Home Health ସିନ୍ଥେଟିକ ପନୀର ହାଉଯାଉ

ସିନ୍ଥେଟିକ ପନୀର ହାଉଯାଉ

ଭୁବନେଶ୍ୱର : ଓଡ଼ିଶା ବଜାରରେ ବିପଜ୍ଜନକ ସିନ୍ଥେଟିକ୍‍ ପନୀର ହାଉଯାଉ ହେଉଥିବାବେଳେ ମଧ୍ୟପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଛତିଶଗଡ଼, ମହାରାଷ୍ଟ୍ର ଓ ଗୁଜରାଟରେ ମଧ୍ୟ ଏନାଲଗ୍‍ ପନୀର୍‍ ନାମରେ ପରିଚିତ ସିନ୍ଥେଟିକ୍‍ ପନୀର୍‍କୁ ନିଷିଦ୍ଧ କରାଯାଇଛି ।

ସାଧାରଣତଃ ଭୋଜିଭାତ, ହୋଟେଲ୍‍, ଫାଷ୍ଟଫୁଡ୍‍ ଦୋକାନ ଆଦିରେ ବ୍ୟାପକ ପରିମାଣର ସିନ୍ଥେଟିକ୍‍ ପନୀର ବ୍ୟବହୃତ ହେଉଛି । ବିଶେଷକରି ଏବେ ବି ପଶ୍ଚିମବଙ୍ଗରୁ ପ୍ରାୟ ପ୍ରତିଦିନ ଟନ୍‍ଟନ୍‍ ସିନ୍ଥେଟିକ୍‍ ପନୀର ଓଡ଼ିଶା ବଜାରକୁ ଆସୁଛି । ଏବେ ରାଜ୍ୟର କେତେକ ଅଞ୍ଚଳରେ ନକଲି ପନୀର ତିଆରି ଏକ ଘରୋଇ ଶିଳ୍ପରେ ପରିଣତ ହେଲାଣି ବୋଲି କୁହାଯାଉଛି ।

ଛେନା, ପନୀର ଆଦି ଖାଣ୍ଟି କ୍ଷୀରରୁ ତିଆରି କରାଯାଇଥାଏ । କିନ୍ତୁ ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରି ନକଲି ପନୀର ଓ ଛେନା ପ୍ରସ୍ତୁତ କରୁଛନ୍ତି । ଆମ ରାଜ୍ୟର ପ୍ରମୁଖ ମହାନଗର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ, ବ୍ରହ୍ମପୁର ଆଦିରେ ଖୋଲାଖୋଲି ଭାବେ ଏଭଳି ନକଲି ପନୀର୍‍ କାରବାର ହେଉଛି । ଗାଁ ଗହଳରୁ ଆରମ୍ଭ କରି ଅନ୍ୟସବୁ ସହର ବଜାରରେ ବି ନକଲି ପନୀର୍‍ ବ୍ୟାପକ ପରିମାଣରେ ବ୍ୟବହୃତ ହେଉଛି । ବିଶେଷକରି ବିବାହ ଋତୁରେ ଭୋଜିଭାତ ପାଇଁ ଏହା ଅଧିକ ପରିମାଣରେ ବ୍ୟବହାର କରାଯାଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର କହି ଆସୁଛନ୍ତି ଯେ ନକଲି ପନୀର୍‍ ସ୍ୱାସ୍ଥ୍ୟ ପ୍ରତି ଅତିମାତ୍ରାରେ କ୍ଷତିକାରକ । ଭୋଜିଭାତରେ, ହୋଟେଲ୍‍ରେ ଓ ଅନ୍ୟ ଫାଷ୍ଟଫୁଡ୍‍ ଦୋକାନମାନଙ୍କରେ ବିଭିନ୍ନ କିସମର ମସଲା ବ୍ୟବହାର କରି ଏହାକୁ ସ୍ୱାଦିଷ୍ଟ କରାଯାଇଥାଏ । ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଏହି ସିନ୍ଥେଟିକ୍‍ ପନୀର୍‍ ବର୍ଜନୀୟ ହୋଇଥିଲେ ମଧ୍ୟ ସରକାରୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ଯାଞ୍ଚକାରୀ ସଂସ୍ଥାମାନେ ଏ ଦିଗରେ ଆଖିବୁଜି ଦେଉଛନ୍ତି ।

