Home Education ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’

ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’

ଭୁବନେଶ୍ୱର, ଅଗଷ୍ଟ ୩ : ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ସମାବେଶୀ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଚେନ୍ନାଇଠାରେ ‘ଆଲିସିପ୍‌++ ୨.୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ‘ପ୍ରାକ୍ଟିସିଂ ଆଲିସିପ୍‌’ ପ୍ରସଙ୍ଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଶିଳ୍ପପତି, ମାନବ ସମ୍ବଳ (ଏଚ୍‌ଆର୍‌) ବିଶେଷଜ୍ଞ, ଶିକ୍ଷାବିତ୍ ଏବଂ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ବିଶିଷ୍ଟ ଆଥଲେଟ୍‌, ପ୍ରସିଦ୍ଧ ଆଥଲେଟିକ୍ସ ପ୍ରଶିକ୍ଷକ ଏବଂ ପୂବର୍ତନ ଆନ୍ତର୍ଜାତିକ ସ୍ପ୍ରିଂଟର ପ୍ରେମାନନ୍ଦ ଜେ.ଙ୍କ ସହ ଏକ ‘ଫାୟାରସାଇଡ୍ ଚାଟ୍‌’ । ପ୍ୟାରିସ୍ ଅଲିଂପିକ୍ସ ପାଇଁ ଭାରତୀୟ ଜାତୀୟ ସ୍ପ୍ରିଂଟ ଦଳକୁ ପ୍ରଶିକ୍ଷଣ ଦେଇଥିବା ପ୍ରେମାନନ୍ଦ ନେତୃତ୍ୱ, ଦୃଢ଼ତା, ଅନୁଶାସନ ଏବଂ ପରାମର୍ଶ ଦାନର ପରିର୍ବତନଶୀଳ ଶକ୍ତି ସଂପର୍କରେ ନିଜର ଅଭିଜ୍ଞତା ବଖାଣିଥିଲେ ।

ଏଥି ସହିତ ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଗ୍ଲୋବାଲ୍ ହେଡ୍‌–କାପାବିଲିଟିଜ୍‌, ଟ୍ରାନ୍ସଫର୍ମେସନ୍ ଆଣ୍ଡ କଲ୍‌ଚର, ଶ୍ରୀମତି ଅର୍ଚ୍ଚନା ଗ୍ରୋଭରଙ୍କ ସଂଚାଳନାରେ ‘ସମାବେଶୀ ଓ ଭବିଷ୍ୟତ୍ ପ୍ରସ୍ତୁତ କାର୍ଯ୍ୟକ୍ଷେତ୍ର ଗଠନରେ ଆଲିସିପ୍‌ର ଭୂମିକା’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନାଚକ୍ରରେ ରକେଟ୍ ଇଣ୍ଡିଆର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ଶ୍ରୀମତି ସୁଗନ୍ୟା ବୀରରାଘବନ, ଫୁଡ୍‌ହବ୍‌ର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ସୁରେଶ ଆଦେ, ନର୍ଡେକ୍ସ ଗ୍ରୁପ୍‌ର ସିନିୟର ମ୍ୟାନେଜର ଶ୍ରୀମତି ଅର୍ଚ୍ଚନା ମୁକୁନ୍ଥନ, କାର୍‌ଟେକ୍‌ର ଗ୍ଲୋବାଲ୍ ଟ୍ୟାଲେଂଟ ହେଡ୍ ଶ୍ରୀ ଆର. କେ. ରାମଚନ୍ଦ୍ରନ୍ ଏବଂ ଏମ୍‌ଫାସିସ୍‌ର ଇଣ୍ଡିଆ କ୍ୟାଂପସ୍ ହେଡ୍ ଶ୍ରୀ ଏମ୍‌. ଡି. ଜୋଶୁଆ ଡେଭିଡ୍ ଅଂଶଗ୍ରହଣ କରିଥିଲେ ।

ଆଲୋଚନାରେ ଅଂଶଗ୍ରହଣକାରୀମାନେ ମତ ପ୍ରକାଶ କରିଥିଲେ ଯେ, ଆଲିସିପ୍ କେବଳ ଏକ ପଦକ୍ଷେପ ନୁହେଁ, ବରଂ ଏହା ଏକ ନେତୃତ୍ୱଗତ ଦାୟିତ୍ୱ, ଯାହା ସଂଗଠନ ମଧ୍ୟରେ ବିଶ୍ୱାସ ସୃଷ୍ଟି, ନବସୃଜନକୁ ପ୍ରୋତ୍ସାହନ ଏବଂ ଦୀର୍ଘସ୍ଥାୟୀ ସଫଳତାରେ ସହାୟକ ହୋଇଥାଏ ।

ଏହି ଅବସରରେ ଉପସ୍ଥିତ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୋଆର କର୍ପୋରେଟ୍ ରିଲେସନ୍ସ ଆଣ୍ଡ ପ୍ଲେସମେଂଟ ଡିନ୍ ଡ଼କ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ଷେତ୍ରର ସଂସ୍କୃତି ଓ ଦୈନନ୍ଦିନ ନେତୃତ୍ୱରେ ଆଲିସିପ୍‌ର ମୂଲ୍ୟବୋଧକୁ ସାମିଲ କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୋଆ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଫଳପ୍ରଦ ସହଯୋଗକୁ ସୁଦୃଢ଼ କରିବା ସହ ସମାବେଶୀ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ବ୍ୟକ୍ତ କରିଛି ।