ଭୁବନେଶ୍ୱର : ନକଲି ଓ ଅପମିଶ୍ରିତ ପନିର ଓ ଛେନାକୁ ନେଇ ସାରା ରାଜ୍ୟରେ ଜାରି ରହିଛି ଧରପଗଡ଼। ଆଜି ପାହାଳ ମିଠା ମାର୍କେଟ୍ ରେ ଅଚାନକ ରେଡ୍ କରିଥିଲା ବିଏମସି ଖାଦ୍ୟ ସୁରକ୍ଷା ଟିମ୍। ସାଥିରେ ଥିଲେ ଫୁଡ୍ ସେଫଟି ମୋବାଇଲ୍ ୟୁନିଟ୍। ଘଟଣାସ୍ଥଳରେ ହିଁ ଅସଲି-ନକଲିର ପରୀକ୍ଷା କରାଯାଇଥିଲା। ସମସ୍ତ ମିଠା ଦୋକାନରୁ ସାଂପୁଲ୍ ସଂଗ୍ରହ କରି ଲାବ୍ କୁ ପଠାଯାଇଛି।
ତେବେ ଗୋଟିଏ ପଟେ ଯାଞ୍ଚ ଚାଲିଥିବା ବେଳେ ଅନ୍ୟପଟେ ଏକାଧିକ ମିଠା ଦୋକାନୀ ସଟର୍ ପକାଇ ଦୋକାନ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଅନେକ ଦୋକାନ ବନ୍ଦ ଥିବା ଦେଖି ସନ୍ଦେହ ପ୍ରକଟ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଆଗକୁ ସରପ୍ରାଇଜ୍ ରେଡ୍ କରାଯିବ ବୋଲି କହିଛନ୍ତି ଫୁଡ୍ ସେଫ୍ଟି ଅଫିସର୍। କେବଳ ପାହାଳ ନୁହେଁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମାର୍କେଟରେ ଥିବା ମିଠା ଦୋକାନଗୁଡିକରେ ମଧ୍ୟ ଯାଞ୍ଚ କରାଯାଇଛି।
ଗୋଟିଏ ପଟେ ମିଠା ମାର୍କେଟରେ ଚଢାଉ, ଅନ୍ୟପଟେ ନକଲି ଛେନାକୁ ନେଇ ଜୋରଦାର ଧରପଗଡ଼, ଏସବୁ ଭିତରେ କିନ୍ତୁ ହନ୍ତସନ୍ତ ହେଉଥିବା କହିଛନ୍ତି ପ୍ରକୃତ ଦୁଗ୍ଧ ଚଷୀ। ବଜାରରୁ ଏବେ ଛେନା ପନିର କିଣିବା ପାଇଁ କେହି ରାଜି ହେଉ ନଥିବାରୁ, ଚାଷୀ ଦୁଗ୍ଧ ବିକ୍ରି କରିପାରୁନଥିବା ଅଭିଯୋଗ ହୋଇଛି। ଟଙ୍କା ଅଭାବରୁ ଗୋଖାଦ୍ୟ କିଣିବା ଏବେ କଷ୍ଟକର ବୋଲି କହିଛନ୍ତି ଚାଷୀ।
ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଯେତେ ଦୁଗ୍ଧ ଚାଷୀ ଓମ୍ଫେଡ ସହ ଅନୁବନ୍ଧିତ ହୋଇଛନ୍ତି ସେମାନଙ୍କଠାରୁ ସରକାର ପୂର୍ବଭଳି କ୍ଷୀର କିଣୁଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ତାର ବାସ୍ତବତା ନାହିଁ। ଯେଉଁମାନେ କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବାହାରେ ବିକ୍ରି କରୁଥିଲେ ସେମାନଙ୍କ ଉପରେ ଧରପଗଡ଼ ହେଉଥିବ। ଚାଷୀଙ୍କ ଠାରୁ ଯେତେ କ୍ଷୀର ଆସିବ ତାକୁ କିଣିବାକୁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଅପମିଶ୍ରିତ ଛେନାକୁ ନେଇ ରେଡ୍ ଚାଲିଥିବା ବେଳେ ବାଲେଶ୍ବରରୁ ଆସିଛି ସାଂଘାତିକ ଚିତ୍ର। ଖାଣ୍ଟି କ୍ଷୀର ନୁହେଁ, ପାଉଡରରୁ ପ୍ରସ୍ତୁତ ହେଉଛି ଛେନା । ତାହା ପୁଣି ଅସ୍ୱାସ୍ଥ୍ୟକର ପରିବେଶରେ। ଅଧିକ ଲାଭ ପାଇଁ କିଛି ବ୍ୟବସାୟୀ ଏଭଳି କରୁଥିବା କୁହାଯାଉଛି।

