Home News in Odia ରଥଯାତ୍ରା ପାଇଁ ବଢିବ ବସ୍‍ ସଂଖ୍ୟା

ରଥଯାତ୍ରା ପାଇଁ ବଢିବ ବସ୍‍ ସଂଖ୍ୟା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଏବଂ ଟ୍ରାଫିକ୍‌ର ସୁପରିଚାଳନା ‎ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ‎ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ‎

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ, ରଥଯାତ୍ରା ପରିଚାଳନା ‎ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ‎ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହିତ ଭର୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ, ଏସପି, କଟକ ‎ଓ ଭୁବନେଶ୍ୱରର ଡିସିପି, କ୍ରୁଟ୍, ଜାତୀୟ ରାଜପଥ ପ୍ରାଧିକରଣର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ଉପସ୍ଥିତ ଅଧିକାରୀମାନେ ରଥଯାତ୍ରା ପାଇଁ କରାଯାଇଥିବା ସମଗ୍ର ପରିବହନ ବ୍ଲୁ-ପ୍ରିଣ୍ଟ, ଏପର୍ଯ୍ୟନ୍ତର ‎ପ୍ରସ୍ତୁତି ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ପ୍ରତିଟି ପଦକ୍ଷେପରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଏହି ଅବସରରେ ସମସ୍ତ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ‎ଜେନା ନିର୍ଦ୍ଦେଶ ଦେଇଛନ୍ତି । ମହାପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ସହ ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବାକୁ ‎ସେ ପରାମର୍ଶ ଦେଇଛନ୍ତି । ପ୍ରଶାସନ, ପୋଲିସ ଓ ପରିବହନ ବିଭାଗ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ‎କହିଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ପରିବହନ ଦୃଷ୍ଟିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବୈଠକରେ ‎ଆଲୋଚନା ହୋଇଥିଲା। ବିଶେଷକରି, ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ଏବଂ ‎ଅସ୍ଥାୟୀ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ତ୍ୱରାନ୍ୱିତ କରାଯିବ ।

ଧାର୍ଯ୍ୟ ଭଡ଼ାଠାରୁ ଯେଉଁଭଳି କୌଣସି ବସ୍ ଅଧିକ ‎ଭଡ଼ା ନ ନିଅନ୍ତି ଏହା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବସରେ ଭଡ଼ା ଚାର୍ଟ ରହିବ ଏବଂ ଏହି ସରକାରଙ୍କ ‎ଦ୍ୱାରା ଧାର୍ଯ୍ୟ ଦରରେ ଯାତ୍ରୀଙ୍କଠାରୁ ଭଡ଼ା ଆଦାୟ ହେବ । ବିପଜ୍ଜନକ ଯାତ୍ରା ରୋକିବାକୁ ଓଭରଲୋଡ୍ ଓ ଓଭରସ୍ପିଡ୍ ‎ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟ କରିବାକୁ ମନ୍ତ୍ରୀ କହିଛନ୍ତି । ସେହିଭଳି ଅଟୋ ଭଡ଼ାରେ ବି ଯେଉଁଭଳି ଯାତ୍ରୀଙ୍କୁ ‎ଶୋଷଣ ନ ହୁଏ ଏଥିପାଇଁ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

ଚଳିତବର୍ଷ, ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ଯାଏଁ ‎ନିଃଶୁଳ୍କ ଅଟୋ ସେବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ଏହାସହ ମାଳତୀପାଟପୁରରୁ ନିଃଶୁଳ୍କ ‎ସଟଲ୍ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ତାଳବଣିଆରେ ସମସ୍ତ ମୌଳିକ ସୁବିଧା ଥାଇ ଅସ୍ଥାୟୀ ‎ବିଶ୍ରାମାଗାର, ରଥଯାତ୍ରା ଓ ବାହୁଡ଼ାରେ ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ସୁବନ୍ଦୋବସ୍ତ ‎କରାଯିବ । ସେହିଭଳି ମାଳତୀପାଟପୁରରେ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ‎ପାର୍କିଂ ବ୍ୟବସ୍ଥା ହେବ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଯିବ । ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ‎ଭୁବନେଶ୍ୱରରୁ ରଣନୀତି ଭିତ୍ତିରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ ହେବ । ପରିବହନ ବିଭାଗ ପକ୍ଷରୁ ‎ତାଳବଣିଆରେ ସୂଚନା କେନ୍ଦ୍ର, ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହେବ । ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୁବିଧା ସମ୍ବନ୍ଧରେ ଜିଲ୍ଲା ‎ପ୍ରଶାସନ ଦ୍ୱାରା ବ୍ୟାପକ ପ୍ରଚାର ପ୍ରସାର କରାଯିବ । ‎

ଅନ୍ୟପକ୍ଷରେ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପଦକ୍ଷେପ ସମୟ ମଧ୍ୟରେ ଶେଷ ‎କରିବାକୁ ଜାତୀୟ ରାଜପଥ ପ୍ରତିନିଧିଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି, ଆବଶ୍ୟକ ସ୍ଥାନରେ ରାସ୍ତା ମରାମତି, ଷ୍ଟ୍ରିଟ୍ ‎ଲାଇଟ୍, ଲେନ୍ ମାର୍କିଂ, ସାଇନେଜ୍ କୁ ପ୍ରାଧାନ୍ୟ ଦେବ ଏନଏଚଏଆଇ । ସେହିଭଳି ରାଜପଥରେ ଗୋରୁଗାଈ ଜନିତ ‎ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି ।

ମାନ୍ୟବର ମନ୍ତ୍ରୀ କହିଛନ୍ତି, “ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ‎ଓ ସୁଗମ ଯାତାୟାତ ହିଁ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶାସନ, ପୋଲିସ ଏବଂ ପରିବହନ ବିଭାଗ ଉତ୍ତମ ‎ସମନ୍ୱୟ ରଖି ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।”‎