ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋନା କରିଛି ବିଜୁ ଜନତା ଦଳ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା ରଥଯାତ୍ରାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।
ଶ୍ରୀ ଦାସବର୍ମା କହିଥିଲେ ଯେ, ରଥଯାତ୍ରାରେ ବାରମ୍ବାର ଅବ୍ୟବସ୍ଥା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ଗତ ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଆହତ ହୋଇଥିଲେ । ପୁଣି ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ଆହତ ହୋଇଛନ୍ତି । ଏତେ ପରେ ବି ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରୁନାହାଁନ୍ତି ।
ରଥଯାତ୍ରା ସମୟରେ ଦଳାଚକଟାରେ ମୃତ୍ୟୁକୁ ରାଜ୍ୟ ସରକାର ସ୍ୱୀକାର କରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମୁଖା ଖୋଲିଦେଇଛି । ରଥଯାତ୍ରା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ମୃତ୍ୟୁକୁ ନେଇ ମିଛ କହିଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ଅସମର୍ଥ । ରଥଯାତ୍ରାରେ ମହାପ୍ରଭୁଙ୍କ ନିକଟରେ ସେବାୟତ ରହିବା ନେଇ ପୂର୍ବ ନିଷ୍ପତ୍ତି ଠାରୁ ଅଧିକ ସେବାୟତ ରହିଲେ । ରଥଯାତ୍ରା ଆରମ୍ଭରୁ ଅଘଟଣ ଘଟିଲା । ମହାପ୍ରଭୁଙ୍କ ପହଣ୍ଡି ବିଜେ ବେଳେ ଟାହିଆ ନଥିଲା । ଏହାପରେ ଦଳାଚକଟା ଘଟି ଶ୍ରଦ୍ଧାଳୁଙ୍କ ପ୍ରାଣ ହାନୀ ଘଟିଲା । ବାହୁଡା ଯାତ୍ରାରେ ମଧ୍ୟ ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା ।
ବିଜେପି ସରକାରର ଦାୟିତ୍ୱହୀନତା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି । ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ରଥଯାତ୍ରାକୁ ଆସି ଶବ ହୋଇ ଘରକୁ ଫେରୁଛନ୍ତି ଶ୍ରଦ୍ଧାଳୁ । ସୁନାବେଶ ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଅସମ୍ଭାଳ ଭିଡ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସରକାରଙ୍କ ତ୍ରୁଟି ପାଇଁ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅତିଷ୍ଠ ହୋଇପଡ଼ିଲେଣି । ତେଣୁ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ସେ କହିଛନ୍ତି।

