Home News in Odia ‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’ ର ଶୁଭାରମ୍ଭ

‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’ ର ଶୁଭାରମ୍ଭ

ପୁରୀ : ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟକୁ ଏକ ନିରାପଦ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଦିଗରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନ (ଏନଆଇଡବ୍ଲୁଏସ)ର ମିଳିତ ସହଯୋଗରେ ଆଜି ପୁରୀଠାରେ ‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ବୃତ୍ତିଗତ ଭାବେ ତାଲିମପ୍ରାପ୍ତ ଲାଇଫ୍ଗାର୍ଡମାନଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରିଥିଲେ। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସଫଳତାର ସହ ଜୀବନରକ୍ଷା ତାଲିମ ସମାପ୍ତ କରିଥିବା ଏହି ଲାଇଫ୍ଗାର୍ଡମାନେ ଓଡ଼ିଶାର ସମୁଦ୍ର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳାଶୟଗୁଡ଼ିକରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଆଧୁନିକ ବେଳାଭୂମି ସୁରକ୍ଷା ଏବଂ ଉଦ୍ଧାର ଉପକରଣଗୁଡ଼ିକର ଉଦ୍ଘାଟନ କରିଥିଲେ। ଏଥିରେ ଅଲ୍-ଟେରେନ୍ ଭେହିକିଲ୍, ରେସ୍କ୍ୟୁ ବୋର୍ଡ, ରେସ୍କ୍ୟୁ ଟ୍ୟୁବ୍, ଇନଫ୍ଲେଟେବଲ୍ ରେସ୍କ୍ୟୁ ବୋଟ୍, ଲାଇଫ୍ ଜ୍ୟାକେଟ୍ ଏବଂ ଆଧୁନିକ ଯୋଗାଯୋଗ ଉପକରଣ ସାମିଲ ରହିଛି, ଯାହା ବେଳାଭୂମିରେ ନଜର ରଖିବା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାରେ ବେଶ୍ ସହାୟକ ହେବ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ରାମଚଣ୍ଡୀଠାରେ ‘ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନ୍ସିପ୍ ଆଣ୍ଡ ଲାଇଫ୍ଗାର୍ଡ ଇନଷ୍ଟିଚ୍ୟୁଟ୍’ର ପ୍ରତିଷ୍ଠା ଦ୍ୱାରା ଆନ୍ତର୍ଜାତୀୟ ସ୍ତରର ଜୀବନରକ୍ଷା କାର୍ଯ୍ୟ ପାଇଁ ଏକ ଦକ୍ଷ ଲାଇଫ୍ଗାର୍ଡ କ୍ୟାଡର ପ୍ରସ୍ତୁତ କରିବାର ମୂଳଦୁଆ ପଡ଼ିପାରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲାଇଫ୍ଗାର୍ଡଙ୍କୁ ସର୍ଫ ଲାଇଫ୍ ସେଭିଂ, ଓପନ୍ ୱାଟର ରେସ୍କ୍ୟୁ, ଅଣ୍ଡରୱାଟର ରେସ୍କ୍ୟୁ, ସ୍ୱିମିଂ ପୁଲ୍ ରେସ୍କ୍ୟୁ, ସିପିଆର, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ମୁକାବିଲା କୌଶଳ ଉପରେ ଉଚ୍ଚତର ତାଲିମ ପ୍ରଦାନ କରାଯାଇଛି।