Home News in Odia ଘରୋଇ ପରମାଣୁ ଶକ୍ତି କେନ୍ଦ୍ରକୁ ବିରୋଧ

ଘରୋଇ ପରମାଣୁ ଶକ୍ତି କେନ୍ଦ୍ରକୁ ବିରୋଧ

ଭୁବନେଶ୍ୱର : ରାଜ୍ୟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତାବ ହୋଇଛି । କମ୍ପାନୀ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଆଲୋଚନା କରାଯାଇଛି । ଏହି ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ଯୋଜନା ଥିବାବେଳେ ପରମାଣୁ ଶକ୍ତିକୁ ଘରୋଇକରଣ କରିବାକୁ ବିଜେପି ସରକାର ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଓଡ଼ିଶାରେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ହେବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବ । ଡବଲ ଇଞ୍ଜିନ ସରକାର ଘରୋଇ କମ୍ପାନୀ ମୋହରେ ପଡ଼ି ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ଆଖି ବୁଜିଦେଇଛନ୍ତି । ଉକ୍ତ ଘରୋଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବା ନେଇ ପ୍ରସ୍ତାବ ରହିଛି ।

ପରମାଣୁ କିମ୍ବା ଏଟୋମିକ୍ ଏନର୍ଜି କଥା ଉଠିଲେ ମନରେ ଭୟ ସୃଷ୍ଟି ହୁଏ । ୧୯୪୫ ମସିହାରେ ପରମାଣୁ ବିସ୍ଫୋରଣ ଯୋଗୁଁ ଜାପାନର ହିରୋସୀମା ଓ ନାଗାସାକି ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା । ୧୯୮୬ରେ ଚେନୋବିଲ ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ଘଟିଥିବା ବେଳେ ୨୦୧୧ରେ ଫୁକୁସୀମା ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ସ୍ଥାନୀୟ ସରକାର ଆଜି ପର୍ଯ୍ୟନ୍ତ ଭରଣା କରିପାରି ନାହାନ୍ତି ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ପରମାଣୁ ଶକ୍ତି ବିପଦପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ଦେଶମାନଙ୍କରେ ପରମାଣୁ ଶକ୍ତିକୁ ସରକାର ନିଜ ମାଲିକାନାରେ ରଖିଥାନ୍ତି, କୌଣସି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରନ୍ତି ନାହିଁ । କିନ୍ତୁ ବିଜେପି ସରକାରରେ ତାହାର ବିଚ୍ୟୁତି ଘଟି ପରମାଣୁ ଶକ୍ତିକୁ ଘରୋଇ କମ୍ପାନୀର ମାଲିକାନାକୁ ହସ୍ତାନ୍ତର କରାଯାଉଛି । ବିଜେପି ସରକାର ନିଜ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ଜୀବନ ପ୍ରତି ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ଚେନୋବିଲରେ ପରମାଣୁ ଶକ୍ତି ରିଆକ୍ଟର ଅଘଟଣକୁ ୫୦ ବର୍ଷ ପୂରି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କ୍ଷୟକ୍ଷତିର ଭରଣା ହୋଇପାରି ନାହିଁ ।

ତେବେ ଓଡ଼ିଶାକୁ ବିପଦ ମୁଁହକୁ ଠେଲି ଦେବାକୁ ବିଜେପି ସରକାର କାହିଁକି ଯୋଜନା କରୁଛନ୍ତି ? ବିଜେପି ସରକାର ଘରୋଇ କମ୍ପାନୀ ମୋହରେ ପଡି ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନା ନେଇ ଥିବା ନିୟମକୁ ପରିବର୍ତ୍ତନ କରିଛନ୍ତି । ଗତ ଡିସେମ୍ୱର ୨୦୨୫ରେ କେନ୍ଦ୍ର ସରକାର ପରମାଣୁ ଶକ୍ତିକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ ଯୋଜନା କରି ନୂତନ ନିୟମ ସଂସଦରେ ପାସ୍ କରିଥିଲେ, ଯାହାକୁ ନେଇ ଘରୋଇ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି । ଦେଶରେ ୮.୮ ଗିଗାୱାଟ୍ର ପରମାଣୁ ଶକ୍ତି ସରକାରଙ୍କ ମାଲିକାନାରେ ରହିଛି । ତାହାକୁ ୧୦୦ ଗିଗାୱାଟ୍ କରି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରାଇବା ଅତ୍ୟନ୍ତ ବିପଦ ।

ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଜାତୀୟ ସୁରକ୍ଷାକୁ କେବେ କୌଣସି ଘରୋଇ ସଂସ୍ଥାକୁ ଦିଆଯାଏ ନାହିଁ । କିନ୍ତୁ ବିଜେପି ସରକାର ଚକ୍ରାନ୍ତ କରି ପରମାଣୁ ଶକ୍ତି ପରି ଜାତୀୟ ସୁରକ୍ଷାକୁ ଘରୋଇକରଣ କରାଇବାକୁ ପ୍ରୟାସ କରୁଛନ୍ତି । ସଂସଦରେ ପ୍ରବଳ ବିରୋଧ ସତ୍ତ୍ୱେ ତରବରିଆ ଭାବେ ସରକାର ପରମାଣୁ ଶକ୍ତି ବିଲ୍ ଆଗତ କରି ଘରୋଇ ସଂସ୍ଥାକୁ ମାଲିକାନା ଟେକି ଦେବାକୁ ଯୋଜନା କରିଛନ୍ତି ।

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚାଲୁଛନ୍ତି । କେନ୍ଦ୍ରର ବିନା ନିର୍ଦ୍ଦେଶରେ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନେଇ ରାଜ୍ୟ ସରକାର ଲାଗି ପଡିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ପରମାଣୁ ଶକ୍ତିର ଭୟାବହତା ସମ୍ପର୍କରେ ବୋଧେ ଅବଗତ ନାହାନ୍ତି ? ଲୋକଙ୍କ ସରକାର ବୋଲାଉଥିବା ବିଜେପି ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଓଡ଼ିଶାରେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବା ଓ ତାହାକୁ ଘରୋଇକରଣ କାହିଁକି କରାଯାଉଛି, ତାହାର ଉତ୍ତର ମନ୍ତ୍ରୀ ରଖନ୍ତୁ । ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନା କରି ଓଡ଼ିଶାବାସୀଙ୍କୁ ମୃତ୍ୟୁ ମୁଖରେ ପକାଇବାରୁ କ୍ଷାନ୍ତ ରୁହନ୍ତୁ ରାଜ୍ୟ ବିଜେପି ସରକାର । ନଚେତ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।