କଟକ : ଚିଟଫଣ୍ଡ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଆଜି ପୁଣି ନିରାଶ ହେବାକୁ ପଡିଛି। ତାଙ୍କ ବିରୋଧରେ ସିବିଆଇ ଦାୟର କରିଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରଭାତ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାହା ଖାରଜ ହୋଇଛି। ଅନ୍ୟପଟେ ୬ ମାସ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ପ୍ରଭାତ ବିଶ୍ୱାଳ ପୂର୍ବରୁ ମଧ୍ୟ ଏହି ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ସିବିଆଇ କୋର୍ଟକୁ ୧ ବର୍ଷ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେହି ସମୟସୀମା ଅତିକ୍ରମ କରି ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାମଲାର ବିଚାର ଶେଷ ହୋଇନଥିଲା। ଏହାକୁ ଆଧାର କରି ପ୍ରଭାତ ବିଶ୍ୱାଳ ପୁଣିଥରେ ହାଇକୋର୍ଟରେ ସାନି ଆବେଦନ କରିଥିଲେ।
ଦାୟର ପିଟିସନରେ ପ୍ରଭାତ ଦର୍ଶାଇଥିଲେ ଯେ, ଦୀର୍ଘ ଦିନ ଧରି ମାମଲାର ଶୁଣାଣି ଶେଷ ହେଉ ନାହିଁ। ତାଙ୍କ ବିରୋଧରେ ସେଭଳି ଠୋସ ପ୍ରମାଣ ନଥିବା କିମ୍ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ । ତେଣୁ ବିଚାରାଧୀନ ମୂଳ ମାମଲାକୁ ରଦ୍ଦ କରାଯାଉ ବୋଲି ସେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି। ମାମଲା ଖାରଜ କରିବାକୁ ମନା କରିବା ସହ ସିବିଆଇ କୋର୍ଟରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଅନାବଶ୍ୟକ ବିଳମ୍ବ ଓ ବାରମ୍ବାର ତାରିଖ ପ୍ରଦାନକୁ ଏଡ଼ାଇ ୬ ମାସ ମଧ୍ୟରେ ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ସିବିଆଇ ସ୍ୱତନ୍ତ୍ର ଅଦାଲତକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

