ପୁରୀ : ଚକା ଗଡିଲେ ଚକାଆଖି । ବିଧି ରକ୍ଷା କଲେ । ଆସନ୍ତା କାଲି ପୁଣିଥରେ ରଥ ଟଣାହେବ । ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସତ୍ବେ ଗୋଟିଏ ହେଲେ ରଥ ବି ଆଜି ମାଉସୀ ମା’ ଘରେ ଲାଗି ପାରିଲା ନାହିଁ । ଗତବର୍ଷ ପରେ ଏବର୍ଷ ବି ବିଧି ରକ୍ଷା କରି ସନ୍ଧ୍ୟା ୭ଟା ୭ରେ ନନ୍ଦିଘୋଷ ରଥକୁ ଦି ହାତ ଗଡି ୭.୯ରେ ରଥଟଣା ବନ୍ଦ ହେଲା।
ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ହୋଇଥିଲା। କିନ୍ତୁ ପହଣ୍ଡି ଆରମ୍ଭରେ ବିଳମ୍ବ ଯୋଗୁ ଶ୍ରୀଗୁଣ୍ଡିଚାରେ ପହଞ୍ଚି ପାରି ନାହାନ୍ତି ବିଶ୍ୱନିୟନ୍ତା। ପ୍ରବଳ ବର୍ଷା ମଧ୍ୟରେ ରଥଟଣା ଅପରାହ୍ନ ୫ଟାରେ ଆରମ୍ଭ ହେଲା। ବଡ଼ ଠାକୁରଙ୍କ ତାଳଧ୍ୱଜ କେବଳ ମାର୍କେଟ ଛକା ଯାଏ ଗଡ଼ିପାରିଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମରିଚିକୋଟରେ ଅଟିକିଥିବା ବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ସିଂହଦ୍ୱାରରୁ ମାତ୍ର ୨ ହାତ ଗଡ଼ି ଅଟକି ଯାଇଛି। ଆସନ୍ତାକାଲି ପୁଣି ରଥଟଣା ହେବ ବୋଲି ପ୍ରଶାସନ କହିଛି। ଆସନ୍ତାକାଲି ସକାଳ ୯.୩୦ରେ ରଥ ଟଣା ହେବ। ସେହିପରି ଆସନ୍ତାକାଲି ଆଡ଼ପ ମଣ୍ଡପ ପହଣ୍ଡି ହେବ ନାହିଁ। ଆସନ୍ତା ୧୮ରେ ଶ୍ରୀଜିଉ ଆଡ଼ପ ବିଜେ ହେବ।
ଆଜି ପୁରୀରେ ଲଗାଣ ବର୍ଷା ଭକ୍ତଙ୍କ ଉତ୍କଣ୍ଠାକୁ ଫିକା କରି ପାରିନାହିଁ। ଭାବରେ ଭକ୍ତ ଭିଜୁଥିବା ବେଳେ ବର୍ଷାରେ ଭିଜିଥିଲା ପୁରୀ ବଡ଼ଦାଣ୍ଡ। ତୁହାକୁ ତୁହା ବର୍ଷା ଆଉ ପ୍ରତିକୂଳ ପାଗରେ ବି ଜଗନ୍ନାଥ ଭକ୍ତି ରସରେ ଜଡସଡ଼ ପୁରୀ ଶ୍ରୀକ୍ଷେତ୍ର ଧାମ। ପୁରୀରେ କାଳିଠାରୁ ଲଘୁଚାପ ବର୍ଷା ଜାରି ରହିଥିଲେ ହେଁ ଆଜି କାଳିଆର ଅପୂର୍ବ ଲୀଳା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଶ୍ରୀମନ୍ଦିରରେ ଆଜି ସକାଳୁ ଶ୍ରୀଜିଉଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତୀ ସରିବା ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଜନ୍ମବେଦୀକୁ ବିଜେ ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ ଚତୁର୍ଦ୍ଧାମୁର୍ତ୍ତି। ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଅର୍ଥାତ ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ।