କେବଳ ପନୀର୍‍ ନୁହେଁ, ରାଜ୍ୟରେ ବ୍ୟାପକ ପରିମାଣର ଅପମିଶ୍ରିତ ଦୁଗ୍ଧ, ଛେନା, ଦହି, ଘିଅ, ଲହୁଣି ଓ ଅନ୍ୟ ଦୁଗ୍ଧ ଜାତ ପଦାର୍ଥ ଖୋଲାଖୋଲି ଭାବେ ବିକ୍ରୟ କରାଯାଉଛି । ଏହା ସେବନ କରି ଶିଶୁମାନଙ୍କଠାରୁ ଆରମ୍ଭ କରି ଜରାଗ୍ରସ୍ତ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଥଚ ଅପମିଶ୍ରିତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀଗୁଡ଼ିକର ନିୟମିତ ଯାଞ୍ଚ କରାଯାଉ ନାହିଁ । ଅଭିଯୋଗ ହେଉଛି ଯେ ଲୁଗା ସଫା ପାଇଁ ବ୍ୟବହାର କରାଯାଉଥିବା ପାଉଡର୍‍, ଗୁଣ୍ଡ ଦୁଗ୍ଧ, ରିଫାଇନ୍‍ ତେଲ ଓ ଅନ୍ୟ ରାସାୟନିକ ସାମଗ୍ରୀ ଆଦିରୁ ସିନ୍ଥେଟିକ୍‍ ଦୁଗ୍ଧ ମଧ୍ୟ ପ୍ରସ୍ତୁତ ହେଉଛି । କେତେକ କ୍ଷେତ୍ରରେ ଦୁଗ୍ଧରେ ବି ଖୋଲାଖୋଲି ଭାବେ ରାସାୟନିକ ସାର ମିଶାଯାଉଥିବା ଜଣାପଡିଛି । ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ନିକଟ ଅତୀତରେ କଟକ ଉପକଣ୍ଠରେ ଏକ ପ୍ରତିଷ୍ଠିତ ଦୁଗ୍ଧ କମ୍ପାନୀ ନାମରେ ଆସିଥିବା ଟ୍ୟାଙ୍କର ବୋଝେଇ କ୍ଷୀର ସଂପୂର୍ଣ୍ଣ ନକଲି ବୋଲି ଜଣାପଡିବା ପରେ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ଅପମିଶ୍ରିତ ଦୁଗ୍ଧକୁ ନଷ୍ଟ କରିଦିଆଯାଇଥିଲା । ଅଥଚ ରାଜଧାନୀଠାରୁ ଆରମ୍ଭ କରି ଚାରିଆଡ଼େ ଖୋଲାଖୋଲି ଭାବେ ଅପମିଶ୍ରିତ ଦୁଗ୍ଧ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କାରବାର ହେଉଛି । ଅନେକ କ୍ଷେତ୍ରରେ ପୋଡ଼ା ମୋବିଲ୍‍ ଓ ସେହିଭଳି ଅନ୍ୟ ତୈଳାକ୍ତ କିମ୍ବା ଚର୍ବିଯୁକ୍ତ ସାମଗ୍ରୀକୁ ବ୍ୟବହାର କରି ନକଲି ଘିଅ ମଧ୍ୟ ପ୍ରସ୍ତୁତ ହେଉଛି । ମଝିରେ ମଝିରେ କେଉଁଠି କେଉଁଠି ଏହି ନକଲି ଘିଅ ଜବତ ହେଉଥିଲେ ମଧ୍ୟ ଖାଉଟିଙ୍କଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଏହା ଖୋଲାଖୋଲି ଭାବେ ବ୍ୟବହାର କରାଯାଉଛି ।(ତଥ୍ୟ)