ଭୁବନେଶ୍ୱର : ସାଂପ୍ରତିକ କୋଭିଡ୍ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନାମାନଙ୍କରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ବିଶେଷ ଭାବେ ଡାକ୍ତରଖାନାରେ ଉପଲବ୍ଧ ଥିବା ଶଯ୍ୟା, ଚିକିତ୍ସିତ ରୋଗୀମାନଙ୍କ ସଂପର୍କରେ ସୁଚନା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି ।
କୋଭିଡ୍ ୱାର୍ଡରେ ସଂକ୍ରମଣର ଭୟଭୟତା ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ଏମ୍ସ, ଭୂବନେଶ୍ୱର ପ୍ରଶାସନ ତରଫରୁ ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦିଷ୍ଟରେ ୪ଟି ସେବା ଆରମ୍ଭ କରାଯାଇଛି ।
ସେଗୁଡିକ ହେଲା ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସଂପର୍କରେ ସୁଚନା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ (୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି । ଏହା ନିରନ୍ତର ଭାବେ ୨୪ଘଣ୍ଟା କାର୍ଯ୍ୟ କରିବ ।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟମିତ ଭାବେ ସୁଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ସଂପର୍କୀୟମାନେ ଏମ୍ସ, ଭୂବନେଶ୍ୱରର ୱେବ୍ସାଇଟରେ ରୋଗୀଙ୍କ ସିଆର୍ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୁଚନା ପାଇପାରିବେ ।
ରୋଗୀଙ୍କ ସଂପର୍କୀୟମାନେ ୭୬୫୫୦-୭୩୦୨୭ ନମ୍ବରକୁ କଲ୍ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଓ ସେବା ସଂପର୍କରେ ସୁଚନା ପାଇବା ପାଇଁ ଟେଲିନର୍ସିଂ ସେବା ଏମ୍ସ, ଭୂବନେଶ୍ୱର କତୃପକ୍ଷଙ୍କ ତରଫରୁ ପ୍ରଦାନ କରାଯାଉଛି ।
କୋଭିଡ୍ ସଂପର୍କରେ ନିରନ୍ତର ଭାବେ ୨୪ଙ୍ଘ୭ ସହାୟତା ଯୋଗାଇ ଦେବା ପାଇଁ ହସପିଟାଲ କତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର କୋଭିଡ୍ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି । ସାଧାରଣ ଜନତାମାନେ ୮୨୮୦୩-୪୬୬୮୪ ନମ୍ବରରେ କଲ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ ।
ରୋଗୀ ଏବଂ ତାଙ୍କ ସଂପର୍କୀମାନଙ୍କୁ ସୁଚନା ଓ ସହାୟତା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪ ଘଂଟିଆ ଏକ ହେଲ୍ପ ଡେସ୍କ ଏବଂ କଂଟ୍ରୋଲ ରୁମ ଖୋଲାଯାଇ ନିରନ୍ତର ଭାବେ ସୁଚନା ପ୍ରଦାନ କରାଯାଉଛି ।
ଏହା ବ୍ୟତୀତ ଅଣ କୋଭିଡ୍ ରୋଗୀମାନଙ୍କ ପାଇଁ ‘ଟେଲିମେଡିସିନ ସ୍ୱାସ୍ଥ୍ୟ ଆପ୍’ ଏବଂ ‘ଟେଲିମେଡିସିନ ବର୍ହିବିଭାଗ (ଓପିଡି)’ ଜରିଆରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସଂପର୍କରେ ସୁଚନା ଓ ସେବା ପ୍ରଦାନ କରାଯାଉଛି ।
କୋଭିଡ୍ କଟକଣା ଓ ଗାଇଡ୍ଲାଇନକୁ ପାଳନ କରାଯାଇ ହସପିଟାଲ ତରଫରୁ ରୋଗୀଙ୍କ ସଂପର୍କୀୟ / ଆଟେଂଣ୍ଡାଂଟ ମାନଙ୍କୁ (ସେଲ୍ଫ କାଟେରିଙ୍ଗ ଜରିଆରେ) ନିଶୁଳ୍କ ଭୋଜନ ପ୍ରଦାନ କରାଯାଉଛି । କୋଭିଡ୍ ମହାମାରୀ ପ୍ରାରମ୍ଭରୁ ଅଦ୍ୟାବିଧି କୋଭିଡ୍ ୱାର୍ଡ / ଆସିୟୁ ୱାର୍ଡ / ସାରି ୱାର୍ଡରେ ୫୦୦୦ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି ।
ଏହା ସହିତ କୋଭିଡ୍ ସ୍କ୍ରିନିଂ ସେଂଟରରେ ୫୦,୦୦୦ରୁ ଉର୍ଦ୍ଧ୍ୱ ପରିକ୍ଷଣ ସରିଥିବାବେଳେ ୧,୧୦,୦୦୦ରୁ ଉର୍ଦ୍ଧ୍ୱ ଆରଟିପିସିଆର ଟେଷ୍ଟ ହୋଇସାରିଛି । ୨୭,୦୦୦ ରୁ ଉର୍ଦ୍ଧ୍ୱ କୋଭିଡ୍ ଟୀକା ପ୍ରଦାନ କରାଯାଇସାରିଛି । ‘କୋଭିଡ୍ ଆପ୍ରୋପ୍ରିଏଟ ବ୍ୟବହାର’ ଜରିଆରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ସଂପର୍କରେ ସଚେତନ କରାଯାଇଛି ।