ପୁରୀ : ଶ୍ରୀମନ୍ଦିର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରମ୍ପରା ସହ ଜଡ଼ିତ ପାଞ୍ଚଟି ବିଶେଷ ଶବ୍ଦର ସୁରକ୍ଷା ପାଇଁ ଏକ ଐତିହାସିକ ସଫଳତା ମିଳିଛି। ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘କୋଇଲି ବୈକୁଣ୍ଠ’ ଏବଂ ‘ନୀଳଚକ୍ର’ ଏହି ପାଞ୍ଚଟି ପବିତ୍ର ଶବ୍ଦର ଜିଆଇ ପେଟେଣ୍ଟ ପାଇଁ କରାଯାଇଥିବା ଆବେଦନ ଗୃହୀତ ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଏହାର ଆନୁଷ୍ଠାନିକ ସାର୍ଟିଫିକେଟ୍ ମିଳିଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଏହି ପେଟେଣ୍ଟ ମିଳିବା ପରେ ଏଣିକି ଆଉ କେହି ବ୍ୟବସାୟିକ କିମ୍ବା ଆଇନଗତ ଭାବେ ଅନଧିକୃତ ଭାବେ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ। ଅନ୍ୟପଟେ, ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଧରି ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି।
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନବମୀ ସନ୍ଧ୍ୟା ୫ଟା ପରେ ବ୍ୟାରିକେଡ୍ ଭିତରକୁ ନୂଆ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଥିଲା, କେବଳ ପୂର୍ବରୁ ଲାଇନ୍ରେ ଥିବା ଭକ୍ତମାନେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇଥିଲେ। ବାହୁଡ଼ା ପହଣ୍ଡି ପୂର୍ବରୁ ଆଜି ରାତିରେ ମହାପ୍ରଭୁଙ୍କ ବିଶେଷ ‘ସେନାପଟା ଲାଗି’ ସହ ଅନ୍ୟାନ୍ୟ ଗୁପ୍ତ ନୀତିକାନ୍ତି ସମ୍ପାଦିତ ହେବ।
ହୋଇଥିବା ନୀତି ଅନୁସାରେ ସମସ୍ତ ନୀତି କାନ୍ତି ସମାପିତ ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବର୍ଷା ହେଲେ ତାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ନିଆଯିବ। କାଲି ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡ ସ୍ଥିତ ମାଉସୀ ମନ୍ଦିର ନିକଟରେ ପୋଡ ପିଠା ଭୋଗ ଓ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ଅଟକିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି କରାଯିବ। ୨୫ ତାରିଖରେ ସୁନା ବେଶ ଥିବାରୁ ଆସନ୍ତାକାଲି ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚିବାକୁ ପଡିବ।

