ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା କ୍ୟାଡରରେ ପ୍ରତି ବର୍ଷ ଠିକଣା ସମୟରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ହୋଇପାରୁନଥିବାରୁ ବହୁ ପଦପଦବୀ ଖାଲି ପଡିଛି । ଏଥିଘେନି ମାଳମାଳ ମାମଲା ଆଇନ୍ ଅଦାଲତରେ ଚାଲିବା ଫଳରେ ପଦୋନ୍ନତି ତ ଦୂରର କଥା, ପ୍ରାୟ ୫ବର୍ଷ ଧରି ବରିଷ୍ଠତା ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇପାରୁ ନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୧ ବ୍ୟାଚ୍ର ଓଏଏସ୍ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ବେଳକୁ ୨୦୧୫ ହୋଇଯାଇଥିଲା । ଇତିମଧ୍ୟରେ ପରବର୍ତ୍ତୀ ବର୍ଷଗୁଡ଼ିକରେ ବିଭିନ୍ନ କ୍ୟାଡର୍ରୁ ଓଏଏସ୍ ଜୁନିଅର ବ୍ରାଞ୍ଚକୁ କିଛି ଅଧିକାରୀ ପଦୋନ୍ନତି ପାଇଥିଲେ । ଏ କ୍ଷେତ୍ରରେ ଏମାନଙ୍କ ଭିତରୁ କିଏ ବରିଷ୍ଠ ଓ କିଏ କନିଷ୍ଠ ହେବ ସେଥିଘେନି ଟଣାଓଟରା ଚାଲିଥିବାବେଳେ ସରକାର ୨୦୧୫ ମସିହାରେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ର ଓଏଏସ୍ ବର୍ଗଙ୍କୁ ଉପରେ ରଖି ୨୦୧୨ରୁ ୨୦୧୫ ମଧ୍ୟରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ସେମାନଙ୍କ ତଳେ ବରିଷ୍ଠତା ତାଲିକାରେ ରଖିଥିଲେ ।
ପଦୋନ୍ନତି ଭିତ୍ତିରେ ଓଏଏସ୍ କନିଷ୍ଠ ବର୍ଗରେ ପଶିଥିବା କିଛି ଅଧିକାରୀ ଏହି ବରିଷ୍ଠତା ତାଲିକାର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାରୁ ୫ବର୍ଷରୁ ଅଧିକ ସମୟ ଧରି ଆଇନ୍ଗତ ଲଢ଼େଇ ଚାଲିଥିଲା । ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ପରିସମାପ୍ତି ଘଟାଇଥିବାବେଳେ ଆଶା କରାଯାଉଥିବା ବରିଷ୍ଠତା ତାଲିକା ଚୂଡ଼ାନ୍ତ ହୋଇଯିବ ବୋଲି । ଇତିମଧ୍ୟରେ ରାଜ୍ୟ ସରକାର ପ୍ରୋଭିଜିନାଲ୍ ବରିଷ୍ଠତା ତାଲିକା ପ୍ରକାଶ କରିବା ପରେ ପୁଣି କିଛି ଅଧିକାରୀ ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠରେ ମାମଲା ରୁଜୁ କରିଛନ୍ତି ଏବଂ ତାହା ଉପରେ ସରକାରୀ ଓ ବେସରକାରୀ କର୍ତ୍ତୃପକ୍ଷଙ୍କୁ ଅଦାଲତ ନୋଟିସ୍ ଜାରି କରିଥିବାରୁ ପୁଣି ବରିଷ୍ଠତା ତାଲିକା ଉପରେ ପ୍ରଶ୍ନବାଚୀ ଉଠିଛି । ଏ ପରିପ୍ରେକ୍ଷୀରେ ନିକଟ ଭବିଷ୍ୟତରେ ଓଏଏସ୍ ଜୁନିଅର ବ୍ରାଞ୍ଚରୁ ସିନିଅର ବ୍ରାଞ୍ଚକୁ ପଦୋନ୍ନତି ଦିଆଯିବା ସମ୍ଭାବନା କ୍ଷୀଣ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି ।
