ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟ୍ରେ ଅନୁମାନ କରିଛନ୍ତି । ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୦୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି ।
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ମୁତାବକ ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଋଣବୋଝ ୨୦୧.୧୭ଲକ୍ଷ କୋଟି ଟଙ୍କା ଥିଲା । ଏହି ସମୟ ବେଳକୁ ବିଦେଶୀ ଋଣ ପରିମାଣ ୯.୮୯ଲକ୍ଷ କୋଟି ଟଙ୍କା ରହିଥିଲା । ତେବେ ୨୦୨୬-୨୭ ବର୍ଷ ଶେଷସୁଦ୍ଧା ଦେଶର ଋଣ ବୋଝ ୨୧୮.୬୩ଲକ୍ଷ କୋଟି ଟଙ୍କାରେ ପହଞ୍ôଚବା ଘେନି ବଜେଟ୍ରେ ଅନୁମାନ କରାଯାଇଛି । ବର୍ଷଶେଷ ସୁଦ୍ଧା ଦେଶର ବୈଦେଶିକ ଋଣ ପରିମାଣ ୯.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରେ । ବର୍ତ୍ତମାନର ବୈଦେଶିକ ମୁଦ୍ରା ବିନିମୟ ହାର ଅନୁଯାୟୀ ବୈଦେଶିକ ଋଣର ଆକଳନ କରାଯାଇଥିବା ଏଥିରେ ଦର୍ଶାଯାଇଛି ।
ସାଂସଦ ଶ୍ରୀ ରାୟଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ବର୍ଷକୁ ବର୍ଷ ଋଣର ମୂଳ ଓ ସୁଧ ପରିଶୋଧ ପରିମାଣ ବଢ଼ୁଛି । ୨୦୨୦-୨୧ ବର୍ଷରେ ୨.୬୨ଲକ୍ଷ କୋଟି ଟଙ୍କା ମୂଳ ପରିଶୋଧ ହୋଇଥିବାବେଳେ ୨୦୨୧-୨୨ରେ ୩ଲକ୍ଷ କୋଟି, ୨୦୨୨-୨୩ରେ ୩.୫୩ଲକ୍ଷ କୋଟି, ୨୦୨୩-୨୪ରେ ୪.୮୮ଲକ୍ଷ କୋଟି, ୨୦୨୪-୨୫ରେ ୪.୧୬ଲକ୍ଷ କୋଟି ଟଙ୍କା ସୁଝା ଯାଇଥିଲା । ୨୦୨୫-୨୬ରେ କେନ୍ଦ୍ର ସରକାର ୪.୬୧ଲକ୍ଷ କୋଟି ଟଙ୍କାର ଋଣ ସୁଝିଥିବାବେଳେ ୨୦୨୬-୨୭ର ବଜେଟ୍ ଆକଳନ ଅନୁଯାୟୀ ଏହି ପରିମାଣ ୬.୨୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ମୁତାବକ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଋଣ ଉପରେ ସୁଧ ବାବଦକୁ ୬.୮୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୧-୨୨ ବର୍ଷରେ ୮.୦୫ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୯.୨୯ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୧୦.୬୪ ଲକ୍ଷ କୋଟି ଟଙ୍କା ଓ ୨୦୨୪-୨୫ ବର୍ଷରେ ୧୧.୧୬ ଲକ୍ଷ କୋଟି ଟଙ୍କା ଦେଇଥିଲେ । ୨୦୨୫-୨୬ ବର୍ଷରେ ସୁଧ ବାବଦରେ କେନ୍ଦ୍ର ସରକାର ୧୨.୪୩ ଲକ୍ଷ କୋଟି ଟଙ୍କା ଦେୟ କରିଥିବାବେଳେ ଚଳିତ ଆର୍ôଥକ ବର୍ଷରେ ଏ ବାବଦରେ ୧୪.୦୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବଜେଟ୍ ଅଟକଳ ହୋଇଛି ।

