Home General ଜମିଜମା ଚକବନ୍ଦୀ କେବେ ?

ଜମିଜମା ଚକବନ୍ଦୀ କେବେ ?

ଭୁବନେଶ୍ୱର : ଅଶୀ ଦଶକରେ ରାଜ୍ୟରେ ହୋଇଥିବା ଚକବନ୍ଦୀରେ ଚାଷଜମିଗୁଡିକର ଚକ ହୋଇଥିବାବେଳେ ଏବେ ତାହା ପୁଣିଥରେ ଭାଗ ଭାଗ ହୋଇଗଲାଣି । ଚାଷୀମାନେ ଜମି ବିକ୍ରି କରିବା ଯୋଗୁଁ ଖଣ୍ଡ ଖଣ୍ଡ ହୋଇଥିବା ଏହି ଜମି ଚାଷବାସ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି ।

ବିଷିପ୍ତ ଅବସ୍ଥାରେ ଥିବା ଚାଷୀଙ୍କ ଜମିକୁ ଗୋଟିଏ ସ୍ଥାନକୁ ଆଣିବାପାଇଁ ଚକବନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା । ଜମିର ଆୟତନ, ଅଞ୍ଚଳ ଓ କିସମ ଆଦିକୁ ହିସାବକୁ ନେଇ ଚାଷୀଙ୍କ ଜମିକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରଖାଯାଇଥିଲା । ଏହା ଫଳରେ ହଳ କରିବା ଠାରୁ ଆରମ୍ଭକରି ଫସଲ ଅମଳ ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ସବୁକିଛି ସହଜ ହୋଇଥିଲା । ଗୋଟିଏ ସ୍ଥାନରେ ଜମି ଥିବାରୁ ଚାଷୀମାନଙ୍କୁ କମ୍‍ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।

ଇତି ମଧ୍ୟରେ ତିନି ଦଶନ୍ଧି ବିତି ଯାଇଥିବାବେଳେ ବହୁ ଜମି ମାଲିକ ନିଜ ନିଜର ଚାଷଜମିକୁ ବିକ୍ରି କରିଦେଇଛନ୍ତି । ପାରିବାରିକ ବିବାଦ ଯୋଗୁଁ ବି ଜମି ଭାଗ ହୋଇଛି । ଫଳରେ ଚାଷୀମାନଙ୍କର ଜମି ପୁଣିଥରେ ଗୋଟିଏ ଅଞ୍ଚଳରେ ବିକ୍ଷିପ୍ତ ଅବସ୍ଥାରେ ରହିଛି । ଚକବନ୍ଦୀ ପୂର୍ବରୁ ଚାଷୀମାନେ ଯେଭଳି ହଳ କରିବା, ତଳି ବୁଣିବା, ରୁଆ, ବେଉଷଣ ସହିତ ଫସଲ ଅମଳ ପାଇଁ ଧାଁ ଧଉଡ କରୁଥିଲେ ଏବେ ପୁଣିଥରେ ସେହି ଅବସ୍ଥାକୁ ଫେରିଛନ୍ତି ।

ତେବେ ସମସ୍ୟାଟି ହେଉଛି ଏବେ ଗାଁ ଗହଳରେ ହଳ ଲଙ୍ଗଳ ନଥିବାକୁ ବହୁ ଚାଷ ଜମି ପଡିଆ ପଡିବାରେ ଲାଗିଛି । କାରଣ ଚାଷୀମାନଙ୍କର ବିଭିନ୍ନ ସ୍ଥାନରେ ଜମି ଥିବା ଯୋଗୁଁ ସେମାନେ ସେହିସବୁ ସ୍ଥାନକୁ ଟ୍ରାକ୍ଟର ନେଇ ହଳ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଯେଉଁଠାରେ ଚାଷୀମାନେ ଆଗୁଆ ଧାନ ରୋଇ ଦେଉଛନ୍ତି ସେହି ବାଟ ଦେଇ ଆଉ ଟ୍ରାକ୍ଟର ଗହିରକୁ ପଶିପାରୁ ନାହିଁ । ପୂର୍ବରୁ ହଳ ଲଙ୍ଗଳ ଥିବାରୁ ଚାଷୀଟି ବିଲ ହୁଡାରେ ଲଙ୍ଗଳ ସହିତ ବଳଦ ଧରି ନିଜ ବିଲରେ ପ୍ରବେଶ କରୁଥିଲା ଓ ତାହାକୁ ହଳ କରିପାରୁଥିଲା । ଏବେ ତାହା ଆଉ ସମ୍ଭବ ହୋଇପାରୁ ନାହିଁ । ବହୁ ସ୍ଥାନରେ ଚାଷୀମାନେ ବିଲକୁ ହାଣି ଚାଷ କରୁଛନ୍ତି ନହେଲେ ସେମିତି ପଡିଆ ପଡୁଛି ।

ଜମିଜମାର ଚକବନ୍ଦୀ ନିୟମିତ ବ୍ୟବଧାନରେ ହେବା ସହିତ ଚକ ହେଉଥିବା ଜମିର ବିକ୍ରି ପାଇଁ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟହେବା ଆବଶ୍ୟକ । ଏହା ନହେଲେ ବ୍ୟାପକ ଅର୍ଥ ବ୍ୟୟ ଓ ପ୍ରଶାସନିକ କସରତରେ ହେଉଥିବା ଚକବନ୍ଦୀରୁ ଚାଷୀମାନେ ସେଭଳି ଫାଇଦା ପାଇବେ ନାହିଁ । ତେଣୁ ପ୍ରାୟ ତିନି ଦଶନ୍ଧି ତଳେ ହୋଇଥିବା ଚକବନ୍ଦୀ ଏକ ପ୍ରକାର ଅକାମୀ ହୋଇଯାଇଥିବାବେଳେ ପୁଣିଥରେ ଏହା ଆରମ୍ଭ କରିବା ସହିତ ଜମିର ଚକ କରିବାକୁ ମତପ୍ରକାଶ ପାଉଛି । ଏହା କରାଗଲେ କେବଳ ଚାଷୀମାନଙ୍କର ଖର୍ଚ୍ଚ କମିବ ନାହିଁ, ଫସଲ ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟ ଅର୍ଥନୀତିକୁ ଏହା ବଳ ଦେବ । (ତଥ୍ୟ)