ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ‘ସାମର୍ଥ୍ୟ ୨୦୨୬’ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ପ୍ରତ୍ୟେକ କ୍ଷୁଦ୍ର ଚଳଚ୍ଚିତ୍ରର ଅବଧି ସର୍ବାଧିକ ୫ ମିନିଟ ମଧ୍ୟରେ ରହିବ। ଏ ସଂକ୍ରାନ୍ତରେ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ଏହି ଉତ୍ସବ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବର ଗୁରୁତ୍ୱ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, ଜୁରୀ ସଦସ୍ୟ ଓ ପ୍ୟାନେଲ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଉତ୍ସବଟିକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆର୍ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନକୁ ଦାୟିତ୍ଵ ଦିଆଯାଇଛି।
ଦେଶର ବିଭିନ୍ନ ରାଜ୍ୟର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ମିଡିଆ ଛାତ୍ରଛାତ୍ରୀ ଓ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତା, ସଂଘର୍ଷ ଓ ପ୍ରେରଣାଦାୟକ ଜୀବନ କାହାଣୀ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପଠାଇବାକୁ ଆହ୍ୱାନ କରାଯାଇଛି।
ଅଂଶଗ୍ରହଣକାରୀମାନଙ୍କୁ ତିନୋଟି ମୁଖ୍ୟ ବିଷୟ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ପ୍ରଥମତଃ, କ୍ଷୁଦ୍ର ଚଳଚ୍ଚିତ୍ରଟି ଜଣେ ସଫଳ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନ କାହାଣୀ ଉପରେ ଆଧାରିତ ହେବା ଆବଶ୍ୟକ। ଦ୍ୱିତୀୟତଃ, ଚଳଚ୍ଚିତ୍ରରେ ଅଡିଓ ଡିସ୍କ୍ରିପ୍ସନ ରହିବା ଆବଶ୍ୟକ। ତୃତୀୟତଃ, ସାଙ୍କେତିକ ଭାଷା ବ୍ୟାଖ୍ୟା ସହିତ ସବ୍ଟାଇଟଲ କିମ୍ବା କ୍ଲୋଜ କ୍ୟାପ୍ସନ ଅନିବାର୍ଯ୍ୟ ରହିବ। ଆଗ୍ରହୀ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ବିସ୍ତୃତ ସୂଚନା ପାଇଁ ସର୍ଟଫିଲ୍ମ ଓ୍ବେବସାଇଟ ଜରିଆରେ ଆସନ୍ତା ୭ ଜୁଲାଇ ୨୦୨୬ ସୁଦ୍ଧା ନିଜର ଏଣ୍ଟ୍ରି ପଠାଇପାରିବେ।