ପ୍ରତିବର୍ଷ ଯଦି ଓଏଏସ୍ ପ୍ରତ୍ୟକ୍ଷ ନିଯୁକ୍ତି ସହିତ ପଦୋନ୍ନତି ହେଉଥାନ୍ତା ତେବେ ଆଇନ୍ ଅନୁଯାୟୀ ବରିଷ୍ଠତା ତାଲିକା ଚୂଡ଼ାନ୍ତ କରିବାରେ ବିବାଦ ଉପଜନ୍ତା ନାହିଁ । କିନ୍ତୁ ଏ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ଓଏଏସ୍ କନିଷ୍ଠ ବର୍ଗକୁ ଆସିଥିବା ଅଧିକାରୀଙ୍କ ଭିତରେ ଘମାଘୋଟ ଅଦାଲତ ଲଢ଼େଇ ବର୍ଷବର୍ଷ ଧରି ଚାଲୁଛି ।
ଏବେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ପାହ୍ୟାରେ ଓଏଏସ୍ କ୍ୟାଡର୍ରେ ବହୁ ପଦପଦବୀ ଖାଲି ପଡିଛି । ପଦପଦବୀ ପୂରଣ ହେଉନଥିôବାରୁ ଜଣେ ଜଣେ ଅଧିକାରୀଙ୍କୁ ୩/୪ଟି କରି ଅତିରିକ୍ତ ଦାୟିତ୍ୱରେ ରଖାଯାଉଛି । ଏମିତିକି ଜଣେ ଜଣେ ତହସିଲଦାର ବିଡିଓ, ସବ୍ ରେଜିଷ୍ଟ୍ରାର ଭଳି ପଦବୀରେ ଅତିରିକ୍ତ ଦାୟିତ୍ୱରେ ଏକ ସମୟରେ ରହୁଛନ୍ତି । ଉପର ପାହ୍ୟାରେ ବି ଅନୁରୂପ ଅବସ୍ଥା । ଅନ୍ୟପକ୍ଷରେ ବରିଷ୍ଠତା ତାଲିକା ଚୂଡ଼ାନ୍ତ ହୋଇପାରୁନଥିବାରୁ ପଦୋନ୍ନତି ପାଇଁ ଡିପିସି ବସିପାରୁ ନାହିଁ । ଏଭଳି ସ୍ଥିତିରେ ଅନେକ ଅଧିକାରୀ ବିନା ପଦୋନ୍ନତିରେ ଅବସର ଗ୍ରହଣ କରୁଛନ୍ତି ।
ବରିଷ୍ଠ ଓଏଏସ୍ ଅଧିକାରୀମାନେ କହୁଛନ୍ତି ଯେ ସେମାନଙ୍କ କ୍ୟାଡର୍ ମାଧ୍ୟମରେ ଗ୍ରାମାଞ୍ଚଳରୁ ସଚିବାଳୟ ପର୍ଯ୍ୟନ୍ତ ପ୍ରଶାସନିକ କାର୍ଯ୍ୟକୁ ନିୟନ୍ତ୍ରିତ କରାଯାଇଥାଏ । ବିକାଶ ମୂଳକ କାମ ବି ଓଏଏସ୍ ଅଧିକାରୀଙ୍କୁ ବାଦ୍ ଦେଇ ହୋଇପାରେ ନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ବ୍ୟାପାରରେ ହସ୍ତକ୍ଷେପ କରି ବରିଷ୍ଠତା ବିବାଦର ସମାଧାନ କରିବା ସହିତ ଖାଲି ପଡିଥିବା ବିଭିନ୍ନ ପାହ୍ୟାର ଓଏଏସ୍ ପଦବୀଗୁଡ଼ିକୁ ତୁରନ୍ତ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ମାଧ୍ୟମରେ ପୂରଣ କରିବା ପାଇଁ ଦାବି ଉଠୁଛି ।(ତଥ୍ୟ)

