Home Excise ଅବକାରୀ ମାମଲା ବଢୁଥିବାବେଳେ ଫଏସଲା କମୁଛି

ଅବକାରୀ ମାମଲା ବଢୁଥିବାବେଳେ ଫଏସଲା କମୁଛି

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଦାଲତରେ ଅବକାରୀ ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢି ଚାଲୁଥିବାବେଳେ ଚୋରା ନିଶା ଭଳି ସାଂଘାତିକ ଅଭିଯୋଗର ବିଚାର ଲାଗି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ନଥିବାରୁ ଅବକାରୀ ମାମଲାଗୁଡିକର ଫଏସଲାରେ ବିଳମ୍ବ ଘଟୁଛି । ଏହାର ପରିମାଣ ସ୍ୱରୂପ ଦଣ୍ଡବିଧାନ ହାର ଅତି ନଗଣ୍ୟ ହେଉଥିବାରୁ ଚୋରା ନିଶା ବେପାରୀମାନେ ବ୍ୟବସ୍ଥାକୁ ଡରୁ ନାହାନ୍ତି ।

ସରକାରୀ ତଥ୍ୟ ମୁତାବକ ୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ ୫ବର୍ଷ ଭିତରେ ଓଡିଶାର ବିଭିନ୍ନ ଆଇନ୍‍ ଅଦାଲତରେ ୩,୧୮,୭୭୦ ଅବକାରୀ ମାମଲା ବିଚାର ପାଇଁ ଥିବାବେଳେ ଏଥିରୁ ମାତ୍ର ୨୨୦ଟିରେ ଦଣ୍ଡବିଧାନ ହୋଇଥିଲା ଏବଂ ୫୭,୬୮୬ଟି ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ । ଯେତିକିଟି ମାମଲାରେ ଦଣ୍ଡବିଧାନ ହୋଇଥିଲା ସେଥିରୁ ଅଧିକାଂଶରେ ଦଣ୍ଡିତ ବ୍ୟକ୍ତିମାନେ ଉପର ଅଦାଲତରେ ଅପିଲ କରିବା ଫଳରେ ସେହି ମାମଲାଗୁଡିକର ବିଚାର କେବେ ଶେଷ ହେବ ସେ ସଂକ୍ରାନ୍ତରେ କେହି କିଛି କହିପାରୁ ନାହାନ୍ତି ।

ସରକାରୀ ପ୍ରଦତ୍ତ ତଥ୍ୟ ମୁତାବକ ଉପରୋକ୍ତ ପାଞ୍ଚବର୍ଷରେ ମୋଟ୍‍ ମାମଲାର ମାତ୍ର ୧୮.୧୬ ପ୍ରତିଶତ ଫଏସଲା ହୋଇଥିବାବେଳେ ଯେତିକିଟି ମାମଲା ଫଏସଲା ହୋଇଛି ତହିଁରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍‍ ରହୁଛି । ଏହା ଅବକାରୀ ପ୍ରଶାସନ ପାଇଁ ଏକ ବଡ ଆହ୍ୱାନ ବୋଲି କୁହାଯାଉଛି । ଗୋଟିଏ ପଟେ ରାଜ୍ୟରେ ମଦ ସମେତ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟ ଚୋରା ନିଶା ସାମଗ୍ରୀର କାରବାର ବୃଦ୍ଧି ପାଉଥିବା ଘେନି ବିଭିନ୍ନ ମହଲରୁ ବାରମ୍ବାର ଉଦବେଗ ପ୍ରକାଶ ପାଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନିଶାମୁକ୍ତ ଭାରତ ଅଭିଯାନରେ ଓଡିଶାର ୩୦ଟି ଯାକ ଜିଲ୍ଲାକୁ ୨୦୨୦ ମସିହାରୁ ସାମିଲ କରାଯାଇଥିଲେ ମଧ୍ୟ ଇତି ମଧ୍ୟରେ ନିଶା କାରବାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।

ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ବିଳମ୍ବିତ ବିଚାର ପ୍ରକ୍ରିୟା, ତଦନ୍ତରେ ତ୍ରୁଟି, ଠିକଣା ସମୟରେ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରାନଯିବା, ଚୋରା ନିଶା କାରବାରରେ ଲିପ୍ତ ବ୍ୟକ୍ତିମାନେ ଜାମିନରେ ଯାଇ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା, ଜବତ ଚୋରା ନିଶା ସାମଗ୍ରୀର ବିଜ୍ଞାନଗାରରେ ଠିକଣା ପରୀକ୍ଷା ଓ ଏହାର ଉପଯୁକ୍ତ ସଂରକ୍ଷଣ କରାନଯିବା, ଏମିତିକି ବିଳମ୍ବ କାରଣରୁ ଅନେକ କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀମାନେ ମଧ୍ୟ ଅଦାଲତରେ ବୟାନ ଦେବାକୁ ଠିକଣା ସମୟରେ ନଆସିବା ଆଦି ବିଭିନ୍ନ କାରଣରୁ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି ।

ଅନ୍ୟ ପକ୍ଷରେ ନିଶାମୁକ୍ତି କ୍ଷେତ୍ରରେ ଦୀର୍ଘବର୍ଷ ଧରି କାମ କରୁଥିବା ସମାଜସେବୀମାନେ କହୁଛନ୍ତି ଯେ ଚୋରା ନିଶା ବେପାରୀଙ୍କ ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ରହୁଥିବାରୁ ମୁଖ୍ୟ ଅଭିଯୁକ୍ତ ନିଜେ ଧରାନଦେଇ ବଦଳିଆ ଅଭିଯୁକ୍ତ ଗିରଫ କରାଇବାରେ ସହଯୋଗ କରୁଛନ୍ତି । ଫଳରେ ଚୋରା ନିଶା କାରବାର ବେଧଡକଭାବେ ଚାଲୁଛି । ଏମିତିକି ଅତୀରେ ବହୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଅପମିଶ୍ରିତ ଓ ବେଆଇନ୍‍ ନିଶା ସାମଗ୍ରୀ ମଧ୍ୟ ଅବକାରୀ ବିଭାଗ ଜବତ କରିଥିବାର ନଜିର ରହିଛି । କ୍ଷେତ୍ର ବିଶେଷରେ ଅବକାରୀ ମାମଲା ତିନି ଦଶନ୍ଧିରୁ ଅଧିକ ସମୟ ଧରି ଗଡିଛି ।

୨୦୨୪-୨୫ ବର୍ଷରେ ମାତ୍ର ୮ଟି ଅବକାରୀ ମାମଲାରେ ସାରା ରାଜ୍ୟରେ ଦଣ୍ଡବିଧାନ ହୋଇଥିବାବେଳେ ୧୧,୨୯୪ଟି ମାମଲାରେ ଅଭିଯୁକ୍ତ ଖସିଯିବା ଘଟଣାରୁ ଅବକାରୀ ମାମଲାର ଦୁର୍ବଳ ପରିଚାଳନା ଜଳ ଜଳ ହୋଇ ଦିଶୁଛି । ଉକ୍ତ ବର୍ଷରେ ରାଜ୍ୟର ଅନେକ ଅବକାରୀ ଜିଲ୍ଲାରେ ଗୋଟିଏ ହେଲେ ମାମଲାରେ ମଧ୍ୟ ଦଣ୍ଡବିଧାନ କରାଯାଇ ପାରିନାହିଁ । କେବଳ ନୟାଗଡ ଅବକାରୀ ଜିଲ୍ଲାରେ ଗୋଟିଏ ମାମଲାରେ ଦଣ୍ଡବିଧାନ କରାଯାଇଥିବାବେଳେ ମୟୁରଭଞ୍ଜରେ ଗୋଟିଏ, ବଲାଙ୍ଗିରରେ ୬ଟି ମାମଲାରେ ଦଣ୍ଡବିଧାନ କରାଯାଇଥିଲା । ଅନ୍ୟ କୌଣସି ଅବକାରୀ ଜିଲ୍ଲାରେ ଏହି ବର୍ଷରେ ଗୋଟିଏ ହେଲେ ଅବକାରୀ ମାମଲାରେ କେହି ଦଣ୍ଡିତ ହୋଇନାହାନ୍ତି । (ତଥ୍ୟ)