ଭୁବନେଶ୍ୱର : ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସେ ପ୍ରଭାବରୁ ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l
ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଜନସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ ସାମଗ୍ରୀର ମହଜୁଦ ଏବଂ ଉଦ୍ଧାରକାରୀ ଦଳର ନିୟୋଜନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା l
ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଛି l ତେବେ, ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୁଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁ କମ୍ ଅଛି l ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି l କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l କୌଣସି ଜଣେ ଲୋକକୁ ମଧ୍ୟ ସ୍ଥାନାନ୍ତରଣ କିମ୍ବା ସହାୟତା ଆବଶ୍ୟକ ଥିଲେ ତାହାକୁ ଗୁରୁତ୍ଵର ସହିତ ଦୃଷ୍ଟିରେ ରଖି ସହଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି l
ଆନନ୍ଦପୁର ଏବଂ ଆଖୁଆପଦାରେ ବୈତରଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ଘଟିଥିଲେ ମଧ୍ୟ ବିପଦ ସଙ୍କେତଠାରୁ ଖୁବ୍ କମ୍ ଅଛି l ବିଭିନ୍ନ ନଦୀର ଜଳପତ୍ତନ ସ୍ତର ଉପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି l ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତିl
କିଛି ଅଞ୍ଚଳରେ ଚାଷଜମି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲେ ଜିଲ୍ଲାପ୍ରଶାସନକୁ ତାହାର ସର୍ଭେ ଏବଂ କ୍ଷତି ଆକଳନ କରି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏଥିସହିତ କ୍ଷୟକ୍ଷତିର ଚବିଶ ଘଣ୍ଟା ପୂରଣ ହେବା ପୂର୍ବରୁ ହିଁ କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି l

