ଭୁବନେଶ୍ୱର,: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବିନା ଟାହିଆରେ ମହାପ୍ରଭୁ ବିଜେ କରିବା ଓ ବାଇଶି ପାହାଚରେ ମହାପ୍ରଭୁ ଅଟକି ରହିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି । ରଥଯାତ୍ରା ପରିଚାଳନରେ ବ୍ୟାପକ ତ୍ରୁଟି ଯୋଗୁଁ ଦଳାଚକଟାରେ ଅକାଳରେ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବାରୁ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜୁ ଜନତା ଦଳ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ରଥଯାତ୍ରାରେ ହୋଇଥିବା ଅଘଟଣ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ପହଣ୍ଡି ବିଜେ ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାହିଆ ନଥିଲା । ଟାହିଆ ବର୍ଷାରେ ଓଦା ହୋଇ ଖସି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଟାହିଆ ବର୍ଷାରେ ଖସିନଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାହିଆ କିପରି ଖସିଲା ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା ଟାହିଆରେ ନନ୍ଦିଘୋଷ ରଥକୁ ବିଜେ କରାଇଲେ ।
ରାଜ୍ୟ ସରକାର ନିଜ ଭୁଲ ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ, ଡିଜିପି, ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ବ୍ୟତିକ୍ରମ ହେବା ଗ୍ରହଣୀୟ ନୁହେଁ । ରଥଯାତ୍ରା ପରିଚାଳନାରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ସରକାର କିଛି ଶିକ୍ଷା ଲାଭ କରୁନାହାନ୍ତି । ସୂର୍ଯ୍ୟାସ୍ତ ପରେ ରଥଟଣା ନିୟମ ନଥିବା ବେଳେ ରଥ ଟାଣି ବେନିୟମ କାର୍ଯ୍ୟ କରାଯାଉଛି । ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରିଛି ବିଜେପି ସରକାର ।
ରାଜ୍ୟ ବାହାର ଅତିଥି ମାନଙ୍କ ସୁରକ୍ଷା ପ୍ରଦାନରେ ବ୍ୟସ୍ତ ରହି ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପାଶୋରି ଯାଉଛନ୍ତି, ଯାହାଫଳରେ ନିରୀହ ଶ୍ରଦ୍ଧାଳୁ ମୃତୁ୍ୟ ମୁଖରେ ପଡୁଛନ୍ତି । ଏପରି ଅଘଟଣ ପାଇଁ ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଅନ୍ତୁ ସରକାର ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲୋକମାନେ ପୁରୀକୁ ଆସିଥାନ୍ତି । ବଡ଼ଦାଣ୍ଡରେ ବିଭ୍ରାଟ ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତୁ୍ୟ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ସ୍ନାନ ପୂର୍ଣ୍ଣିମାରୁ ହିଁ ମହାପ୍ରଭୁଙ୍କ ରୀତିନୀତିରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ରଥକୁ ଚତର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଥିଲା, କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ଆଣିବା ବେଳକୁ ଟାହିଆ ନଥିଲା । ବିନା ଟାହିଆରେ ପହଣ୍ଡି ସମୟରେ ବାଇଶି ପାହାଚରେ ମହାପ୍ରଭୁ ଅଟକି ଯାଇଥିଲେ ।
ମନ୍ଦିରରୁ ବିନା ଟାହିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି ରଥକୁ ଆଣିବା ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହିତ କରିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ, ବର୍ଷା ଯୋଗୁଁ ମହାପ୍ରଭୁଙ୍କ ଟାହିଆ ଭାରି ହୋଇ ଖସି ଯାଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏହା ଖସିଗଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶତାବ୍ଦୀ ଧରି ଚାଲି ଆସୁଥିବା ପରମ୍ପରାକୁ ଭାଙ୍ଗି ଦିଆଯାଇଛି । ଉକ୍ତ ତ୍ରୁଟି ପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ସେବାୟତ ନିଯୋଗ ମଧ୍ୟ ଦାୟୀ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନାରେ ଏପରି ତ୍ରୁଟି ଜମାରୁ ଗ୍ରହଣୀୟ ନୁହେଁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନଙ୍କୁ ବ୍ୟାରିକେଡ୍ରେ ଅଟକାଇ ଦେବାରୁ ଭିଡ ଯୋଗୁଁ ଅଘଟଣ ଘଟିଛି । ରଥଯାତ୍ରାର କର୍ଡନ ପାସ୍ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ହଜାର ହଜାର ଲୋକଙ୍କୁ ପାସ ଦିଆଯାଇଛି । ଆଇନ ମନ୍ତ୍ରୀ ବିବୃତ୍ତି ଦେଇଥିଲେ ଯେ ଯେଉଁମାନେ ନୀତିକାନ୍ତି ସହ ଜଡ଼ିତ ରହିଛନ୍ତି ତାଙ୍କୁ ପାସ୍ ପ୍ରଦାନ କରାଯିବ, କିନ୍ତୁ ଇନର୍ କର୍ଡନ ମଧ୍ୟରେ ଅନେକ ଲୋକ ରହିଥିଲେ ।
