Home General ଦାଦନ ଶ୍ରମିକ ସଂଖ୍ୟା ୨୫ଲକ୍ଷ ଟପିଲାଣି

ଦାଦନ ଶ୍ରମିକ ସଂଖ୍ୟା ୨୫ଲକ୍ଷ ଟପିଲାଣି

ଭୁବନେଶ୍ୱର : ରାଜ୍ୟରୁ ପ୍ରାୟ ୨୫ଲକ୍ଷ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବାବେଳେ ସେମାନଙ୍କୁ ବର୍ଷରେ ଅତି କମ୍‍ରେ ୯ମାସ ପାଇଁ କାମ ଯୋଗାଇବାର ବ୍ୟବସ୍ଥା ନଥିବା ଯୋଗୁଁ ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବଢିବାର ଆଶଙ୍କା ଉପୁଜିଛି ।

ରାଜ୍ୟ ସରକାର ଦାଦନ ଶ୍ରମିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି । କିନ୍ତୁ ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କରୁ ପ୍ରାୟ ୩ଲକ୍ଷ ଦାଦନ ଶ୍ରମିକ ଚାରି ପାଞ୍ଚଟି ରାଜ୍ୟରେ ଇଟାଭାଟିମାନଙ୍କରେ କାମ କରିବାପାଇଁ ଯାଉଥିବାବେଳେ ଦକ୍ଷିଣାଞ୍ଚଳ ଜିଲ୍ଲାମାନଙ୍କରୁ ପ୍ରାୟ ୮ଲକ୍ଷ ଶ୍ରମିକ ବିଭିନ୍ନ ବୟନଶିଳ୍ପରେ କାମ ପାଇବାପାଇଁ ରାଜ୍ୟ ଛାଡି ପଳାଉଛନ୍ତି । ତେଣୁ ଏହି ଦକ୍ଷତା ହାସଲ କରିଥିବା ଶ୍ରମିକମାନଙ୍କୁ ଯେହେତୁ ରାଜ୍ୟରେ କାମ ମିଳୁନାହିଁ ସେଥିପାଇଁ ଦାଦନ ସମସ୍ୟା ଜଟିଳତର ହେବାକୁ ଯାଉଛି ।

ତାମିଲନାଡୁ ଚିଙ୍ଗୁଡି କାରଖାନାରେ କେନ୍ଦୁଝର ଜିଲ୍ଲାର ୧୩ଜଣ ଛୋଟ ଛୋଟ ଝିଅ ମୃତ୍ୟୁବରଣ କରିବାପରେ ଏବେ ରାଜ୍ୟରେ ପୁଣିଥରେ ଦାଦନ ପ୍ରସଙ୍ଗ ତାଜା ହୋଇଛି । କେଉଁଥିପାଇଁ ଏତେ ସଂଖ୍ୟାରେ ଯୁବଗୋଷ୍ଠି ଅନ୍ୟ ରାଜ୍ୟକୁ ଯାଉଛନ୍ତି ତାହା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ।

ଓଡିଶାରୁ ଯେଉଁ ଶ୍ରମିକମାନେ ତାମିଲନାଡୁ ଯାଇ ଚିଙ୍ଗୁଡିକ କାରଖାନାରେ କାମ କରୁଥିଲେ ସେମାନେ ମାଗଣାରେ ଖାଇବା ପିଇବା, ରହିବା ଆଦି ମାସକୁ ୯ହଜାର ଟଙ୍କା ପାଉଥିଲେ । ଏହି ଶ୍ରମିକମାନେ ଚିଙ୍ଗୁଡିକରୁ ଚୋପା ଛଡାଇବା ଭଳି କାମରେ ପାରଦର୍ଶିତା ଅର୍ଜନ କରିଛନ୍ତି । ଗାଁ ଗହଳରେ ଥିବା ଏହି ନିରକ୍ଷର ଶ୍ରମିକମାନଙ୍କର ଏହି ପାରଦର୍ଶିତାକୁ ବ୍ୟବହାର ଲାଗି ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ନଥିବାରୁ ସେମାନେ ବାଧ୍ୟହୋଇ ବାହାରକୁ ପଳାଇ ଯାଉଛନ୍ତି ।

ତେଣୁ ଦାଦନ ଶ୍ରମିକ ସମସ୍ୟାର ନିରାକରଣ କରିବାପାଇଁ ରାଜ୍ୟ ସରକାର ଗୁରୁତର ଭାବେ ଚିନ୍ତା କରୁଥିବାବେଳେ ଏମାନଙ୍କର ପାରଦର୍ଶିତାକୁ ଲକ୍ଷ୍ୟକରି ସେମାନଙ୍କୁ ଯେଭଳି କାମ ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲେ ଦାଦନ ସମସ୍ୟାରେ ସୁଧାର ଆସିବ ବୋଲି ବୈଷୟିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ଦାଦନ ବ୍ୟବସ୍ଥାକୁ ରୋକିବାପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାରେ ଯେତେ କାର୍ଯ୍ୟ ଚଳାଉଛନ୍ତି ତାହାର ସିଂହଭାଗ ହେଉଛି ମାଟି କାମ । ପୂର୍ବରୁ ଏମଜିନରେଗା ଯୋଜନାରେ ରାସ୍ତାଘାଟ, ପୋଖରୀ ଖୋଳା ଆଦି କାର୍ଯ୍ୟ ହେଉଥିବାବେଳେ ଏବେ ଭିବି ଜୀ ରାମ୍‍ ଜୀ ଯୋଜନାରେ ମଧ୍ୟ ଅନୁରୂପ କାର୍ଯ୍ୟ ହାତକୁ ନିଆଯିବାର ସୂଚନା ମିଳିଛି । ହେଲେ ଗାଁ ଗହଳର ଯୁବକ ଯୁବତୀମାନେ ମାଟିକାମ କରିବାକୁ ରାଜି ନୁହନ୍ତି । ମୁଣ୍ଡରେ ମାଟିବୋହି ଦିନକୁ ୩୦୦ ଟଙ୍କା ପାଇବା ବଦଳରେ ଅନ୍ୟ ରାଜ୍ୟରେ ଛାଇତଳେ ବସି ଏତିକି ରୋଜଗାର ସହିତ ରହିବା ଓ ଖାଇବା ସୁବିଧା ମଧ୍ୟ ପାଉଛନ୍ତି । ତେଣୁ ଗାଁ ଗହଳରେ କାମ ଯୋଗାଣ ଧାରାରେ ପରିବର୍ତ୍ତନ କଲେ ଓ ଦକ୍ଷତା ଆଧାରରେ ଲୋକଙ୍କୁ କାମ ଯୋଗାଇନଦେଲେ ଦାଦନ ସମସ୍ୟାର ସମାଧାନ ଏତେଟା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି । (ତଥ୍ୟ)