Home Administration ବିପର୍ଯ୍ୟୟ ପରିଚାଳନାକୁ ପ୍ରଭାବୀ କରିବାକୁ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନାକୁ ପ୍ରଭାବୀ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି)ର୨୦୨୬-୨୭ବର୍ଷର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (ଏସଡିଆରଏମଏଫ)ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

୨୦୨୬-୨୭ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ)ରେ ୧,୭୧୮ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ)ରେ ୪୨୯ କୋଟି ଟଙ୍କା ସହ ମୋଟ ୨,୧୪୭ କୋଟି ଟଙ୍କାର ବ୍ୟବସ୍ଥା ଥିବା ବେଳେ ୨୦୨୬-୨୭ ରେ ବର୍ତ୍ତମାନ ସୁଦ୍ଧା ୧୦୬୪.୪୮ କୋଟି ଟଙ୍କା ବ୍ୟୟ ହୋଇଛି । ବିଭିନ୍ନ ବର୍ଷରେ ବିପର୍ଯ୍ୟୟ ମୁକାବିଲା ଓ  ପରିଚାଳନା ପାଇଁ ବିଭାଗ ଏବଂ ଜିଲ୍ଲାମାନଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତା ମଧ୍ୟରୁ ୯୨.୯୩  ପ୍ରତିଶତ ବିନିଯୋଗ ପ୍ରମାଣପତ୍ର ପ୍ରାପ୍ତ ହୋଇଛି। 

ଆଗାମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ପ୍ରଭାବ ହ୍ରାସ ପାଇଁ ୧.୭୭ କୋଟି ଟଙ୍କାର ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି। ବିଏମସିରେ ବହୁମୁଖୀ ବିଶ୍ରାମସ୍ଥଳ, ବସ୍ଷ୍ଟପ୍ରେ କୁଲିଂ ମ୍ୟାଟ୍, ସାଲିଆ ସାହିରେ ରିଫ୍ଲେକ୍ଟିଭ୍ ରୁଫ୍ପେଣ୍ଟିଂ, କଟକ ନେତାଜୀ ବସ୍ ଟର୍ମିନାଲ ପ୍ଲାଟଫର୍ମରେ ରୁଫ୍ହ୍ୟାଙ୍ଗିଂ ଏବଂ ପାନୀୟ ଜଳ ସୁବିଧା ଭଳି ପ୍ରକଳ୍ପ ଏଥିରେ ସାମିଲ ରହିଛି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ଙ୍କ ପ୍ରସ୍ତାବ କ୍ରମେ ଭୁବନେଶ୍ୱର ସହରରେ ଜଳବନ୍ଦୀ ସମସ୍ୟାର ଦୀର୍ଘମିଆଦୀ ସମାଧାନ ପାଇଁ ୨୦୦  କୋଟିର (ଏନଡିଏମଏ) କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟ ଅଂଶ ବାବଦକୁ ୨୨.୨୦ କୋଟି  ମିଶାଇ ମୋଟ ୨୨୨.୨୦ କୋଟି ପ୍ରସ୍ତାବକୁ ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇଛି। ଏଥିରେ ଅତ୍ୟଧିକ ଝଡବର୍ଷା ବା ଲଗାଣ ବର୍ଷା ଜନିତ  ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାର ସୁଦୃଢ଼ୀକରଣ, ସମନ୍ୱିତ ହ୍ରଦ ପୁନରୁଦ୍ଧାର ଏବଂ ଆନ୍ତଃ ସଂଯୋଗୀକରଣ, ବର୍ଷା ଜଳ ସଂରକ୍ଷଣ, ଜଳ ନିରାପତ୍ତା, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ସହରାଞ୍ଚଳ ବନ୍ୟା ବିପଦ ଆକଳନ, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।

ଏଥିସହିତ ଜଙ୍ଗଲ ନିଆଁ ବିପଦ ପ୍ରଶମନ ପାଇଁ ସଂଶୋଧିତ ପ୍ରସ୍ତାବ, ଓଡ୍ରାଫ୍ଓ ଅଗ୍ନିଶମ ସେବାର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ, ଓସଡମାର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସୂଚନା ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଓଡ଼ିଶା ଅଗ୍ମିଶମ ଏବଂ ଜରୁରୀକାଳୀନ ସେବାକୁ ସୁଦୃଢ କରିବା ପାଇଁ ସୂଚନା ସରବରାହ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ନିମନ୍ତେ ଆବଶ୍ୟକୀୟ ଭିଏଚଏଫ ସେଟ୍, ଭିଏଚଏଫ ମୋବାଇଲ ସେଟ୍, ସାଟେଲାଇଟ ଫୋନ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।