Home General ଶିକ୍ଷକ ସଙ୍କଟରେ ପାଠ୍ୟପୁସ୍ତକ ସଂଶୋଧନ ହେବ କେମିତି?

ଶିକ୍ଷକ ସଙ୍କଟରେ ପାଠ୍ୟପୁସ୍ତକ ସଂଶୋଧନ ହେବ କେମିତି?

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ଏକ ତୃତୀୟାଂଶ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ କିଭଳି ଶିକ୍ଷକମାନେ ସଂଶୋଧନ କରିପାରିବେ ସେଥିଘେନି ପ୍ରଶ୍ନବାଚୀ ଉଠିଛି । ଏହାଛଡ଼ା ଅନେକ ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକଙ୍କ ଦ୍ୱାରା ଚାଲୁଥିବାବେଳେ ଆଉ ଗୁଡ଼ିଏ ବିଦ୍ୟାଳୟର ସମସ୍ତ ଶ୍ରେଣୀ ପାଇଁ ମାତ୍ର ବଖରାଟିଏ ଶ୍ରେଣୀ ଗୃହ ଥିାରୁ ଏ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାନସିକ ଚାପ ବଢ଼ିଯାଇଛି ।

ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଯୋଗ କରୁଛନ୍ତି ଯେ ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ (ଏସ୍‍ଆଇଆର୍‍) କାମରେ ଯେଉଁମାନେ ବ୍ୟସ୍ତ ରହିଛନ୍ତି ସେମାନେ ପାଠ୍ୟପୁସ୍ତକ ସଂଶୋଧନ କରିବା ତ ଦୂରର କଥା, ପାଠ ପଢ଼ାଇବାକୁ ବି ସମୟ ପାଉ ନାହାନ୍ତି । ଅନ୍ୟପକ୍ଷରେ ଏହି ବିଭ୍ରାଟକୁ ସରକାରୀ କଳରେ କିଏ ସାମାନ୍ୟ ତ୍ରୁଟି ବୋଲି କହୁଛି ତ ଆଉ କିଏ ନିର୍ଦ୍ଦେଶନାମା ଜାରି କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ଥିବା ତ୍ରୁଟିଗୁଡ଼ିକୁ ଶିକ୍ଷକମାନେ ସଂଶୋଧନ କରିବା ଲାଗି ଶୁଦ୍ଧିପତ୍ର ଜାରି କରୁଛି । ଏଭଳି ସ୍ଥିତିରେ ଆଉ କେହିକେହି ବି ସାନି ବହି ଛପାଇ ପିଲାଙ୍କୁ ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମକୁ କହୁଥିବାବେଳେ କେତେଦିନ ଭିତରେ ନୂଆ ନିର୍ଭୁଲ ପାଠ୍ୟ ପୁସ୍ତକ ମିଳିବ ସେ ସଂକ୍ରାନ୍ତରେ କିନ୍ତୁ କେହି କିଛି ସ୍ପଷ୍ଟ ଭାବେ କହୁନାହାନ୍ତି ।

୨୦୨୪ ଆରମ୍ଭ ବେଳକୁ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦପଦବୀରୁ ପ୍ରାୟ ୨ଲକ୍ଷ ୫ ହଜାର ଖାଲି ପଡିଥିବା ସରକାରୀ ଭାବେ କୁହାଯାଉଛି । ଅଢ଼େଇ ବର୍ଷ ଭିତରେ ଯେତେ ପଦବୀ ଖାଲି ହୋଇଛି ଓ ଯେତିକିରେ ନିଯୁକ୍ତି ଦିଆଯାଇଛି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ଦିଆଯାଉନଥିଲେ ମଧ୍ୟ ଖାଲି ପଦବୀ ସଂଖ୍ୟା ବଢ଼ିଥାଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରାୟ ଦେଢ଼ଲକ୍ଷ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ପ୍ରାୟ ୫୦ ହଜାର ଖାଲି ଥିବା ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ କହୁଛନ୍ତି ।

ସେହିପରି ହଜାରରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ପାଖାପାଖି ୨ ହଜାର ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ବ୍ୟବସ୍ଥା କରାଯାଇପାରି ନାହିଁ । ଫଳରେ ଏଗୁଡ଼ିକରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଇବା ଅପେକ୍ଷା ପିଲାମାନଙ୍କୁ ଜଗିବାରେ ବେଶି ସମୟ ଦେବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ମଧ୍ୟାହ୍ନ ଭୋଜନ, ଭୋଟର ତାଲିକା ସଂଶୋଧନ ଓ ଅନ୍ୟାନ୍ୟ ସରକାରୀ କାମ ସହିତ ବିଦ୍ୟାଳୟ ସଂକ୍ରାନ୍ତୀୟ ବୈଠକରେ ସେମାନଙ୍କୁ ଯୋଗ ଦେବାକୁ ପଡୁଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଭଳି ବିଭ୍ରାଟ ଦେଇ ଗତି କରୁଥିବାବେଳେ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ସରକାର ଯୋଗାଇଥିବା ନୂଆ ପାଠ୍ୟପୁସ୍ତକର ତ୍ରୁଟି କିଭଳି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଶୁଦ୍ଧିପତ୍ର ଆଧାରରେ ସଂଶୋଧିତ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କେତେକ ଶିକ୍ଷକ ଶିକ୍ଷୟିତ୍ରୀ କହୁଛନ୍ତି ଯେ ଏହି ପାଠ୍ୟପୁସ୍ତକରେ ଏଭଳି ଅନେକ ତ୍ରୁଟି ରହିଛି ଯାହା ସଂଶୋଧନ କରିବା ସମ୍ଭବପର ନୁହେଁ । ତେଣୁ ପିଲାମାନଙ୍କୁ ଗତବର୍ଷର ପାଠ୍ୟପୁସ୍ତକ ଯୋଗାଇ ଦେଇ ଠିକଣା ସଂପାଦନା ଓ ସଂଶୋଧନ ଆଧାରରେ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବା ଆବଶ୍ୟକ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବହି ଛାପିବା ଲାଗି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପାଠ୍ୟ ପୁସ୍ତକ ମୁଦ୍ରାଳୟ ରହିଛି । ଏହାଛଡ଼ା ସରକାରୀ ଛାପାଖାନାମାନ ବି ଚାଲୁଛି । କିନ୍ତୁ ସରକାରୀ ଛାପାଖାନାରେ ବହି ନଛପାଇ କାହିଁକି ବେସରକାରୀ ସଂସ୍ଥାନ ମାଧ୍ୟମରେ ବହି ଛପାଯାଉଛି ଏବଂ ଏହାର ପ୍ରସ୍ତୁତି, ତନଖି ଓ ସଂପାଦନା ଦାୟିତ୍ୱ ବିଷୟ ବିଶେଷଜ୍ଞମାନଙ୍କୁ ନଦେଇ କାହିଁକି ଓ କିପରି ଅନ୍ୟମାନଙ୍କ ହାତରେ ଟେକିଦେଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ସେ ସଂକ୍ରାନ୍ତରେ ବି ଏବେ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ଉଠୁଛି ।(ତଥ୍ୟ)