ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଓଡ଼ିଶା ୨୦୨୯ ସୁଦ୍ଧା ୫୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ମହିଳାମାନଙ୍କୁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ବହୁ ରାଜ୍ୟର ସରକାର ଏବେ ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କା ବାଣ୍ଟୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପି ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଓଡ଼ିଶାରେ ବାଣ୍ଟିବ ବୋଲି ଘୋଷଣା କରିଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ୨୦୨୪ରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ କରାଯାଇ ଏଯାବତ୍ ଏଥିରେ କୋଟିଏରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଛି । ତେବେ ଏକକାଳୀନ ଜଣ ପିଛା ୫୦ ହଜାର ଟଙ୍କା କରି ପ୍ରଦାନ ନକରି ଗୋଟିଏ କିସ୍ତିରେ ୫ ହଜାର ଟଙ୍କା କରି ୫ବର୍ଷ ଯାଏ ବର୍ଷକୁ ଦୁଇଟି ଲେଖାଏ କିସ୍ତି ମାଧ୍ୟମରେ ଏହି ଟଙ୍କା ବଣ୍ଟାଯିବାର ବ୍ୟବସ୍ଥା ହୋଇଛି । ଯେପରି ଅଯୋଗ୍ୟ ବ୍ୟକ୍ତିମାନେ ହିତାଧିକାରୀ ତାଲିକାରେ ସାମିଲ ହୋଇନପାରିବେ ସେ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିବା ସହିତ ଇତିମଧ୍ୟରେ କେତେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ହିତାଧିକାରୀ ତାଲିକାରୁ କାଟିଛନ୍ତି । ବିଶେଷକରି ଯେଉଁ ସରକାରୀ କର୍ମଚାରୀମାନେ ସୁଭଦ୍ରା ଅର୍ଥ ହାତେଇଥିଲେ ସେମାନଙ୍କୁ ଏହି ଅର୍ଥ ଫେରସ୍ତ କରିବାକୁ ପଡ଼ିଛି ।
କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମହିଳାମାନଙ୍କୁ ଟଙ୍କା ବଣ୍ଟା ଚାଲିଛି । ୨୦୨୫-୨୬ ବର୍ଷରେ ଅନ୍ୟୁନ ୧୨ଟି ରାଜ୍ୟ ଏ ବାବଦରେ ପ୍ରାୟ ୧ଲକ୍ଷ ୬୮ ହଜାର କୋଟି ଟଙ୍କା ବାଣ୍ଟିଥିବା ପିଆରଏସ୍ ଲେଜିସଲେଟିଭ୍ ରିସର୍ଚ୍ଚ ତଥ୍ୟରୁ ଜଣାପଡିଛି । ଅଧିକରୁ ଅଧିକ ରାଜ୍ୟରେ ମହିଳାଙ୍କୁ ଟଙ୍କା ବାଣ୍ଟିବା ପାଇଁ ନୂଆନୂଆ ଯୋଜନା କରିଥିବାରୁ ଚଳିତ ଆର୍ôଥକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏ ବାବଦରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଦେୟ କରିବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶ ସରକାର ଏଥିପାଇଁ ଲାଡ୍ଲି ବେହେନ୍ ଯୋଜନା ପ୍ରଣୟନ କରିଥିବାବେଳେ ପଶ୍ଚିମବଙ୍ଗରେ ତୃଣମୂଳ ସରକାର ଥିବାବେଳେ ଲକ୍ଷ୍ମୀ ଭଣ୍ଡାର ଯୋଜନା ଆରମ୍ଭ ହୋଇଥିଲା । ତେବେ ଲକ୍ଷ୍ମୀ ଭଣ୍ଡାର ଯୋଜନାରେ ମହିଳାମାନଙ୍କୁ ମାସିକ ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବଣ୍ଟାଯିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନର ବିଜେପି ସରକାର ସେଠାରେ ନୂଆ ଯୋଜନା ଆଣି ଏହି ରାଶି ବଢ଼ାଉଛନ୍ତି ।
ମହାରାଷ୍ଟ୍ରରେ ଏଭଳି ମହିଳା କୈନ୍ଦ୍ରିକ ଯୋଜନାରେ ପ୍ରତି ହତାଧିକାରୀଙ୍କୁ ମାସିକ ପ୍ରାୟ ୧୫୦୦ ଟଙ୍କା ଦିଆଯିବା ସହିତ ଜମିଜମା ପଞ୍ଜିକରଣ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିରେ ମଧ୍ୟ ରିହାତି ଦିଆଯାଉଛି । ଝାଡ଼ଖଣ୍ଡରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା କରି ମିଳୁଥିବାବେଳେ କର୍ଣ୍ଣାଟକରେ ୨୦୦୦ ଟଙ୍କା କରି ମିଳୁଛି । ଏହାଛଡ଼ା କର୍ଣ୍ଣାଟକ ସରକାର ମହିଳା ଶ୍ରମଶକ୍ତି ସ୍ୱତନ୍ତ୍ର ଯୋଜନା ଲାଗୁ କରି ମହିଳାମାନଙ୍କୁ କ୍ଷୁଦ୍ର ଉଦ୍ୟୋଗୀ ବନାଇବା ପାଇଁ ମୁଣ୍ଡପିଛା ୨୫ ହଜାର ଟଙ୍କାର ଋଣ ଏବଂ ଆଉ ୨୫ ହଜାର ଟଙ୍କା ସବ୍ସିଡି ବ୍ୟବସ୍ଥା କରିଛନ୍ତି ।
ଦିଲ୍ଲୀର ପ୍ରାଦେଶିକ ସରକାର ମଧ୍ୟ ମହିଳାମାନଙ୍କ ଲାଗି ଆର୍ଥିକ ପ୍ରୋତ୍ସାହନ ବଣ୍ଟନ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ପ୍ରତି ହିତାଧିକାରୀ ମାସିକ ଅନ୍ୟୁନ ୧୦୦୦ ଟଙ୍କା କରି ପାଇବେ । ଆସାମ ସରକାର ମଧ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ହଜାର ଟଙ୍କା କରି ବାଣ୍ଟୁଥିବାବେଳେ ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼, ତାମିଲନାଡୁ, ହିମାଚଳ ଆଦିରେ ବି ମହିଳା ହିତାଧିକାରୀମାନେ ମାସିକ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଛନ୍ତି । ଏହାଛଡ଼ା କେନ୍ଦ୍ର ସରକାର ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍ରେ ମହିଳା ବିନିଯୋଗକାରୀଙ୍କ ପାଇଁ ୭.୫ ପ୍ରତିଶତ ସୁଧ ବ୍ୟବସ୍ଥା କରିଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମହିଳା ଉଦ୍ୟୋଗୀଙ୍କୁ ୧୦ରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, କତା ଶିଳ୍ପରେ ନିୟୋଜିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଏବଂ ଜନନୀ ସୁରକ୍ଷା ଯୋଜନା ଆଦିରେ ବି ଅନେକ ପ୍ରୋତ୍ସାହନ ଦିଆଯାଉଛି ।(ତଥ୍ୟ)

