ଭୁବନେଶ୍ୱର : ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବାରମ୍ୱାର ଆନ୍ଦୋଳନ ପରେ ବି ପଦକ୍ଷେପ ଶୂନ୍ୟ ରହିଛି । ଏହା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ସ୍ଥିର କରିଛି । ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଓ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିର ହୋଇଛି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ।
ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ, ପାଠ୍ୟ ପୁସ୍ତକରେ ୨୦୦୦ରୁ ଉଦ୍ଧ୍ୱର୍ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ଗୁଡିକ ପ୍ରତ୍ୟାହାର କରିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲା । କିନ୍ତୁ ତାହା ହେଲା ନାହିଁ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ କାହାରି କଥାରେ କୌଣସି ତାଳମେଳ ରହୁନାହଁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଛି, କିନ୍ତୁ ସମାଧାନ ହେଉନାହିଁ । ବିଜେପି ସରକାରରେ ବିଧି ବ୍ୟବସ୍ଥା ସଠିକ୍ ଭାବରେ ରହୁନାହିଁ । ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି ।
ପିଲାଙ୍କ ଭବିଷ୍ୟତ ନେଇ ଖେଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କୁ ରାଜ୍ୟର ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କେବେ ବି କ୍ଷମା କରିବେ ନାହିଁ ।
ତେଣୁକରି ବିଜେପି ସରକାର ବିରୁଦ୍ଧରେ ଯୁବ ଓ ଛାତ୍ର ସାମିଲ ହୋଇ ଦୃଢ଼ ଆନେ୍ଦାଳନ କରିବ । ଏଥିରେ ଅଭିଭାବକ ମାନେ ଯୋଗଦାନ କରିବା ନେଇ ବିଜେଡି ପକ୍ଷରୁ ଆହ୍ୱାନ କରାଯାଇଛି । ଏହାସହିତ ସମସ୍ତଙ୍କ ଇସ୍ତଫା ଦାବି କରିଛନ୍ତି । ସରକାରୀ ସିଷ୍ଟମ ବିପର୍ଯ୍ୟସ୍ତ ହୋଇଛି । ମନ୍ତ୍ରୀ ଓ ସଚିବ କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ପୁସ୍ତକରେ ସାଙ୍ଘାତିକ ତ୍ରୁଟି ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ରାଜ୍ୟ ସରକାର ଭୂଅାଁ ବୁଲାଉଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ ।
ମାସକ ମଧ୍ୟରେ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ନୂତନ ପୁସ୍ତକ ପ୍ରଦାନ କରାଯାଉ । ନଚେତ ପୁରୁଣା ପୁସ୍ତକକୁ ପୁନଃ ପ୍ରଚଳନ କରାଯାଉ ବୋଲି ଦାବି କରିଛନ୍ତି । ରାଜ୍ୟ ସାରା ଶିକ୍ଷା ବଞ୍ଚାଓ ଅଭିଯାନ ଜରିଆରେ ରାଜ୍ୟ ସରକାରଙ୍କ ମୁଖା ସର୍ବସମ୍ମୁଖରେ ଖୋଲାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କିଏ ସେ ଷଡ଼ଯନ୍ତ୍ରକାରୀ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।
ସେହିପରି ଚିନ୍ମୟ ସାହୁ କହିଛନ୍ତି ଯେ, ତ୍ରୁଟିକୁ ଲୁଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତ୍ରୁଟିକୁ ଶିକ୍ଷା ମନ୍ତ୍ରୀ ଖଣ୍ଡନ କରିବା ବେଳେ ସଚିବ ଅନ୍ୟ ପ୍ରତିକ୍ରିୟା ଦେଉଛନ୍ତି । କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ଆଉ କିଛି ମାସ ପରେ ପିଲାଙ୍କ ପରୀକ୍ଷା ହେବ । କିନ୍ତୁ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରକାଶ ପାଇଁ ନୋଟିଫିକେସନ୍ ହେଉନାହିଁ । ନୂତନ ପୁସ୍ତକ ପ୍ରକାଶ କେବଳ ଘୋଷଣାବାଜିରେ ସୀମିତ ରହିଛି । କେବେ ନୂତନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ।
ଜାତୀୟ ଶିକ୍ଷା ନୀତି (ଏନଇପି) ର ପୁସ୍ତକ ଚଳିତ ବର୍ଷ ପ୍ରଦାନ ନକରି ପୁରୁଣା ବହି ପ୍ରଦାନ କରିବାକୁ ଦାବି କରିଛନ୍ତି । ମହାବିଭ୍ରାଟ ଘଟିଥିବା ବେଳେ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି । ବିଜେପି ସରକାର ମିଥ୍ୟା ଘୋଷଣାବାଜିରେ ନକରି ପଦକ୍ଷେପ ଗ୍ରହଣ କରି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି । ପୁସ୍ତକ ପ୍ରକାଶରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ସରକାରି ପ୍ରେସରେ ପୁସ୍ତକ ନଛାପି ଘରୋଇ ପ୍ରେସରେ ଛାପିବା ସନେ୍ଦହ ସୃଷ୍ଟି କରିଛି । ଏନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ବିଜେଡି ଆନେ୍ଦାଳନ ଜାରି ରଖିବ ବୋଲି କହିଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପି ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି ।
ସେହିପରି ଇପ୍ସିତା ସାହୁ କହିଛନ୍ତି ଯେ, ଆମେ ଗଣତନ୍ତ୍ର ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆମର ଗଣତାନ୍ତ୍ରିକ ଅଧିକାରକୁ ବିଜେପି କ୍ଷୁର୍ଣ୍ଣ କରୁଛନ୍ତି । କୁନି କୁନି ପିଲାଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ବିଜେପି ସରକାର ପିଲାଙ୍କ ଭବିଷ୍ୟତକୁ ଦଳି ଚକଟି ନଷ୍ଟ କରିବା ସହ ସାମ୍ୱିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ବିଜେପି ଦଳ କିମ୍ୱା ସରକାରୀ କଳ ଦାୟୀ ବୋଲି କହିଛନ୍ତି ।

