ଭୁବନେଶ୍ୱର : ଓଡ଼ିଆ ଅସ୍ମିତା, ସାଂସ୍କୃତିକ ମହାଚେତନା ଓ ଆଧ୍ୟାତ୍ମର ଶ୍ରେଷ୍ଠ ପରିଚିତି ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ରଥଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ସମ୍ପାଦନ କରିବା ଉପରେ ଆଲୋଚନା କରାଯାଇଥିଲା। ଏହି ମର୍ମରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଆସନ୍ତା ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହ ଏବଂ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଗତ ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତ ବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରର ପ୍ରମୁଖ ସ୍ଥାନ ଯଥା, ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷବୋଷ ଛକ, ପାନ୍ଥଭବନ, ତାଳବଣିଆ, ରେଳ ଷ୍ଟେସନ, ଶ୍ରୀଦାଣ୍ଡ, ମାଟିଆପଡା ଛକ, ଅଠରନଳା ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳଠାରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ପାଇଁ ଉଭୟ ସ୍ଥାନୀୟ ଏବଂ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ, ଲାଇଭ କମନ ଫିଡ୍ ପାଇଁ ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯିବ।