ଘଣ୍ଟ, ଘଣ୍ଟା, କାହାଳି ଓ ତୁରୀ ବାଦ୍ୟରେ କମ୍ପିଥିଲା ଚଉଦିଗ। ଏହାରି ଭିତରେ ପ୍ରଥମ ରତ୍ନବେଦୀ ଛାଡ଼ି ଝୁଲି ଝୁଲି ଆସିଥିଲେ ଚକ୍ରରାଜ ସୁଦର୍ଶନ। ପରେ ଗୋଟି ପହଣ୍ଡିରେ ଜଣକ ପରେ ଜଣେ ଆସି ରଥାରୁଢ ହୋଇଥିଲେ ବଡ଼ଠାକୁର ବଳଭଦ୍ର ଆଉ ଦେବୀ ସୁଭଦ୍ରା। ସବୁଠାରୁ ଶେଷରେ କଳା ସାଆନ୍ତ ନୀଳକନ୍ଦର ଛାଡ଼ିବା ବେଳକୁ ଆଜି ଭକ୍ତଙ୍କୁ ଦେଖାଇଥିଲେ ତାଙ୍କ ଅପୂର୍ବ ଲୀଳାଖେଳା। ସିଂହଦ୍ୱାର ନିକଟରେ ମହାପ୍ରଭୁ ପହଞ୍ଚିଲା ବେଳକୁ ତାଙ୍କ ଟାହିଆ ଖସି ପଡ଼ିଥିଲା। ପରେ ସିଂହଦ୍ୱାରରୁ ନନ୍ଦିଘୋଷ ରଥରେ ବିଜେ ହେବା ଯାଏ ବିନା ଟାହିଆରେ ଝୁଲି ଝୁଲି ଆସିଥିଲେ ଭାବ ବିନୋଦିଆ ହଟିଆ ଠାକୁର। ଫଳରେ ଜଗାକୁ ସୁନ୍ଦର ସେ ଟାହିଆର ଅପୂର୍ବ ଦୋଳନ ଦେଖିବାରୁ ଆଜି ବଞ୍ଚିତ ହୋଇଥିଲେ ଅଗଣିତ ଭକ୍ତ।
ସେହିପରି କାଳିଆକୁ ରଥରେ ବସାଇବା ପାଇଁ ମଧ୍ୟ ନାକେଦମ ହୋଇଥିଲେ ସେବକ। ସତେ ଯେମିତି କାଳିଆ ରୁଷିଲା ଭଳି ଲାଗିଥିଲା। ମୁହଁକୁ ବାରମ୍ବାର ବୁଲାଇଥିଲେ ମହାପ୍ରଭୁ। ଚାରମାଳ ଉପରେ ୪୫ ମିନିଟ ଠିଆ ହୋଇ ରହିଲେ। ସେବାୟତମାନେ ତାଙ୍କୁ ହଲେଇ ପାରିଲେ ନାହିଁ। ଶେଷରେ ଭକ୍ତଙ୍କ ଡାକରେ ସେ ରଥ ଉପରେ ଚଢ଼ିଥିଲେ। ରଥ ଉପରେ ତିନି ଠାକୁରଙ୍କ ଚିତାଲାଗି ଓ ବେଶ ସରିବା ପରେ ଦର୍ଶନ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ପରେ ବିଧି ଓ ପରାମ୍ପରା ଅନୁସାରେ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ୩ ରଥରେ ଆରମ୍ଭ ହୋଇଥିଲା ସେହି ଅନନ୍ୟ ଛେରାପହଁରା ନୀତି। ଏସବୁ ନୀତିକାନ୍ତି ଭିତରେ କେତେବେଳେ ରଥଟଣା ହେବ ସେଇ ଅପୂର୍ବ ଦୃଶ୍ୟ ଆଉ ଦିବ୍ୟ ମୁହୂର୍ତ୍ତକୁ ଅପଲକ ନୟନରେ ଚାହିଁ ରହିଥିଲେ ଲକ୍ଷ ଲକ୍ଷ ଭକ୍ତ।
ବହୁ ଅପେକ୍ଷା ଅନ୍ତ ଘଟିଥିଲା। ଅପରାହ୍ଣ ୪ଟା ପରିବର୍ତ୍ତେ ପ୍ରାୟ ୫ଟାରେ ଭକ୍ତଙ୍କ ହରିବୋଲ, ହୁଳହୁଳି ନାଦ ଓ ଡାହୁକ ଡାକ ପରେ ପ୍ରଥମେ ଗଡ଼ିଥିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଉ ତା ପରେ ଭଉଣୀ ସୁଭଦ୍ରା ଓ ଶେଷରେ କଳାଠାକୁରଙ୍କ ନନ୍ଦିଘୋଷ ସନ୍ଧ୍ୟା ୭.୭ରେ ଗଡ଼ିଥିଲା। ହେଲେ ମାତ୍ର ଦି’ ହାତ ଗଡ଼ି ଆଜି ପାଇଁ ରଥଟଣାକୁ ବନ୍ଦ ଘୋଷଣା କରିଥିଲା ପ୍ରଶାସନ। ଶାସ୍ତ୍ରୀୟ ନୀତି ଓ ରଥଯାତ୍ରାର ପରମ୍ପରାକୁ ପାଳନ କରି ସନ୍ଧ୍ୟା ପରେ ରଥଟଣା ବନ୍ଦ କରାଯାଇଛି। ସୂର୍ଯ୍ୟାସ୍ତ ପରେ ରଥ ଆଉ ଗଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

