ପୁରୀ : ରାତି ପାହିଲେ ବାହୁଡିବେ ମହାବାହୁ। ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ, ଆରାମଦାୟକ ଯାତାୟାତ ସୁନିଶ୍ଚିତ କରିବା ପାଇଁ କ୍ରୁଟ ପକ୍ଷରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପୁରୀକୁ ସଂଯୋଗ କରୁଥିବା ବିଭିନ୍ନ ସ୍ୱତନ୍ତ୍ର ରୁଟରେ ୫୦ଟି ସ୍ୱତନ୍ତ୍ର ଆମ ବସ ସେବା ପାଇଁ ନିୟୋଜିତ କରାଯାଇଛି।
ଏହି ସ୍ୱତନ୍ତ୍ର ବସ୍ ସେବା ଶ୍ରୀମନ୍ଦିର ପାର୍କିଂରୁ ମାଷ୍ଟର କ୍ୟାଣ୍ଟିନ୍ ମଧ୍ୟରେ, ମାଷ୍ଟର କ୍ୟାଣ୍ଟିନରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଏୟାରପୋର୍ଟ ସଟଲ୍, ମାଷ୍ଟର କ୍ୟାଣ୍ଟିନରୁ ତାଳବଣିଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସୁନ୍ଦରପଦା ଓ ହରିରାଜପୁର ଦେଇ ୨୨ଇ, ମାଷ୍ଟର କ୍ୟାଣ୍ଟିନରୁ ତାଳବଣିଆ ବସ୍ ଷ୍ଟାଣ୍ଡ 50ଇ (ଏକ୍ସପ୍ରେସ୍), ବରମୁଣ୍ଡାରୁ ତାଳବଣିଆ ବସ୍ ଷ୍ଟାଣ୍ଡ ୫୧ଇ, ଏନ୍ଏଲୟୁଓ, କଟକରୁ ତାଳବଣିଆ ବସ୍ ଷ୍ଟାଣ୍ଡ ୫୪ଇ, ଖୋର୍ଦ୍ଧାରୁ ତାଳବଣିଆ ବସ୍ ଷ୍ଟାଣ୍ଡ 56ଇ, ତାଳବଣିଆ ବସ୍ ଷ୍ଟାଣ୍ଡରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୫୭ଇ, ଜଗତପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ 58ଇ, ମହାନଦୀ ବିହାରରୁ ତାଳବଣିଆ ବସ୍ ଷ୍ଟାଣ୍ଡ 59ଇ, ମଙ୍ଗଳାଘାଟ ଛକରୁ ସାତପଡ଼ା ୬୧ଇ, ତାଳବଣିଆ ବସ୍ ଷ୍ଟାଣ୍ଡରୁ ମାଧବ ମନ୍ଦିର 72ଇ ଏବଂ ତାଳବଣିଆ ବସ୍ ଷ୍ଟାଣ୍ଡରୁ ନିମାପଡ଼ା ପର୍ଯ୍ୟନ୍ତ ୭୭ଇ ରୁଟ୍ ଚଳାଚଳ କରିବ।
ଏହା ବ୍ୟତୀତ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ୧୫ଟି ବସ୍ ପୁରୀରେ ନିଶୁଳ୍କ ସଟଲ୍ ସେବା ପାଇଁ ନିୟୋଜିତ ରହିବ। ଏହି ସଟଲ୍ ସେବା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ସମଙ୍ଗ ପାର୍କିଂରୁ ଷ୍ଟର୍ଲିଂ ପାର୍କିଂ ପର୍ଯ୍ୟନ୍ତ ମଙ୍ଗଳାଘାଟ ଦେଇ ଚଳାଚଳ କରିବ। ଏହା ଶ୍ରଦ୍ଧାଳୁମାନଙ୍କୁ ଶେଷ ମାଇଲ ସଂଯୋଗ ସୁବିଧା ଯୋଗାଇବା ସହ ଟ୍ରାଫିକ୍ ହ୍ରାସ କରିବାରେ ସହାୟକ ହେବ ।
କ୍ରୁଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଶୃଙ୍ଖଳିତ ଭାବେ ବସରେ ଚଢ଼ିବା ଓ ଓହ୍ଲାଇବା ଏବଂ ଅତ୍ୟଧିକ ଭିଡ଼ ନ କରି ପରବର୍ତ୍ତୀ ବସକୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ନିଜ ବ୍ୟକ୍ତିଗତ ସାମଗ୍ରୀ ପ୍ରତି ସତର୍କ ରହିବା ଏବଂ ଚୋରି କିମ୍ବା ହଜିଯିବା ଭଳି ଘଟଣାକୁ ଏଡ଼ାଇବା ପାଇଁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

