Home News in Odia ପୁଲିସ୍‍, ପରିବହନ ବିଭାଗ ପାଇଁ ଅଟୋ ଚାଳକ ଲଗାମଛଡା

ପୁଲିସ୍‍, ପରିବହନ ବିଭାଗ ପାଇଁ ଅଟୋ ଚାଳକ ଲଗାମଛଡା


ଭୁବନେଶ୍ୱର : ରାଜଧାନୀରେ ଅଟୋଚାଳକଙ୍କ ଆନ୍ଦୋଳନ ଓ ଗଣ୍ଡଗୋଳ ପୁଲିସ୍‍ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଅଟୋଚାଳକଙ୍କ ପ୍ରତି ପୁଲିସ୍‍ ଓ ପରିବହନ ବିଭାଗ ଦୀର୍ଘଦିନ ଧରି କୋହଳ ମନୋଭାବ ପୋଷଣ କରିଆସୁଛି ।

ରାଜଧାନୀରେ ଚଳାଚଳ କରୁଥିବା ପ୍ରାୟତଃ କୌଣସି ଅଟୋରେ ମିଟର ଲାଗିନାହିଁ । ଯଦିଓ ଅଟୋ ପଞ୍ଜିକରଣ ପାଇଁ ମିଟର ବାଧ୍ୟତାମୂଳକ ଏବଂ ଏହା ଅଟୋରେ ଲଗାଯାଇଛି ବୋଲି ପରିବହନ ବିଭାଗ କାଗଜପତ୍ରରେ ଦର୍ଶାଯାଉଛି, କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଅଟୋଗୁଡିକର ପଞ୍ଜିକରଣ ପରେ ତାହାର ମିଟର ଖୋଲି ଦିଆଯାଉଛି । ମିଟର ନଥିବାରୁ ଅଟୋଚାଳକମାନେ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । ଏମାନଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ଯାଇ ଲୋକେ ଓଲା, ଉବେର ଭଳି ସଂସ୍ଥା ଖୋଜୁଛନ୍ତି ।

ପରିବହନ ବିଭାଗ ପକ୍ଷରୁ ମିଟର ଅନୁଯାୟୀ ଭଡା ଧାର୍ଯ୍ୟ କରାଯାଉନାହିଁ କିମ୍ବା ରାସ୍ତାରେ ଚଳାଚଳ କରୁଥିବା ଅଟୋରେ ମିଟର ଲାଗିଛି କି ନାହିଁ ଥରୁଟିଏ ତାହାର ଯାଞ୍ଚ ହେଉନାହିଁ । ଏପରିକି ପୁରୁଣା ଅଟୋରେ ପଞ୍ଜିକରଣ, ପ୍ରଦୂଷଣ ଆଦିର କଡାକଡି ଯାଞ୍ଚ ହେଉନାହିଁ । ଏହାକୁ ଚଳାଉଥିବା ବ୍ୟକ୍ତିଙ୍କର ଲାଇସେନ୍ସ ରହିଛି କି ନାହିଁ ତାହାର ମଧ୍ୟ ନିୟମିତ ଯାଞ୍ଚ ପରିହବନ ବିଭାଗ କରେ ନାହିଁ ।

ସେହିଭଳି କମିଶନରେଟ ପୁଲିସ୍‍କୁ ପରିବହନ କ୍ଷମତା ଦିଆଯାଇଥିଲେ ମଧ୍ୟ ହେଲମେଟ୍‍ ଯାଞ୍ଚ କିମ୍ବା ରାସ୍ତା ଉପରେ ଗାଡିମୋଟର ରଖିଲେ ପୁଲିସ୍‍ ଯେଭଳି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଅଟୋ ଚଳାଚଳ କ୍ଷେତ୍ରରେ ସେଭଳି ହେଉନାହିଁ । ସହରରେ ପୁଲିସ୍‍ ପକ୍ଷରୁ ଅଟୋ ଷ୍ଟାଣ୍ଡ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଉନାହିଁ । ଅଟୋଚାଳକମାନେ ଯେଉଁଠି ଏକାଠି ହେଉଛନ୍ତି ସେଠାରେ ଷ୍ଟାଣ୍ଡ ତିଆରି କରୁଛନ୍ତି ।

ଉଭୟ ପରିବହନ ଓ କମିଶନରେଟ ପୁଲିସ୍‍ ସହରରେ ଅଟୋ ଚଳାଚଳ ଉପରେ ନଜର ନରଖିବା ଓ ସେମାନଙ୍କୁ ବେପରୁଆ ଭାବେ ଛାଡିଦେବା ଯୋଗୁଁ ରାଜଧାନୀରେ ଅଟୋଚାଳକମାନେ ଓଲା ଉବେର ଆଢୁଆଳରେ ପୁଲିସ୍‍ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଅଟୋ ଚାଳକଙ୍କ ଆକ୍ରମଣରେ ସରକାରୀ ସମ୍ପତ୍ତି ନଷ୍ଟ ହେଲାପରେ ଏବେ ପ୍ରଶାସନର ଏକ ପ୍ରକାର ଚେତା ପଶିଛି ।

ଏହା ପୂର୍ବରୁ ଅନେକବାର ଯାତ୍ରୀ ପରିବହନକୁ ନେଇ ଅଟୋ ଚାଳକ ଓ ଆମ ବସ୍‍ କର୍ମଚାରୀ ରାସ୍ତା ଉପରେ ହାତାହାତି ହେଉଥିଲେ ମଧ୍ୟ କ୍ରୁଟ୍‍ କର୍ତ୍ତୃପକ୍ଷ କିମ୍ବା ପୁଲିସ୍‍ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସେହିଭଳି ଓଲା, ଉବେର ଚାଳକମାନେ ଯାତ୍ରୀମାନଙ୍କୁ ଆର୍ଥିକ ଶୋଷଣ କରିବା ସହିତ ବିଳମ୍ବିତ ରାତିରେ ବୁକିଂ ବାତିଲ କରି ହଇରାଣ ହରକତ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଏକ ପ୍ରକାର ନିରବ ରହୁଥିଲା । ବର୍ତ୍ତମାନ ଏହାର ଫଳ ଭୋଗିବାକୁ ପଡିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)