Home News in Odia ବଜେଟ୍‍ ବ୍ୟୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ବଜେଟ୍‍ ବ୍ୟୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୬–୨୭ ଆର୍ଥିକ ବର୍ଷର ୧୪ତମ ଡାସବୋର୍ଡ ସମୀକ୍ଷା ବୈଠକ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗର ଆର୍ଥିକ ପ୍ରଗତି, ପ୍ରମୁଖ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ଭିତ୍ତିଭୂମି ପ୍ରକଳ୍ପ, ସହରୀ ସଂସ୍କାର ଏବଂ ରାଜ୍ୟରେ ଉଦୀୟମାନ ପ୍ରାଥମିକତାଗୁଡ଼ିକର ସମୀକ୍ଷା କରାଯାଇଥିଲା ।

ବୈଠକରେ ଅର୍ବାନ କନକ୍ଲେଭ୍ ୨୦୨୬, ସହରାଞ୍ଚଳ ବନ୍ୟା, ସ୍ୱାୟତ୍ତ ଶାସନ ଦିବସ ୨୦୨୬, ବଡ ବଡ ପ୍ରକଳ୍ପ, ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ, ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏବଂ ଜିଲ୍ଲାସ୍ତରୀୟ ମନିଟରିଂ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ସମୀକ୍ଷା କରାଯାଇଥିଲା । ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ବିଭାଗର ମୋଟ ବଜେଟ୍ ବ୍ୟବସ୍ଥା ୧୦,୭୨୬.୮୭ କୋଟି ଟଙ୍କା ରହିଛି । ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟୟ ହାର ବଢ଼ାଇବା, ଅନୁଦାନର ସର୍ବାଧିକ ଓ ପ୍ରଭାବଶାଳୀ ବିନିଯୋଗ ସୁନିଶ୍ଚିତ କରିବା ଏବଂ ଆର୍ଥିକ ବର୍ଷ ଶେଷରେ ଅର୍ଥରାଶି ଫେରସ୍ତକୁ ଏଡ଼ାଇବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବୈଠକରେ ଦର୍ଶାଯାଇଥିଲା । ‘ସ୍ୱଚ୍ଛ ଓଡ଼ିଶା’ ଅଧୀନରେ ବଜେଟ୍ ବ୍ୟବସ୍ଥାର ୬୨.୫ ପ୍ରତିଶତ ବ୍ୟୟ ହୋଇସାରିଥିବା ବେଳେ କଠିନ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ୬୫.୯ ପ୍ରତିଶତ ଏବଂ ତରଳ ବର୍ଜ୍ୟ ପରିଚାଳନାରେ ୫୬.୪ ପ୍ରତିଶତ ବ୍ୟୟ ହୋଇଛି । ଡାସବୋର୍ଡ ମାଧ୍ୟମରେ ନଗର ସ୍ୱଚ୍ଛତା କାର୍ଯ୍ୟକଳାପର ନିରନ୍ତର ତଦାରଖ ଜାରି ରଖିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଜଳଯୋଗାଣ ଓ ସହରର ଡ୍ରେନେଜ୍‌କୁ ବୈଠକରେ ଉଚ୍ଚ ପ୍ରାଥମିକତା ଦିଆଯାଇଥିଲା । ୱାଟକୋ ଏବଂ.ପିଏଚ୍ଇଓ  ମାଧ୍ୟମରେ କାର୍ଯ୍ୟାନ୍ୱିତ ସୁଜଳ ଓ ୨୪x୭ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପଦକ୍ଷେପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ସହରାଞ୍ଚଳ ବନ୍ୟା ପରିଚାଳନାର ବଢ଼ୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ୫୦ଟି ପୌରସଂସ୍ଥା ରେ ବର୍ଷାଜଳ ନିଷ୍କାସନ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନିଆଯାଉଛି ।

ସହରାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା । ଛଅଟି ପ୍ରାଥମିକତାପ୍ରାପ୍ତ କମ୍ପ୍ରିହେନସିଭ୍ ଡେଭେଲପମେଣ୍ଟ ପ୍ଲାନ୍  ସଡ଼କ କରିଡର୍ ପାଇଁ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ସୈନିକ ସ୍କୁଲ୍ ଛକ– ଭି ଏସ୍ ଏସ୍ ନଗର, ନୂଆ ଭୁବନେଶ୍ୱର ରେଳ ଷ୍ଟେସନ୍ କରିଡର୍, ପୋଖରୀପୁଟ–ଅନନ୍ତ ବିହାର ସମେତ ଅନ୍ୟାନ୍ୟ ରଣନୀତିକ ଯୋଗାଯୋଗ କରିଡର୍ ସାମିଲ ରହିଛି ।

.ସହରାଞ୍ଚଳ ପରିବହନ ବ୍ୟବସ୍ଥା ଓ ସୁଲଭ ଆବାସ ବୈଠକର ଅନ୍ୟତମ ପ୍ରମୁଖ ଅଂଶ ଥିଲା । ଆଇଟିଏମ୍ଏସ୍ ଓ ପ୍ରସ୍ତାବିତ ମିନି-ବସ୍ ପରିଚାଳନା ସମେତ କ୍ରୁଟ ର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଏହା ସହିତ ‘ଆମ ବସ୍” ଓ ପିଏମ-ଇ ବସ୍‍  ସେବାର ସମ୍ପ୍ରସାରଣ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା । କଟକ, ବ୍ରହ୍ମପୁର ଓ ରାଉରକେଲାରେ ସୁଲଭ ଆବାସ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ କାର୍ଯ୍ୟାନ୍ୱୟନ କରାଯାଉଛି ଏବଂ ପି ପି ପି ମୋଡ୍‌ରେ ମଧ୍ୟ ଏହାକୁ ଆଗେଇ ନିଆଯାଉଛି ।

‘ସହଯୋଗ’ ଭଳି ପ୍ରମୁଖ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଥିଲା । ଏଥିସହ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ, ସୁଲଭ ଆବାସ ପଦକ୍ଷେପ ଏବଂ ଅନ୍ୟାନ୍ୟ ବଡ ବଡ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା । ସମ୍ବଲପୁର ଓ ରାଉରକେଲା ପାଇଁ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ପ୍ରସ୍ତାବଗୁଡ଼ିକୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦାଖଲ ପାଇଁ ପଦକ୍ଷେପ ନିଆଯାଉଛି ।

ଆଗାମୀ ଜିଲ୍ଲାପାଳ ସମ୍ମିଳନୀ ଓ ଅର୍ବାନ୍ କନକ୍ଲେଭ୍ ୨୦୨୬କୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, କ୍ଷେତ୍ରସ୍ତରୀୟ ତଦାରଖ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନିୟମିତ ତଦାରଖ ମାଧ୍ୟମରେ ରାଜ୍ୟର ଲୋକମାନଙ୍କ ଜୀବନଧାରଣର ମାନରେ ଦୃଶ୍ୟମାନ ଓ ସ୍ଥାୟୀ ଉନ୍ନତି ଆଣିବା ଦିଗରେ ସମସ୍ତ ନଗର ଉନ୍ନୟନ ପଦକ୍ଷେପକୁ ଆଗେଇ ନିଆଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।