Home News in Odia ବସ୍ ପାଇଁ ରାଜଧାନୀରେ ଲେନ୍‌ ବ୍ୟବସ୍ଥା

ବସ୍ ପାଇଁ ରାଜଧାନୀରେ ଲେନ୍‌ ବ୍ୟବସ୍ଥା

ଭୁବନେଶ୍ୱର : ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ଉତ୍ସର୍ଗୀକୃତ ବସ୍ ଲେନ୍‌ ବ୍ୟବସ୍ଥା ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏ ସମ୍ପର୍କରେ ଆଜି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ସିଦ୍ଦିକ୍ ଆଲମ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ସମେତ ଅତିରିକ୍ତ ଡିସିପି (ଟ୍ରାଫିକ୍), ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆର୍‌ ଆଣ୍ଡ୍ ବି, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଓ ବିଏମ୍‌ସିର ଅଧିକାରୀମାନେ ଯୋଗଦେଇଥିଲେ।

ବର୍ତ୍ତମାନ ମିଶ୍ରିତ ଯାତାୟାତ ଯୋଗୁଁ ପ୍ରତି ମାସରେ ପ୍ରାୟ ୧,୨୦୦ରୁ ୧,୫୦୦ଟି ବସ୍ ଟ୍ରିପ୍ ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। ଟ୍ରାଫିକ୍ ସମ୍ବନ୍ଧୀୟ ବାତିଲ୍ ଯୋଗୁଁ ପ୍ରାୟ ୧୬ ପ୍ରତିଶତ ଟ୍ରିପ୍ ହ୍ରାସ ହେଉଥିବା ସହ ବସ୍‌ଗୁଡ଼ିକର ଯାତ୍ରା ସମୟରେ ମଧ୍ୟ ଉଲ୍ଲେଖନୀୟ ଅନିୟମିତତା ଦେଖାଦେଉଛି

କ୍ରୁଟ୍ ପକ୍ଷରୁ ଟ୍ରାଫିକ୍ ପୁଲିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ଦୁଇଟି ଲେନ୍ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ – ୧୮ କିମି ଓ ବାଣୀବିହାର–ଶିଶୁ ଭବନ– ୫ କିମି । ବିମାନବନ୍ଦର–ନନ୍ଦନକାନନ ଲେନ୍ ସହରର ପ୍ରମୁଖ ପ୍ରଶାସନିକ, ଶିକ୍ଷା, ବାଣିଜ୍ୟିକ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି। ଏହି କରିଡରରେ ୩୪ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରମୁଖ ରୁଟ୍‌ଗୁଡ଼ିକରେ ପ୍ରତିଦିନ ହାରାହାରି ପ୍ରାୟ ୯ରୁ ୧୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।

ସେହିପରି ବାଣୀବିହାର–ଶିଶୁ ଭବନ  ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ରାମ ମନ୍ଦିର ଓ ଭୁବନେଶ୍ୱର ରେଳ ଷ୍ଟେସନ୍ ଅଞ୍ଚଳ ସମେତ ପ୍ରମୁଖ ବାଣିଜ୍ୟିକ ଓ ଶିକ୍ଷାନୁଷ୍ଠାନମାନ ରହିଛି । ଏହି ଲେନରେ ୧୫ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରତିଦିନ ପ୍ରାୟ ୫,୦୦୦ରୁ ୬,୫୦୦ ଯାତ୍ରୀ ଯାତାୟାତ କରୁଛନ୍ତି।

ପାଇଲଟ୍ ପର୍ଯ୍ୟାୟରେ କଠୋର ଭାବେ ଭୌତିକ ବିଭାଜନ କରିବା ପରିବର୍ତ୍ତେ ନମନୀୟ କର୍ବ-ସାଇଡ୍ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା ଆପଣାଯିବ। ଏହା ଦ୍ୱାରା ସାଧାରଣ ଯାତାୟାତରେ ସର୍ବନିମ୍ନ ବାଧା ସୃଷ୍ଟି କରି ବସ୍ ଚଳାଚଳରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି। ପ୍ରସ୍ତୁତି ପର୍ଯ୍ୟାୟ ପ୍ରାୟ ୧୦ରୁ ୧୨ ସପ୍ତାହ ଧରି ଚାଲିବ।