ଭୁବନେଶ୍ୱର : ନିର୍ଭୟା ପାଣ୍ଠିରୁ ବର୍ତ୍ତମାନ ସୁଦ୍ଧା ଓଡିଶା ସରକାର କେନ୍ଦ୍ରରୁ ପ୍ରାୟ ୨୦୦ କୋଟି ଟଙ୍କା ପାଇଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏହି ଯୋଜନାରେ ସମଗ୍ର ଦେଶରେ ୬୭୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି ।
ମହିଳା ଓ ବାଳିକାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ୨୦୧୫ରୁ ନିର୍ଭୟା ପାଣ୍ଠି ପ୍ରଚଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଏକାଧିକ ମନ୍ତ୍ରଣାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେଉଛି । ତେବେ ପ୍ରତିରକ୍ଷା, ରେଳବାଇ, ସୂଚନା ପ୍ରଯୁକ୍ତି, ବୈଦେଶିକ ବ୍ୟାପାର ଭଳି ମନ୍ତ୍ରଣାଳୟରେ ରାଜ୍ୟ ସରକାରଙ୍କର କୌଣସି ସମ୍ପୃକ୍ତି ନଥିବାଯୋଗୁଁ କେନ୍ଦ୍ର ସରକାର ରାଜ୍ୟର ପ୍ରକଳ୍ପ ପ୍ରସ୍ତାବ ଅନୁଯାୟୀ ସିଧାସଳଖ ଅର୍ଥ ପ୍ରଦାନ କରୁଛନ୍ତି ।
ଏହି ହିସାବରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ନିର୍ଭୟା ପାଣ୍ଠିରୁ ଉତ୍ତରପ୍ରଦେଶ ସର୍ବାଧିକ ୭୪୬ କୋଟି ଟଙ୍କା ପାଇଥିବାବେଳେ ଏହା ପଛକୁ କର୍ଣ୍ଣାଟକ ଦ୍ୱିତୀୟ ସର୍ବାଧିକ ୬୦୨ କୋଟି ଟଙ୍କା ପାଇଛି । ତାମିଲନାଡୁ ୪୪୮ କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଇଥିବାବେଳେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇଛନ୍ତି ।
ନିର୍ଭୟା ପାଣ୍ଠିରୁ ଅର୍ଥ ପାଇବାପାଇଁ ରାଜ୍ୟ ସରକାରମାନେ ବିଭିନ୍ନ ପ୍ରସ୍ତାବ ଦେଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥାନ୍ତି । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍ପଲାଇନ୍ କାର୍ଯ୍ୟକାରୀ କରାଯାଉଛି । ୱାନ ଷ୍ଟପ ସେଣ୍ଟର ଯେକୌଣସି ଜରୁରୀ ସେବା ଯଥା ପୁଲିସ୍, ଡାକ୍ତରଖାନା, ଆଇନ୍ଗତ ସହାୟତା ଏବଂ ବିଭିନ୍ନ ପରାମର୍ଶ ପ୍ରଦାନ ପାଇଁ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ହଜାରେ ୱାନ ଷ୍ଟପ୍ ସେଣ୍ଟର କାର୍ଯ୍ୟ କରୁଥିବା ଜଣାଯାଇଛି । ଏହି କେନ୍ଦ୍ର ଜରିଆରେ ୧୫ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇପାରିଛି ।
ମହିଳା ହେଲ୍ପଲାଇନ୍ ପାଇଁ ଟେଲିକମ୍ କମ୍ପାନୀ ଜରିଆରେ ୨୪ଘଣ୍ଟିଆ ସେବା ପ୍ରଦାନ କରାଯାଉଛି । ଏହି ଟେଲିଫୋନ୍ ସେବା ଜରିଆରେ ଉଭୟ ଜରୁରୀ ଓ ଅଣଜରୁରୀ ସେବା ଲପଲବ୍ଧ । ବିଶେଷକରି ଯେଉଁ ମହିଳାମାନେ ହିଂସାର ଶିକାର ହେଉଛନ୍ତି ସେମାନେ ଏହି ବ୍ୟବସ୍ଥା ଜରିଆରେ ତତ୍କାଳ ସହାୟତା ପାଇପାରୁଛନ୍ତି । ମହିଳା ହେଲ୍ପ ଲାଇନ୍ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବାବେଳେ ନିକଟରେ ପଶ୍ଚିମବଙ୍ଗ ସରକାର ଏଥିରେ ସାମିଲ ହୋଇଛନ୍ତି । ଏହି ହେଲ୍ପଲାଇନ୍ ୩କୋଟିରୁ ଅଧିକ ଟେଲିଫୋନ୍ କଲ୍ ପାଇଥିବାବେଳେ ୧କୋଟିରୁ ଅଧିକ ମହିଳାଙ୍କୁ ସହାୟତା ଯୋଗାଇ ଦେଇଛି । ଏହି ସେବା ମଧ୍ୟ ମିଶନ ଶକ୍ତି ପୋର୍ଟାଲ ଜରିଆରେ ଉପଲବ୍ଧ ହେଉଛି । (ତଥ୍ୟ)

