Home Education ଯୁକ୍ତ ଦୁଇ ନାମଲେଖା କେବେ ?

ଯୁକ୍ତ ଦୁଇ ନାମଲେଖା କେବେ ?

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫଳ ବାହାରିବାକୁ ଦୁଇ ମାସ ପୂରିଗଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇ ନାମଲେଖା ତାଲିକା ପ୍ରକାଶ ପାଇପାରୁ ନାହିଁ । ଅନ୍ୟ ପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜୋରସୋରରେ ଯୁକ୍ତ ଦୁଇ ପାଠପଢା ଆରମ୍ଭ କରିଦେଲେଣି ।

ମଇ ଦୁଇ ତାରିଖରେ ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ୯୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମଥ ପାଇଁ ଓଡିଆ ଭାଷାରେ ସାର୍ଟିଫିକେଟ ମିଳିବ ବୋଲି କୁହାଯାଇଥିଲା । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖାଇବାପାଇଁ ଚାହିଁ ବସିଛନ୍ତି । ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କୁ ଚଳିତ ମାସ ଆଠ ତାରିଖରେ ପ୍ରଥମ ତାଲିକା ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ମାଟ୍ରିକ ପରୀକ୍ଷାରେ ଯେଉଁସବୁ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ କରିଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବିଭିନ୍ନ କୋଚିଂ ସଂସ୍ଥାଗୁଡିକ ନିଜ ନିଜ ଅନୁଷ୍ଠାନକୁ ନେଇ ସାରିଲେଣି । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଅନେକ ଛାତ୍ରଛାତ୍ରୀ ଏଠାରେ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାପାଇଁ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି । ଏମାନେ ଆଉ ଯୁକ୍ତ ଦୁଇ ପରିଷଦ ଅଧିନରେ ଥିବା କଲେଜଗୁଡିକରେ ପ୍ରାୟତଃ ନାମ ଲେଖାଇବାର ନାହିଁ ।

ସେହିଭଳି ସିବିଏସଇ ବୋର୍ଡରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟରେ ନାମ ଲେଖାଇବା ସହିତ ମାସାଧିକକାଳ ହେଲା ଯୁକ୍ତଦୁଇ ପାଠ ପଢା ଆରମ୍ଭ କରିଛନ୍ତି । ଆଉ କିଛି ଛାତ୍ରଛାତ୍ରୀ କେଉଁଠାରେ ଯୁକ୍ତ ଦୁଇ ପଢିବେ ତାହା ସ୍ଥିର କରନଥିଲେ ମଧ୍ୟ ବିଭିନ୍ନ କୋଚିଂ ସେଣ୍ଟରଗୁଡିକରେ ଟିଉସନ ହେବାରେ ଲାଗିଛନ୍ତି ।

ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ନାମଲେଖା ସରିବା ସହିତ ଯୁକ୍ତଦୁଇ ପାଠପଢା ଜୋରସୋରରେ ଆରମ୍ଭ ହୋଇଗଲାଣି । ଏହି ପିଲାମାନେ ଯୁକ୍ତ ଦୁଇ ପାଠପଢା ସହିତ ବିଭିନ୍ନ ପ୍ରବେଶିକା ପରୀକ୍ଷାପାଇଁ ବି ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି । କିନ୍ତୁ ମାଧ୍ୟମିକ ଶିକ୍ଷା ବୋର୍ଡରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ହେଲା ପାଠ ଠାରୁ ଦୂରରେ ରହିଛନ୍ତି ।

ଯୁକ୍ତ ଦୁଇରେ ନାମ ଲେଖାଇବାପାଇଁ ସାମସ୍‍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବଦନ କରିଥିବାବେଳେ ଚଳିତ ମାସ ଆଠ ତାରିଖରେ ପ୍ରଥମ ତାଲିକା ପ୍ରକାଶ ପାଇବ । ଏହାପରେ ନା ନାମଲେଖା ପର୍ବ ଆରମ୍ଭ ହେବ । ସେହିଅନୁଯାୟୀ ଦ୍ୱିତୀୟ ଓ ତୃତୀୟ ତାଲିକା ବି ପ୍ରକଶ ହେବ । କଲେଜ କର୍ତ୍ତୃପକ୍ଷମାନଙ୍କ କହିବା ଅନୁଯାୟୀ ନାମଲେଖା ସମ୍ପୂର୍ଣ୍ଣ ହୋଇ ପାଠପଢା ଆରମ୍ଭ ବେଳକୁ ଅଗଷ୍ଟମାସ ଅଧା ହୋଇଯିବ । ପାଠପଢା ଆରମ୍ଭ ହେଉ ହେଉ ଛାତ୍ର ସଂସଦ ନିର୍ବାଚନ ଏବଂ ପରେ ପରେ ପୂଜାଛୁଟି ଆସିଯାଇଥିବ । ଏଥିଯୋଗୁଁ ଓଡିଆ ଛାତ୍ରଛାତ୍ରୀମାନେ ପାଠପଢାରେ କେବଳ ପଛରେ ପଡିଯିବେ ନାହିଁ, ବିଭିନ୍ନ ପ୍ରବେଶିକା ପରୀକ୍ଷାପାଇଁ ପ୍ରସ୍ତୁତ ହେବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯିବ । (ତଥ୍ୟ)