ଯାହା ଫଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଭାରତୀୟ ଜନତା ପାର୍ଟିର ଜାତୀୟ ସ୍ତରର ନେତା ଓ ଅନ୍ୟ ରାଜ୍ୟର ନେତା ମାନେ ଆସିଥିବାରୁ, ସେମାନଙ୍କ ସୁରକ୍ଷାରେ ପୋଲିସ ପ୍ରଶାସନ ବ୍ୟସ୍ତ ରହିଥିଲା । ପରିଚାଳନଗତ ତ୍ରୁଟି ପାଇଁ ସରକାର ଓ ଆଇନ ମନ୍ତ୍ରୀ ନିଜ ବିବୃତ୍ତି ସ୍ପଷ୍ଟ କରନ୍ତୁ । ଦଳାଚକଟାରେ ୩ଟି ଅମୂଲ୍ୟ ଜୀବନ ହାନି ଘଟିଛି । ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ପୁରୀ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ୩୬୨ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨୨ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ପରିବାରବର୍ଗକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ଆହାତ ମାନଙ୍କୁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯାଉ ।
ଶ୍ରୀ ଶୁଭାଶିଷ ଖୁଣ୍ଟିଆ କହିଥିଲେ ଯେ, ଶତାବ୍ଦୀ ଶତାବ୍ଦୀ ଧରି ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ପରିଚାଳନଗତ ତ୍ରୁଟି ପାଇଁ ପ୍ରାଣ ହାନି ଘଟୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ପୁରୀରେ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହେଉଥିଲା ଓ ସୁରୁଖୁରୁରେ ରଥଯାତ୍ରା ସମ୍ପୂର୍ଣ୍ଣ ହେଉଥିଲା । କିନ୍ତୁ ବର୍ତ୍ତମାନ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଡବଲ ଇଞ୍ଜିନ ସରକାରରେ ପୁରୀ ଏକ ମରଣଯନ୍ତା ପାଲଟି ଯାଇଛି । ଗତବର୍ଷ ମଧ୍ୟ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମନ୍ୱୟ ଅଭାବରୁ ନିରୀହ ଶ୍ରଦ୍ଧାଳୁଙ୍କ ଜୀବନ ଯାଉଛି । ବର୍ଷା ଯୋଗୁଁ ପୁରୀକୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜନସମାଗମ କମ୍ ରହିଥିଲା । କିନ୍ତୁ ପୋଲିସ୍ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ମୃତୁ୍ୟ ଘଟିଲା । ମହାପ୍ରଭୁଙ୍କ ନିତିକ୍ରାନ୍ତିରେ ବ୍ୟାପକ ତ୍ରୁଟି ହେବା ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସକ ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ଘନ ଘନ ରଥଯାତ୍ରା ସମନ୍ୱୟ ବୈଠକ ହୋଇଥିଲେ ମଧ୍ୟ ଫଳ ଶୂନ । ଜନପ୍ରତିନିଧି ମାନଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ଗ୍ରହଣ କରାଗଲା ନାହିଁ । ରଥଯାତ୍ରା ସୁରୁଖୁରୁରେ ପରିଚାଳନ ନେଇ ସରକାର ତତ୍ପରତା ଦେଖାଇଲେ ନାହିଁ । ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ରଥଯାତ୍ରା ସୁପରିଚାଳନା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରନ୍ତୁ ।
ଶ୍ରୀ ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ, ରଥଯାତ୍ରାକୁ ସୁପରିଚାଲନା ପାଇଁ ଘନ ଘନ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି ସରକାରର ପ୍ରଥମ ବର୍ଷରେ ପ୍ରଭୁ ବଳଭଦ୍ର ଚାରମାଳରୁ ଖସି ପଡ଼ିଲେ, ଦ୍ୱିତୀୟ ବର୍ଷରେ ମାଉସୀ ମା’ ମନ୍ଦିର ନିକଟରେ ଦଳାଚକାଟରେ ୨ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ହାନି ଘଟିଲା, ଚଳିତ ବର୍ଷ ପରିଚାଳନାଗତ ତ୍ରୁଟି ପାଇଁ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା । କିନ୍ତୁ ସରକାର କୌଣସି ଶିକ୍ଷା ଗ୍ରହଣ କରିପାରିଲେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରଥଯାତ୍ରାର ସୁପରିଚାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ଭକ୍ତମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା ଯାହାକୁ ବିଜେପି ସରକାର ଏଡ଼ାଇ ଦେଇଛି । ରଥଯାତ୍ରାରେ ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହା ପୋଲିସ ଓ ପ୍ରଶାସନର କାର୍ଯ୍ୟ, କିନ୍ତୁ ସେଥିରେ ବ୍ୟତିକ୍ରମ ହୋଇଥିଲା । ଅଘଟଣ ଘଟି ଲୋକେ ପୁରୀ ହସ୍ପିଟାଲରେ ଭର୍ତ୍ତି ହେବାର ୪ ଘଣ୍ଟା ୩୦ମିନିଟ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପାଇଁ ପୁରୀ ଏକ ନୂଆ ରୂପ ପାଇଥିଲା । ସାରା ବିଶ୍ୱରେ ପୁରୀ ଏକ ଅନନ୍ୟ ପରିଚୟ ଲାଭ କରି ପ୍ରଶଂସା ସାଉଁଟି ଥିଲା ।

