ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ କଟକ ମହାନଗର ନିଗମ (କେଏମସି)ରେ ସ୍ୱଚ୍ଛତା, ଡ୍ରେନେଜ୍ ଓ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।
ରାଜ୍ୟର ଦୁଇ ପ୍ରମୁଖ ସହରାଞ୍ଚଳ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରି ମନ୍ତ୍ରୀ ଜାତୀୟ ସ୍ୱଚ୍ଛତା ସର୍ବେକ୍ଷଣ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ବିଏମସି ଓ କେଏମସିକୁ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ନିଜ ବର୍ଗରେ ଭୁବନେଶ୍ୱର ନବମ ସ୍ଥାନ ହାସଲ କରିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗାମୀ ଜାତୀୟ ସ୍ୱଚ୍ଛତା ମୂଲ୍ୟାୟନରେ ଭୁବନେଶ୍ୱର ଏବଂ କଟକ ଯେପରି ପ୍ରଥମ ସ୍ଥାନ ଅଧିକାର କରିବେ, ସେଥିପାଇଁ ଉଭୟ ପୌରସଂସ୍ଥା ମିଶନ ମୋଡ଼ରେ କାର୍ଯ୍ୟ କରିବା ସହ ନିଜ ପ୍ରୟାସକୁ ଦ୍ୱିଗୁଣିତ କରିବା ଉଚିତ ।
ପ୍ରବଳ ବର୍ଷା ସମୟରେ ଜଳବନ୍ଦୀ ଓ ସହରାଞ୍ଚଳ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଡ. ମହାପାତ୍ର ପ୍ରଯୁକ୍ତିବିଦ୍ୟା ଆଧାରିତ ବନ୍ୟା ମୁକାବିଲା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ବ୍ୟବସ୍ଥା ଦ୍ୱାରା ରିଅଲ୍-ଟାଇମ୍ ମନିଟରିଂ, ସମ୍ଭାବ୍ୟ ଜଳପ୍ଲାବନର ପୂର୍ବାନୁମାନ ଏବଂ ସମ୍ବେଦନଶୀଳ ଅଞ୍ଚଳକୁ ଠିକ୍ ସମୟରେ ସତର୍କ ସୂଚନା ମିଳିପାରିବ, ଯାହା ଫଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ କ୍ଷୟକ୍ଷତିକୁ ରୋକାଯାଇ ପାରିବ ।
ବାରମ୍ବାର ଜଳବନ୍ଦୀ ଓ ପରିମଳ ସମସ୍ୟା ଉପୁଜୁଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକର ମଧ୍ୟ ଡଃ ମହାପାତ୍ର ସମୀକ୍ଷା କରିଥିଲେ । ଇସ୍କନ ମନ୍ଦିର ନିକଟରେ ଚାଲିଥିବା ଡ୍ରେନେଜ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରି ସେଠାରେ ଲାଗି ରହୁଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେହେରା ସାହିରେ ଡ୍ରେନେଜ୍ କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ଏବଂ ବିଏମସି ଅଧୀନରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ସହିତ ଡ୍ରେନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡଃ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ଓ କଟକକୁ ଦେଶର ସବୁଠାରୁ ସ୍ୱଚ୍ଛ ତଥା ସୁପରିଚାଳିତ ସହରରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । କେବଳ ରାଙ୍କିଙ୍ଗ୍ ବୃଦ୍ଧି କରିବା ନୁହେଁ, ବରଂ ସ୍ୱଚ୍ଛତା, ଡ୍ରେନେଜ୍ ଓ ସହରାଞ୍ଚଳ ଭିତ୍ତିଭୂମିରେ ଏକ ଦୃଶ୍ୟମାନ ତଥା ସ୍ଥାୟୀ ଉନ୍ନତି ଆଣିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳ, ପ୍ରଭାବଶାଳୀ ତଦାରଖ ଏବଂ ନାଗରିକଙ୍କ ସକ୍ରିୟ ଭାଗୀଦାରୀ ସହିତ ଜାତୀୟ ସ୍ୱଚ୍ଛତା ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ବିଏମସି ଏବଂ କେଏମସି ସ୍ପଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ । ସହରାଞ୍ଚଳ ବନ୍ୟା ପ୍ରସଙ୍ଗରେ ସେ କହିଛନ୍ତି ଯେ ଅସ୍ଥାୟୀ ପଦକ୍ଷେପ ପରିବର୍ତ୍ତେ ଅଗ୍ରୀମ ପ୍ରସ୍ତୁତି, ନିୟମିତ ପଙ୍କ ଉଦ୍ଧାର, ମେସିନ୍ ସଫେଇ ଏବଂ ରିଅଲ୍-ଟାଇମ୍ ମନିଟରିଂ ମାଧ୍ୟମରେ ସ୍ଥାୟୀ ସମାଧାନ କରାଯିବା ଆବଶ୍ୟକ ।
ଏହି ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏସବିଏମ (ଅର୍ବାନ) ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ବିଏମସି କମିଶନର ଚଞ୍ଚଲ ରାଣା, କେଏମସି କମିଶନର କିରଣଦୀପ କୌର ସାହୋତା, ୱାଟକୋ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ଓଡ଼ବ୍ଲୁଏସଏସବି ଇଆଇସି ଭାଗ୍ୟଧର ମହାନ୍ତି ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

