ଭୁବନେଶ୍ୱର : ଆଗାମୀ ବର୍ଷାଋତୁ ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ଥିବା ଛୋଟ ବଡ ନାଳ ଓ ଡ୍ରେନଗୁଡିକୁ ସଫା କରିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଥିବାବେଳେ ଏହା କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ବିଭିନ୍ନ ପୌର କର୍ତ୍ତୃପକ୍ଷ ସମସ୍ୟାରେ ପଡିଛନ୍ତି । ଲୋକବଳ ନିୟୋଜିତ କରି ଡ୍ରେନ ସଫେଇ ନକରିବାକୁ ଅଦାଲତଙ୍କ କଡା ନିର୍ଦ୍ଦେଶ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।
ଡ୍ରେନ ସଫେଇ କାର୍ଯ୍ୟ ମାନବ ସମ୍ବଳ ପରିବର୍ତ୍ତେ ମେସିନ୍ ଦ୍ୱାରା କରିବାକୁ ଅଦାଲତଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏପରିକି ଯଦି କୌଣସି ଠାରେ ଲୋକଙ୍କ ଦ୍ୱାରା ଏହା କରାଯିବ ତେବେ ସମ୍ପୃକ୍ତ କାର୍ଯ୍ୟ କରାଉଥିବା ଯନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ ରହିବେ ଓ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଅଦାଲତଙ୍କ ନିର୍ଦ୍ଦେଶ ସାଙ୍ଗକୁ କଟକରେ ଡ୍ରେନ ସଫେଇରେ ନିୟୋଜିତ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପରେ ସରକାର ସମ୍ପୃକ୍ତ ଅଞ୍ଚଳର ଯନ୍ତ୍ରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କୌଣସି ଠାରେ ମାନବ ସମ୍ବଳ ଦ୍ୱାରା ପୁରୁଣା ପଦ୍ଧତିରେ ଡ୍ରେନ ସଫେଇ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଚାରି ଦିନ ପରେ ବଡ ବାତ୍ୟା ଆସିବାର ପୂର୍ବାନୁମାନ ହୋଇଥିବାବେଳେ ଏହା ଅତି କମ୍ରେ ରାଜ୍ୟର ୫୬ଟି ପୌରାଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସେହିଭଳି ଲଘୁଚାପ ପରେ ପରେ ଜୁନ୍ ମାସରୁ ରାଜ୍ୟରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଉଜ୍ୱଳ ହୋଇଛି । ଏଭଳି ସ୍ଥିତିରେ ସହରାଞ୍ଚଳରେ କୌଣସି ଠାରେ ଯେଭଳି ଜଳବନ୍ଦୀ ସମସ୍ୟା ନଉପୁଜେ ସେଥିପାଇଁ ଡ୍ରେନ ସଫେଇକୁ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ।
ଏହା ଏବେ ଭୁବନେଶ୍ୱର, କଟକ ମହାନଗର ସମେତ କେତେକ ପୌର କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଖୋଦ ରାଜଧାନୀରେ ଡ୍ରେନ ସଫେଇ ପାଇଁ ଆବଶ୍ୟକ ଯନ୍ତ୍ରପାତି ନାହିଁ । ବରାଦ ହୋଇଥିବା ନୂଆ ଯନ୍ତ୍ରପାତି କେବେ ଆସିବ ତାହା ନିର୍ଦ୍ଦିଷ୍ଟଭାବେ କେହି କହିପାରୁ ନାହାନ୍ତି । ଏଣେ ଡ୍ରେନ ଚୋକ୍ ଯୋଗୁଁ ହଇରାଣ ହରକତ ହେଉଥିବା ଲୋକଙ୍କ ଅଭିଯୋଗର ପାହାଡ ବିଭିନ୍ନ ଜନସ୍ୱାସ୍ଥ୍ୟ ଡିଭିଜନରେ ଗଦାହୋଇ ଗଲାଣି ।
କେବଳ ଡ୍ରେନ ସଫେଇ ନୁହେଁ, ବିଭିନ୍ନ ସ୍ଥାନରେ ଡ୍ରେନ ଓ ନାଳ ନର୍ଦ୍ଦମା ଉପରେ ହୋଇଥିବା ଜବରଦଖଲ ହଟାଇବାପାଇଁ ବି ନଗର ଉନ୍ନୟନ ବିଭାଗ ପକ୍ଷରୁ ଫତୁଆ ଜାରି ହୋଇଛି । ହେଲେ ଏହାକୁ ହଟାଇବା ବି ଏବେ ପୌର କର୍ତ୍ତୃପକ୍ଷଙ୍କ ପାଇଁ ବଡ ସମସ୍ୟା ହୋଇଛି । କାରଣ କରୋନା ଆଳରେ ବିଏମ୍ସି ସମେତ ବିଭିନ୍ନ ପୌରାଞ୍ଚଳରେ ଜବରଦଖଲ ବୃଦ୍ଧି ପାଇଛି । ଲୋକେ ଡ୍ରେନ ଉପରେ ଘର ତିଆରି କରିଚାଲିଛନ୍ତି । ଏମାନଙ୍କୁ ହଟାଇବାପାଇଁ ପୁଲିସ୍ର ସହାୟତା ଆବଶ୍ୟକ । ହେଲେ ରାଜ୍ୟର ପୁଲିସ୍ ବଳ ଏବେ କରୋନା ମୁକାବିଲାରେ ଲାଗିଥିବାବେଳେ ଜବରଦଖଲ ହଟାଇବାପାଇଁ ସେମାନେ କେତେ ସମୟ ଦେବେ ତାହା ବଡ ପ୍ରଶ୍ନବାଚୀ ।
ସେହିଭଳି ନିର୍ମାଣାଧିନ ଅନେକ ଡ୍ରେନ ବି ମୁକୁଳା ହୋଇ ପଡିଛି । ଦୀର୍ଘଦିନ ଧରି କାମ ଗଡାଇ ଚାଲିଥିବା ଠିକାଦାରମାନେ ଏବେ କରୋନାକୁ ଆଳକରି ଖସିବା ଲାଗି ପ୍ରୟାସ କରୁଛନ୍ତି । ରାଜଧାନୀରେ ଏହା ଏକ ବଡ ସମସ୍ୟା ହୋଇଛି । ତେଣୁ ଏଭଳି ଖିଲାପି ଠିକାଦାରଙ୍କ ବିରୁଦ୍ଧରେ ପୌରସଂସ୍ଥାଗୁଡିକ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)