ଭୁବନେଶ୍ୱର : ରାଜଧାନୀରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାବେଳେ କଳା ମଶାଙ୍କ କାମୁଡାରେ ଏବେ ଲୋକେ କଲବଲ ହେଉଛନ୍ତି । ଛୋଟ ଛୋଟ କଳାରଙ୍ଗର ମଶାମାନେ ଦିନବେଳା କାମୁଡି ଫୁଲାଇ ଦେଉଛନ୍ତି । ଏହି ମଶା କାମୁଡୁଥିବା ସ୍ଥାନଟି ଜୋରରେ କୁଣ୍ଡାଇହେବା ସହିତ ଫୁଲିଯାଉଛି ।
ବର୍ଷା ଆରମ୍ଭ ସହିତ ମହାନଗର ନିଗମ ଅଞ୍ଚଳରେ ଏବେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଆଡେ ଦେଖିବ ମଶା ଭଣ ଭଣ । ଯେଉଁସବୁ ୟୁନିଟ୍ରେ ହାଟ ବଜାର ରହିଛି ସେଠାରେ ସ୍ଥିତି ଜଟିଳ । ହାଟରୁ ବାହାରୁଥିବା ବର୍ଜ୍ୟ ଯୋଗୁଁ ସେହିସବୁ ସ୍ଥାନରେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି । ଏହାଛଡା ରାସ୍ତାକଡ ଓ ବିଭିନ୍ନ ସ୍ଥାନରେ ଅନାବନା ଘାସ ଯୋଗୁଁ ମଧ୍ୟ ମଶାମାନେ ସହଜରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି ।
ରାଜଧାନୀରେ ପୂର୍ବଭଳି ବିଏମସି ପକ୍ଷରୁ ଆଉ ମଶାମରା ଧୂଆଁ ଛଡାଯିବା କିମ୍ବା ନାଳ ନର୍ଦ୍ଦମା ଆଦିରେ ମଶା ଲାର୍ଭା ମରା ତେଲ ପଡିବାର ଦେଖାଯାଉ ନାହିଁ । ଏହାର ସୁଯୋଗ ନେଇ ଏବେ ସହର ସାରା ମଶାମାନେ ରାଜୁତି କରୁଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଲୋକେ ଦିନବେଳା ମଶାରୀ ପକାଇବା କିମ୍ବା ମଶା ନିବାରଣ ସାମଗ୍ରୀ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଘରୁ ବାହାରିଲେ ରାସ୍ତାଘାଟରେ ମଶା ଘେରି ଯାଉଛନ୍ତି ।
ସହରରେ ବୃଦ୍ଧି ପାଇଥିବା କଳା ରଙ୍ଗର ମଶାମାନେ ଲୋକଙ୍କ ଦେହରେ ବସି କାମୁଡିବା ପରେ ସେମାନଙ୍କ ଉପସ୍ଥିତି ଜଣାପଡୁଛି । ଏହି ମଶା କାମୁଡୁଥିବା ସ୍ଥାନଟି କୁଣ୍ଡାଇ ହେବା ସହିତ ଫୁଲି ଯାଉଛି । ଲୋକେ କୁଣ୍ଡାଉଥିବା ସ୍ଥାନରେ ଖଣ୍ଡିଆ ଓ ଘା’ ମଧ୍ୟ ହେଉଥିବା ଲକ୍ଷ୍ୟ କରାଯାଉଛି ।
ସହରରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏକ ପ୍ରକାର ନିଘୋଡ ନିଦରେ ଶୋଇଛି । ଅନ୍ୟାନ୍ୟ ଅଞ୍ଚଳ ତ ଦୂରରକଥା ମନ୍ତ୍ରୀ, ବିଧାୟକମାନେ ରହୁଥିବା ଭିଭିଆଇପି ଅଞ୍ଚଳରେ ମଧ୍ୟ ମଶାଧୂଆଁ ଗାଡି ବୁଲୁନାହିଁ । ସେହିଭଳି ସହର ଭିତରେ ଥିବା ଛୋଟ ବଡ ନାଳରେ ମଶାବଂଶ ନିୟନ୍ତ୍ରଣ ପାଇଁ ପୂର୍ବରୁ ଯେଭଳି କର୍ମଚାରୀମାନେ ବୁଲି ବୁଲି ମଶା ଲାର୍ଭା ତେଲ ସିଞ୍ଚନ କରୁଥିଲେ ତାହା ବି ଆଉ ହେଉନାହିଁ । ଫଳରେ ସହରରେ ଥିବା ୧୧ଟି ବଡ ବଡ ନାଳ ଓ ଏକାଧିକ ଛୋଟ ନାଳ ଏବେ ମଶାମାନଙ୍କ ଜନ୍ମସ୍ଥଳୀ ପାଲଟିଛି ।
ସେହିଭଳି ସହରରେ ଥିବା ବସ୍ତିଗୁଡିକରେ ମଧ୍ୟ ମଶାବଂଶ ବଢିବାରେ ଲାଗିଛି । ବସ୍ତି ଅଞ୍ଚଳରେ ଜମା ହୋଇ ରହୁଥିବା ବର୍ଜ୍ୟ ଜଳ ଓ ଆବର୍ଜନା ଠିକଣା ଭାବେ ସଫା ହେଉନଥିବାରୁ ସେଠାରେ ମଶାମାନେ ସହଜରେ ବଂଶବିସ୍ତାର କରୁଛନ୍ତି ।
ରାଜଧାନୀରେ ଯେଭଳି ବିଷାକ୍ତ ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନିୟନ୍ତ୍ରଣ କରାନଗଲେ ସହରରେ ମଶା କାମୁଡା ଜନିତ ରୋଗ ବ୍ୟାପିବାରେ ଲାଗିବ । ବିଏମସି ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ବିଶେଷକରି ବିଭିନ୍ନ ୱାର୍ଡରୁ ଯେଭଳି ଠିକଣା ସମୟରେ ଅଳିଆ ଉଠିବ ଓ ଅନାବନା ଘାସ କଟାଯିବ ସେ ଦିଗମରେ ବିଏମ୍ସି କର୍ତ୍ତୃପକ୍ଷ ଦୃଷ୍ଟିଦେବା ଜରୁରୀ ହୋଇପଡିଛି । (ତଥ୍ୟ)

