ଭୁବନେଶ୍ୱର : ରାଜଧାନୀରୁ ବାହାରୁଥିବା ବର୍ଜ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବର୍ଷକୁ ୪ କୋଟି ଟଙ୍କାରୁ ଅଧିକ ଆୟ କରୁଛି । କେବଳ ଶୁଖିଲା ବର୍ଜ୍ୟ ପ୍ରକ୍ରିୟାକରଣ କରି ୪ କୋଟି ଟଙ୍କା ପାଉଥିବାବେଳେ ଓଦା ବର୍ଜ୍ୟରୁ ପ୍ରସ୍ତୁତ ଖତ ବିକ୍ରି କରି ବର୍ଷକୁ ୬ଲକ୍ଷ ଟଙ୍କା ଆୟ କରାଯାଉଛି ।
ଭୁବନେଶ୍ୱର ସହରରୁ ଏବେ ବୈଦିନ ୮୦୦ ମେଟ୍ରିକ ଟନ୍ ବର୍ଜ୍ୟ ବାହାରୁଥିବାବେଳେ ଏଥିରେ ଓଦା ବର୍ଜ୍ୟର ପରିମାଣ ୩୮୪ ମେଟ୍ରିକ ଟନ୍ ରହୁଛି । ଏଥି ମଧ୍ୟରେ ଘରକୁ ଘର ବୁଲି ସଂଗ୍ରହ ହେଉଥିବା ଓଦା ବର୍ଜ୍ୟର ପରିମାଣ ସର୍ବାଧିକ ରହିଥିବାବେଳେ ଏହାର ପ୍ରକ୍ରିୟାକରଣ ପାଇଁ ସହରରେ ୩୭ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) ରହିଛି । ଏହାର ପ୍ରକ୍ରିୟାକରଣ କ୍ଷମତା ଦୈନିକ ପ୍ରାୟ ୨୦୦ ମେଟ୍ରିକ ଟନ୍ ରହିଛି । ତେବେ ଓଦା ବର୍ଜ୍ୟର ପ୍ରକ୍ରିୟାକରଣ ପରେ ଏଥିରୁ ଦୈନିକ ପ୍ରାୟ ୧୦ମେଟ୍ରିକ ଟନ୍ ଖତ ପ୍ରସ୍ତୁତ କରାଯାଉଛି । ଏହି ଖତକୁ ବିକ୍ରି କରି ବିଏମସି ବର୍ଷକୁ ୬ଲକ୍ଷ ଟଙ୍କା ଆୟ କରୁଛି । ବିକ୍ରି ହେଉଥିବା ଏହି ଖତକୁ ‘ମୋ ଖତ’ ନାମରେ ବ୍ରାଣ୍ଡିଂ କରି ବିଭିନ୍ନ କାଉଣ୍ଟରରେ ବିକ୍ରି କରୁଛନ୍ତି ।
ସେହିଭଳି କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ବିଏମସିର ୨୪ଟି ମେଟେରିଆଲ ରିକଭରି ଫାସିଲିଟି (ଏମଆରଏଫ୍) ରହିଛି । ଏଠାରେ ଦୈନିକ ୨୭୫ ମେଟ୍ରିକ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇପାରିବ । ତେବେ ଶୁଖିଲା ବର୍ଜ୍ୟରୁ ପ୍ରତିଦିନ ୨୦ ମେଟ୍ରିକ ଟନରୁ ଅଧିକ ସାମଗ୍ରୀ ବାହାରୁଥିବାବେଳେ ଏହାକୁ ବିକ୍ରିକରି ବର୍ଷକୁ ପ୍ରାୟ ୪କୋଟି ଟଙ୍କା ଆୟ କରାଯାଇ ପାରୁଛି । ବର୍ଜ୍ୟବସ୍ତୁ ମଧ୍ୟରେ ପ୍ଲାଷ୍ଟିକ, ଲୁହା ଠାରୁ ଆରମ୍ଭକରି ତମ୍ବା, ଆଲୁମିନିୟମ ଭଳି ମୂଲ୍ୟବାନ ଧାତୁ ରହିଛି । ଏହାଛଡା ବର୍ଜ୍ୟରୁ ବାହାରୁଥିବା ଜରି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀକୁ ୩ଟି ସିମେଣ୍ଟ କାରଖାନାକୁ ପଠାଯାଉଛି । ଏ ବାବଦରେ ମଧ୍ୟ ବିଏମସିକୁ ରାଜସ୍ୱ ମିଳୁଛି ।
ତେବେ ବିଏମସିର ସବୁଠାରୁ ଲୋକପ୍ରିୟ ଯୋଜନା ଥିବା ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ ପାଇଁ ସହରରେ ୪୫୫ଟି ଯାନ ନିୟୋଜିତ କରାଯାଇଥିବାବେଳେ ୩ଟି ବେସରକାରୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱରେ ରହିଛନ୍ତି । ସହରରେ ଶତ ପ୍ରତିଶତ ଘରକୁ ଏଥିରେ ସାମିଲ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ପରଠାରୁ ସହରର ରାସ୍ତାଘାଟରେ ଅଳିଆ ପଡିବା ଏକ ପ୍ରକାର ବନ୍ଦହୋଇ ଯାଇଛି ।
ସେହିଭଳି ରାଜଧାନୀ ସହରକୁ ସଫାସୁତୁରା ରଖିାବପାଇଁ ୭ଟି ସଂସ୍ଥାକୁ ମୁତୟନ କରାଯାଇଛି । ଏମାନେ ୪ହଜାର କର୍ମଚାରୀ ନିୟୋଜିତ କରିଛନ୍ତି । ଏମାନେ ରାସ୍ତାଘାଟ ସଫା କରିବାପରେ ଅଳିଆ ଉଠାଇବାପାଇଁ ୮୦ଟି ଗାଡି ରହିଛି । ଏଥି ସହିତ ରାଜଧାନୀର ପ୍ରାୟ ୧୭୦ କିଲୋମିଟର ରାସ୍ତାର ଯାନ୍ତ୍ରିକ ସଫେଇ ପାଇଁ ୭ଟି ଗାଡି ମୁତୟନ କରାଯାଇଛି । ଏହିସବୁ ଯାନ ସାଧାରଣତଃ ସହରର ମୁଖ୍ୟ ରାସ୍ତାଗୁଡିକୁ ସଫା କରୁଥିବାବେଳେ ଗଳିକନ୍ଦିରେ କିନ୍ତୁ ସଫେଇ କର୍ମଚାରୀାମାନେ ସଫେଇ କାର୍ଯ୍ୟ କରିଥାନ୍ତି । (ତଥ୍ୟ)

