷା ପରିଚାଳନାର ପ୍ରମୁଖ ଦାୟିତ୍ୱ ଦିଆଯାଇଥିôବାବେଳେ କେତେକ ସ୍ଥାନରେ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ପ୍ରଘଟ ହୋଇଥିଲା । ତେଣୁ ପରୀକ୍ଷା ସରିଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ବାତିଲ କରି ପୁଣି ଦୁଇମାସ ଭିତରେ ସାନି ପରୀକ୍ଷ କରିପାରିଲେ । ଏଥିସହିତ ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ବ୍ୟାପାରର ତଦନ୍ତ ସିବିଆଇ ମାଧ୍ୟମରେ କରାଯିବା ସହିତ ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କୁ ଗିରଫ ସହିତ ଜେଲ୍‍ ପଠାଯାଇଛି । ଦ୍ୱିତୀୟବାର ହୋଇଥିବା ନିଟ୍‍ ପରୀକ୍ଷା କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବା ପରେ ତୁରନ୍ତ ଏହାର ଫଳାଫଳ ପ୍ରକାଶ କରି ପ୍ରାର୍ଥୀମାନଙ୍କ ର‌୍ୟାକିଙ୍ଗ ଯୋଗ୍ୟତା ଅନୁଯାୟୀ କରାଯାଇ ସେମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ନାମାଙ୍କନ ପାଇଁ ସୁଯୋଗ ଦିଆଯାଇଛି ।

ଅନ୍ୟପକ୍ଷରେ ସରକାରୀ ସଂସ୍ଥା ଓପିଆରବି ମାଧ୍ୟମରେ ସବ୍‍ଇନ୍ସପେକ୍ଟର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଚୟନ ପ୍ରକ୍ରିୟାରେ କେତେକ ବେସରକାରୀ ସଂସ୍ଥାଙ୍କୁ ଅନୁରୂପ ଭାବେ ସାମିଲ କରାଯାଇଥିଲା । ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତୀୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାର ଏହି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିବା ସହିତ ସିବିଆଇ ମାଧ୍ୟମରେ ହେରଫେର୍‍ର ତଦନ୍ତ କରାଉଛନ୍ତି । ଏହି ପ୍ରକ୍ରିୟାରେ କେତେକ ସନ୍ଦିଗ୍ଧ ଅଭିଯୁକ୍ତ ମଧ୍ୟ ଗିରଫ ଜେଲ୍‍ରେ ଅଛନ୍ତି । ପାଖାପାଖି ଦୁଇବର୍ଷ ବିତିଯାଇଥିଲେ ବି ଆଉ ଏସ୍‍ଆଇ ନିଯୁକ୍ତି ପରୀକ୍ଷା ହୋଇପାରୁ ନାହିଁ ।

ଦୀର୍ଘବର୍ଷ ଧରି ଓଡ଼ିଶା ପୁଲିସର ବିଭିନ୍ନ ପଦପଦବୀରେ ହଜାର ହଜାର ଚାକିରି ଖାଲି ପଡିଛି । ଏଥିଯୋଗୁ ଆଇନ୍‍ଶୃଙ୍ଖଳା ରକ୍ଷା, ଅପରାଧିକ ମାମଲାର ତଦନ୍ତ କ୍ଷେତ୍ରରେ ଗୁରୁତର ବ୍ୟାଘାତ ଉପୁଜୁଛି । ଅଳ୍ପ ସଂଖ୍ୟକ ପୁଲିସଙ୍କ ଉପରେ କାମର ଚାପା ବଢ଼ିବଢ଼ି ଚାଲୁଛି । ତେଣେ ଏସ୍‍ଆଇ ଚାକିରି ଲାଗି ଯେଉଁମାନେ ବର୍ଷବର୍ଷ ଧରି ପ୍ରସ୍ତୁତ ହେଉଥିଲେ ସେମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଛି । ଏମିତିକି ଏସ୍‍ଆଇ ପବଦୀ ଆଶାୟୀ ପ୍ରାର୍ଥୀମାନେ ରାଜରାସ୍ତାକୁ ଆସି ସାନି ପରୀକ୍ଷା କରାଇବା ଦାବିରେ ଆନ୍ଦୋଳନ ବି କରୁଛନ୍ତି ।

ପ୍ରଶ୍ନପତ୍ର ପ୍ରଘଟ ହେବା କିଛି ନୂଆ କଥା ନୁହେଁ । ଅତୀତରେ ମାଟ୍ରିକ୍‍ରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ସେହିଭଳି ଚାକିରି କ୍ଷେତ୍ରରେ ବି ବେଳେବେଳେ ଏହି ଦୁର୍ଘଟଣା ଘଟୁଛି । ଏସବୁ ସତ୍ତ୍ୱେ ପୁନର୍ବାର ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶାରେ ଏସ୍‍ଆଇ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର କେଳେଙ୍କାରୀ ଧରାପଡିବା ପରେ ଏଯାବତ୍‍ କିନ୍ତୁ ପରୀକ୍ଷା ହୋଇପାରି ନାହିଁ । ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବାକୁ ବହୁ ଆଶାୟୀ ନିବେଦନ କରିଛନ୍ତି ।(ତଥ୍ୟ)