ଭୁବନେଶ୍ୱର : ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିନରେ ରାଜ୍ୟ ସରକାର ୭୬ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି ।
ପ୍ରଧାନମନ୍ତ୍ରୀଙ୍କର ୭୫ତମ ଜନ୍ମଦିନରେ ଗତବର୍ଷ ଓଡିଶା ସରକାର ‘ଏକ ପେଡ୍ ମା କି ନାମ୍’ ଯୋଜନାରେ ବୃକ୍ଷରୋପଣ କରି ସାରା ଦେଶରେ ରେକର୍ଡ କରିଥିଲେ । ସରକାର ୭୫ଲକ୍ଷ ବୃକ୍ଷରୋପଣର ଲକ୍ଷ୍ୟ ରଖିଥିବାବେଳେ ପ୍ରାୟ ଦେଢ କୋଟି ଗଛ ଲଗାଯାଇଥିଲା । ଏହା ସମଗ୍ର ଦେଶରେ ଥିଲା ସର୍ବାଧିକ । ଏଥିରେ ରାଜ୍ୟର ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ ।
ଚଳିତବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୭୬ତମ ଜନ୍ମ ଦିନରେ ୭୬ଲକ୍ଷ ଗଛ ଲଗାଇବାପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗତବର୍ଷ ଭଳି ଚଳିତବର୍ଷ ଯେଭଳି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଲୋକେ ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ବିଶେଷକରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେବେ ସେଥିପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ପଡୁଥିବାରୁ ସେହିଦିନ ଠାରୁ ସମଗ୍ର ରାଜ୍ୟରେ ବୃକ୍ଷରୋପଣ କରାଯିବ । ଏହି ସମୟର ପାଣିପାଗ ଗଛ ଲଗାଇବାପାଇଁ ଅନୁକୂଳ ହୋଇଥିବାରୁ ଅଧିକରୁ ଅଧିକ ଗଛ ଲଗାଇବାପାଇଁ ଯୋଜନା ହୋଇଛି । ତେବେ ସେଥିପାଇଁ ଚାରା ପ୍ରସ୍ତୁତ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛି । ରାଜ୍ୟରେ ଥିବା ସମସ୍ତ ସରକାରୀ ନର୍ସରୀ ସହିତ ବେସରକାରୀ ନର୍ସରୀଗୁଡିକରେ ଯେଭଳି ଅଧିକରୁ ଅଧିକ ଚାରା ଉତ୍ପାଦନ ହୋଇପାରିବ ତାହା ଉପରେ ଜୋର ଦିଆଯାଉଛି ।
ସବୁଜ ବଳୟ ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବୃକ୍ଷରୋପଣ କରୁଛନ୍ତି । ଏଥି ମଧ୍ୟରେ ସବୁଜ ମହାନଦୀ ଯୋଜନା ଠାରୁ ଆରମ୍ଭ କରି କାମ୍ପା ଓ ଏମଜିନରେଗା ଆଦି ଯୋଜନାରେ ବୃକ୍ଷରୋପଣ ହେଉଛି । ଏହାବାଦ୍ ଶିଳ୍ପସଂସ୍ଥା ଓ ଖଣି କମ୍ପାନୀଗୁଡିକ ମଧ୍ୟ କ୍ଷତିପୂରକ ବନୀକରଣ ଯୋଜନାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରୁଛନ୍ତି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ରାଜ୍ୟ ସରକାର ଏହାକୁ ସ୍ମରଣୀୟ କରିବାପାଇଁ ୭୫ଲକ୍ଷ ଗଛ ଲଗାଇବାସକାଶେ ଗତବର୍ଷ ଯେଉଁ ଯୋଜନା କରିଥିଲେ ସେଥିରେ ସ୍ୱତଃସ୍ପୁର୍ତ୍ତ ଭାବେ ଲୋକେ ଅଂଶଗ୍ରହଣ କରିବା ଫଳରେ ପାଖାପାଖି ଦେଢ କୋଟି ବୃକ୍ଷରୋପଣ ହୋଇପାରିଥିଲା । ଚଳିତବର୍ଷ ଅନୁରୂପ ଅଭିଯାନ ଚଳାଯିବା ସହିତ ଏହାକୁ ସଫଳ କରି ଓଡିଶା ପୁଣିଥରେ ଦେଶର ଦୃଷ୍ଟି ଆକର୍ଷଣ କରିବାର ଲକ୍ଷ୍ୟ ରଖିଛି । (ତଥ୍ୟ)

