ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନାଲି ରଙ୍ଗ ମରାହୋଇ ସାଇକେଲ ଚଳାଚଳ ପାଇଁ ଚିହ୍ନିତ ହୋଇଥିବା ଟ୍ରାକ୍ ଏବେ ଗାଡିମୋଟର ପାର୍କିଂସ୍ଥଳ ପାଲଟିଛି । ଏହା ଉପରେ ଗାଡି ମୋଟର ପାର୍କିଂ କଲେ ପୁଲିସ୍ ଭୟ ନଥିବାରୁ ଏହାର ବ୍ୟବହାର ଏବେ ଦୁଇ ଓ ଚାରିଚକିଆ ଆରୋହୀମାନେ କରୁଛନ୍ତି ।
ରାଜଧାନୀରେ ରାସ୍ତାରେ ସାଇକେଲ ଆରୋହୀମାନଙ୍କର ସହଜ ଆତଯାତ ପାଇଁ ସାଇକେଲ ଟ୍ରାକ୍ ପ୍ରସ୍ତୁତ ହୋଇଛି । ପିଚୁ ରାସ୍ତା ଉପରେ ନାଲି ରଙ୍ଗ ଦିଆଯାଇ ତାହାକୁ ସାଇକେଲ ଚଳାଚଳ ପାଇଁ ଚିହ୍ନିତ କରାଯାଇଛି । ସାଇକେଲ ଆରୋହୀଙ୍କ ବ୍ୟତିତ ଅନ୍ୟ କେହି ଏହି ରାସ୍ତାରେ ଅନ୍ୟ ଯାନ ଆତଯାତ କରିବାକଥା ନୁହେଁ । ଯେବେଠାରୁ ନଗର ଉନ୍ନୟନ ବିଭାଗ ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ ସେବେଠାରୁ ଏହି ସାଇକେଲ ଟ୍ରାକ୍ ବ୍ୟବସ୍ଥା ଜାରି ରହିଛି । ଏଥିପାଇଁ ରଙ୍ଗମରା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ତେବେ ରାଜଧାନୀ ରାସ୍ତାରୁ ଏବେ ମୋ ସାଇକେଲ ଉଭାନ ହୋଇଥିବାବେଳେ ସାଇକେଲ ଟ୍ରାକ୍ କିନ୍ତୁ ରହିଛି । ଏଠାରେ କିନ୍ତୁ କେହି ଜଣେ ହେଲେ ସାଇକେଲ ଚଳାଉଥିବା ଦେଖିବାକୁ ମିଳୁନାହିଁ । ରାଜଧାନୀର ଯେଉଁମାନେ ବି ସାଇକେଲ ଚଳାଉଛନ୍ତି ସେମାନେ ଏହି ସ୍ଥାନକୁ ବ୍ୟବହାର କରୁନାହାନ୍ତି । କାରଣ ଏହି ସାଇକେଲ ସ୍ଥାନ ଏବେ ପାର୍କିଂସ୍ଥଳ ପାଲଟିଛି ।
ସହରର ପ୍ରମୁଖ ରାସ୍ତାରେ ଥିବା ସାଇକେଲ ଟ୍ରାକ୍ରେ ଲୋକେ ନିଜ ନିଜର ଚାରିଚକିଆ ଓ ଦୁଇ ଚକିଆ ଯାନ ପାର୍କିଂ କରୁଛନ୍ତି । ତେଣୁ ସେହି ରାସ୍ତାରେ ସାଇକେଲ ଚଳାଇବା ଅପେକ୍ଷା ଏହା ନିକଟରେ ଥିବା ରାସ୍ତାକୁ ଲୋକେ ପସନ୍ଦ କରୁଛନ୍ତି । ଏହି ନାଲି ରଙ୍ଗର ସାଇକେଲ ଟ୍ରାକ୍ ଓ ପିଚୁ ରାସ୍ତା ମଧ୍ୟରେ ଗୋଟିଏ ଧଳା ଗାର ଟଣାଯାଇଛି । ଯେଉଁଠାରେ ଲୋକେ ରାସ୍ତାକଡରେ ନିଜ ନିଜର ଗାଡି ରଖୁଛନ୍ତି ସେଠାରେ ଧଳାଗାର ଭିତରେ ଗାଡି ରଖିବାକୁ ପରାମର୍ଶ ଦିଆଯାଉଛି । ଧଳାଗାର ବାହାକୁ ଗାଡି ରହିଲେ ତୁରନ୍ତ ତାହାକୁ କର୍ତ୍ତୃପକ୍ଷ ଉଠାଇ ନେଉଛନ୍ତି ।
ନିୟମିତ ବ୍ୟବଧାନରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ପ୍ରମୁଖ ରାସ୍ତାକଡରେ ନାଲି ରଙ୍ଗ ମାରି ତାହାକୁ ସାଇକେଲ ଚଳାଚଳ ରାସ୍ତା ଭାବେ ଚିହ୍ନଟ କରୁଥିବାବେଳେ ଏଥିରେ କେତେ ସଂଖ୍ୟକ ଚାଲୁଛି ଓ ଏହାର କିଭଳି ବ୍ୟବହାର ହେଉଛି ସେ ସଂକ୍ରାନ୍ତରେ ଥରୁଟିଏ ହେଲେ ଅନୁଧ୍ୟାନ କରୁନାହାନ୍ତି । ଏପରିକି ରାସ୍ତାରେ ଝାଡୁମରା ଠାରୁ ଆରମ୍ଭକରି ଫୁଲ ଗଛ ଲଗାଇବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟର ଫଟୋ ଛଡାଯାଉଥିବାବେଳେ ସାଇକେଲ ଟ୍ରାକକୁ ସମସ୍ତେ ଏକ ପ୍ରକାର ପାଶୋରୀ ଦେଇଛନ୍ତି । ଫଳରେ କେତେକ ସ୍ଥାନରେ ଏହା ପାର୍କିଂସ୍ଥଳ ପାଲଟିଥିବାବେଳେ ଆଉ କେତେକ ସ୍ଥାନରେ ବେଆଇନ୍ ପାର୍କିଂ ଫି ଆଦାୟର ମାଧ୍ୟମ ପାଲଟିଛି ।
ରାଜଧାନୀରେ ସଡକ ଦୁର୍ଘଟଣା ରୋକିବାପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ସାଇକେଲ ଟ୍ରାକରେ ଗାଡିମୋଟର ପାର୍କିଂ ଓ ଚଳାଚଳ ଉପରେ କଟକଣା ଲଗାଯାଉ ନାହିଁ । ଫଳରେ ଯେଉଁଠାରେ ସାଇକେଲ ଟ୍ରାକ ରହିଛି ସେଠାରେ ରାସ୍ତାଗୁଡିକ ସଙ୍କୁଚିତ ହେବା ସହିତ ଦୁର୍ଘଟଣାର ଅନ୍ୟତମ କାରଣ ପାଲଟୁଛି । ମୋ ସାଇକେଲ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିବା ଭଳି ସାଇକେଲ ଟ୍ରାକ୍ ବ୍ୟବସ୍ଥାରେ ମଧ୍ୟ ପୂର୍ଣ୍ଣଛେଦ ପକାଇବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)

