ଭୁବନେଶ୍ୱର : ଓଡିଶା ପାଇଁ ୧୧୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ମାତ୍ର ୪୭ରେ ପାଠପଢା ହେଉଛି । ୬୨ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କରିଥିବାବେଳେ ଆଉ ୫୨ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି । ରାଜ୍ୟରେ ଏକଲବ୍ୟ ବିଦ୍ୟାଳୟର ନିର୍ମାଣର ଅବସ୍ଥିତି ସଂକ୍ରାନ୍ତରେ ବିଜପି ସାଂସଦ ସୁଜିତ କୁମାର ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାଶ ଉଇକେ ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ୧୮ଟି ଜିଲ୍ଲାପାଇଁ ୧୧୪ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ସର୍ବାଧିକ ୨୩ଟି ବିଦ୍ୟାଳୟ ମୟୁରଭଞ୍ଜ ଜିଲ୍ଲାପାଇଁ ରହିଛି । ବର୍ତ୍ତମାନ ସୁଦ୍ଧା ଏଥିରୁ ୧୩ଟି ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ୧୭ଟି ବିଦ୍ୟାଳୟର ନିର୍ମାଣକାର୍ଯ୍ୟ ସରିଛି ଏବଂ ୬ଟି ବିଦ୍ୟାଳୟର ନିର୍ମାଣକାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେହିଭଳି ସୁନ୍ଦରଗଡ ଜିଲ୍ଲାପାଇଁ ୧୬ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ କୋରାପୁଟ ପାଇଁ ୧୨ଟି ଏବଂ କେନ୍ଦୁଝର ଓ କନ୍ଧମାଳ ପାଇଁ ୧୦ଟି କରି ବିଦ୍ୟାଳୟ ରହିଛି ।
ମାଲକାନଗିରି ଜିଲ୍ଲାପାଇଁ କେନ୍ଦ୍ର ସରକାର ୬ଟି ଏକଲବ୍ୟ ବିଦ୍ୟାଳୟ ମଞ୍ଜୁର ହୋଇଥିବାବେଳେ ଗଜପତି ପାଇଁ ୫ଟି, ରାୟଗଡା ପାଇଁ ୯ଟି, ନବରନଙ୍ଗପୁର ପାଇଁ ୮ଟି, ସମ୍ବଲପୁର ପାଇଁ ୪ଟି, କଳାହାଣ୍ଡି, ଯାଜପୁର ଓ ଝାରସୁଗୁଡା ପାଇଁ ୨ଟି କରି, ନୂଆପଡା, ବଲାଙ୍ଗିର,ବାଲେଶ୍ୱର, ଦେବଗଡ ଓ ଢେଙ୍କାନାଳ ପାଇଁ ଗୋଟିଏ କରି ବିଦ୍ୟାଳୟ ମଞ୍ଜୁର ହୋଇଛି ।
ସମସ୍ତ ୧୮ଟି ଜିଲ୍ଲା ମଧ୍ୟରୁ କେବଳ ଢେଙ୍କାନାଳକୁ ବାଦ୍ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ମାଣ ସରିଥିବା ବିଦ୍ୟାଳୟଗୁଡିକରେ ପାଠପଢା ଚଳାଯାଉଛି । ଢେଙ୍କାନାଳ ଜିଲ୍ଲାକୁ ମିଳିଥିବା ଗୋଟିଏ ବିଦ୍ୟାଳୟର ନିର୍ମାଣକାର୍ଯ୍ୟ ଜାରି ରହିଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଥିବା ସମସ୍ତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ୯୧୧୧ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୭୨୬୭ ଟି ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଛି । ତେବେ ବିଦ୍ୟାଳୟଗୁଡିକରେ ଯେଭଳି ପାଠପଢା ସୁରୁଖୁରୁରେ ଚାଲିବ ସେଥିପାଇଁ ଖାଲି ଥିବା ପଦବୀ ପୂରଣ ପାଇଁ ଡେପୁଟେସନରେ କର୍ମଚାରୀ ଆଣିବା କିମ୍ବା ଠିକାରେ ନିଯୁକ୍ତି ଦେବାପାଇଁ ମନ୍ତ୍ରଣ।।ଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।
ଏହିସବୁ ବିଦ୍ୟାଳୟରେ ପାଠପଢା ସଂକ୍ରାନ୍ତରେ ଅବଗତ ପାଇଁ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି ପକ୍ଷରୁ ରାଜ୍ୟ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମିତି ସହିତ ସମନ୍ୱୟ ରକ୍ଷା କରାଯାଇ ନିୟମିତ ଭାବେ ଛାତ୍ରଛାତ୍ରୀମାନଙ୍କ ପାଠପଢା, ପ୍ରଦର୍ଶନ ଆଦି ସଂକ୍ରାନ୍ତରେ ସମୀକ୍ଷା କରାଯିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇର ଦିଆଯାଉଛି । (ତଥ୍ୟ)

