ଭୁବନେଶ୍ୱର : ବିଭିନ୍ନ ନ୍ୟାୟିକ ସଂସ୍ଥାରେ ଓଡ଼ିଶାରେ ଓ ଓଡ଼ିଶା ସରକାରଙ୍କର ଏବେ ପ୍ରାୟ ୨୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ପାଖାପାଖି ୧୯ଲକ୍ଷ ମାମଲା ବିଭିନ୍ନ ଜିଲ୍ଲାରେ ଥିବା ଦେୱାନୀ ଓ ଫୌଜଦାରୀ ଅଦାଲତଗୁଡ଼ିକରେ ପଡିଥିବାବେଳେ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ପ୍ରାୟ ୧ଲକ୍ଷ ୭୦ ହଜାର ।
ଓଡ଼ିଶା ହାଇକୋର୍ଟରେ ପ୍ରାୟ ଅଧା ବିଚାର ପଦବୀ ଖାଲି ପଡିଛି । ଏଠି ଏବେ ମାତ୍ର ୧୭ଜଣ ବିଚାରପତି କାର୍ଯ୍ୟରତ ଥିବାବେଳେ ସେମାନଙ୍କ ନିକଟରେ ବିଚାର ପାଇଁ ଅଛି ୧ଲକ୍ଷ ୭୦ ହଜାର ମାମଲା । ଅର୍ଥାତ୍ ଜଣେ ବିଚାରପତିଙ୍କ ପିଛା ହାରାହାରି ୧୦ ହଜାର କରି ମାମଲା ରହିଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ପୂରଣ ସହିତ ମାମଲାର ଚାପ ହ୍ରାସ ପାଇଁ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣର ପୁନଃ ସଂସ୍ଥାପନ ଉପରେ ବିଭିନ୍ନ ମହଲ ଗୁରୁତ୍ୱ ଦେଉଛନ୍ତି ।
ସରକାରୀ ତଥ୍ୟ ମୁତାବକ ଓଡ଼ିଶା ହାଇକୋର୍ଟରେ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ୩୭୬ଟି ୩୦ବର୍ଷରୂୁ ଅଧିକ ସମୟ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୭,୦୩୫ଟି ମାମଲା ୨୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଏହାଦ୍ୱାରା ୩୮,୮୬୬ଟି ମାମଲା ୧୦ ବର୍ଷରୁ ଅଧିକ ପୁରୁଣା ।
ସେହିପରି ରାଜ୍ୟର ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକରେ ଗତ ଜୁଲାଇ ୧୬ ତାରିଖ ସୁଦ୍ଧା ମୋଟ ୧୮,୬୮,୩୨୩ଟି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ସେଥିମଧ୍ୟରୁ ୪୪୪୧ଟି ମାମଲା ୩ ଦଶନ୍ଧିରୁ ଅଧିକ ସମୟ ଧରି ଗଡୁଛି । ତାରିଖ ପରେ ତାରିଖ ଚାଲିଥିଲେ ମଧ୍ୟ ମାମଲା କିନ୍ତୁ ଛିଣ୍ଡୁନାହିଁ । ଏହି ସରକାରୀ ତଥ୍ୟ ମୁତାବକ ଓଡ଼ିଶାରେ ୪୫,୩୩୩ଟି ମାମଲା ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକରେ ୨୦ବର୍ଷରୁ ଅଧିକ ସମୟ ଧରି ଗଡୁଥିବାବେଳେ ୩,୦୭,୨୧୬ଟି ମାମଲା ୧୦ବର୍ଷରୁ ଅଧିକ ପୁରୁଣା ।
ସେହିପରି ୭,୬୬,୧୭୭ଟି ମାମଲା ଓଡ଼ିଶାର ଜିଲ୍ଲା ଓ ନିମ୍ନ୍ ଅଦାଲତଗୁଡ଼ିକରେ ୫ବର୍ଷରୁ ଅଧିକ ସମୟ ଧରି ପଡିରହିଛି । ହାଇକୋର୍ଟ ଭଳି ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ବିଚାରପତି ପଦବୀ ଖାଲି ପଡିଛି । ଗୋଟିଏ ପଟେ ମାମଲା ଫଇସଲା ହେବାରେ ବିଳମ୍ବ ଘଟୁଥିବାବେଳେ ଅନ୍ୟ ପଟରେ ବିଳମ୍ବିତ ନ୍ୟାୟ ଓ ଅନ୍ୟାନ୍ୟ କାରଣରୁ ସଂଖ୍ୟାଧିକ ଫୌଜଦାରୀ ମାମଲାରେ ଅଭିଯୁକ୍ତ ଫସିଯାଉଛନ୍ତି ।
କେନ୍ଦ୍ର ସରକାରଙ୍କ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟ ମୁତାବକ କେବଳ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ଓଡ଼ିଶାରେ ବର୍ଷକୁ ୬ ପ୍ରତିଶତ ବି ଫଇସଲା ହୋଇପାରୁନଥିବାବେଳେ ଦଣ୍ଡବିଧାନ ହାର ୧୦ ବର୍ଷରେ ସୀମିତ ରହୁଛି । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ଏବଂ ଏସ୍ସି ଓ ଏସ୍ଟି ନିର୍ଯାତନା, ବରିଷ୍ଠ ନାଗରିକମାନଙ୍କ ପ୍ରତି ଘଟୁଥିବା ଅପରାଧଗୁଡ଼ିକରେ ଉଭୟ ମାମଲା ଫଇସଲା ହାର ଓ ଦଣ୍ଡବିଧାନ ହାର ମଧ୍ୟ ଅତ୍ୟନ୍ତ କମ୍ ରହୁଛି ।
୨୦୧୧ ମସିହାରେ ଓଡ଼ିଶା ସରକାର ଯେଉଁ ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ ତା’ର ପ୍ରମୁଖ ଲକ୍ଷ୍ୟ ଥିଲା ମାମଲାଗୁଡ଼ିକୁ ୫ବର୍ଷ ମଧ୍ୟରେ ଫଇସଲା କରିବା ପାଇଁ । ତେବେ ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ରାଜ୍ୟ ମାମଲା ନୀତି ଏକ ପ୍ରକାର ବିଫଳ ହୋଇଛି । କେବଳ ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ୧୨ ହଜାର ଅଦାଲତ ଅବମାନନା ମାମଲା ବିଚାର ପ୍ରତୀକ୍ଷାରେ ଅଛି । ଏଥିରୁ ସଂଖ୍ୟାଧିକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶ ଠିକଣା ସମୟ ମଧ୍ୟରେ ପ୍ରତିପାଳନ କରିବାରେ ବିଫଳ ହୋଇଥିବା ଘେନି ଅଭିଯୋଗ ହେଉଛି । ହାଇକୋର୍ଟ ମଧ୍ୟ ବହୁ ଅଦାଲତ ଅବମାନନା ମାମଲାରେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି ।(ତଥ୍ୟ)

