Home Health ଖାଦ୍ୟ ଯାଞ୍ଚ କେବେ ?

ଖାଦ୍ୟ ଯାଞ୍ଚ କେବେ ?

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ତତ୍ପର ହୋଇ ଉଠିଥିବାବେଳେ ସହରାଞ୍ଚଳର ଖାଦ୍ୟ ପଦାର୍ଥ ଯାଞ୍ଚ କଡାକଡି ହୋଇପାରୁ ନାହିଁ । ବର୍ଷାଦିନେ ଖାଦ୍ୟ ଜରିଆରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ଥିବାବେଳେ ଯାଞ୍ଚ ଅଧିକାରୀମାନଙ୍କର ସ୍ଥାଣୁତା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରାଜ୍ୟର ସହରାଞ୍ଚଳ ବିଶେଷକରି ରାଜଧାନୀରେ ରାସ୍ତାପାଶ୍ୱର୍ରେ ମାଂସ, ମାଛ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଚଟ୍‍ପଟି ଖାଦ୍ୟ ପସରା ବସୁଛି । ବର୍ଷାଦିନେ ଏହିସବୁ ସ୍ଥାନରେ କାଦୁଅ ପଚ ପଚ ସହିତ ନର୍ଦ୍ଦମା ପାଣି ବି ଭାସୁଛି । ତାହା ଉପରେ ଖାଦ୍ୟ ସାମଗ୍ରୀ ଖୋଲାଖୋଲି ଭାବେ ବିକ୍ରି ହେଉଥିବାବେଳେ ଲୋକେ ତାହାକୁ ଖାଇବାରେ ଲାଗିଛନ୍ତି ।

ସେହିଭଳି ଖାଦ୍ୟ ଦୋକାନମାନଙ୍କରେ ଦିଆଯାଉଥିବା ପାନୀୟଜଳର ଶୁଦ୍ଧତା ନେଇ ବି ପ୍ରଶ୍ନବାଚୀ ଉଠୁଛି । ଉଠାଦୋକାନୀମାନେ ଖୋଲା ବୋତଲରେ ଲୋକଙ୍କୁ ପାଣି ଯୋଗାଉଛନ୍ତି । ଏହିସବୁ ପାଣି ବିଭିନ୍ନ ବସ୍ତି ଅଞ୍ଚଳରୁ ଆସୁଥିବାରୁ ତାହାର ଗୁଣବତ୍ତା ଯାଞ୍ଚ ଜରୁରୀ ହୋଇ ପଡିଛି ।

ରାଜଧାନୀରେ ଏବେ ଫୁଟ୍‍ପାଥ୍‍ ଓ ଡ୍ରେନ ଉପରେ ଖାଦ୍ୟର ପସରା ଖୋଲିବାରେ ଲାଗିଛି । ଏଠାରେ ଖାଦ୍ୟ ପ୍ରସ୍ତୁତି ସହିତ ବିକ୍ରି ହେଉଛି । ଏହିସବୁ ଖାଦ୍ୟକୁ ସେବନ କରୁଥିବା ଲୋକେ ପେଟରୋଗରେ ପଡିବା ଏକ ପ୍ରକାର ନିଶ୍ଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଉଛନ୍ତି ।

ତେବେ ରାଜଧାନୀରେ ଖାଦ୍ୟ ସାମଗ୍ରୀ ଯାଞ୍ଚ ପାଇଁ ୫ଜଣ ଯାଞ୍ଚ ଅଧିକାରୀ ଥିବାବେଳେ ସେମାନେ ବର୍ଦ୍ଧିତ ସହର ପାଇଁ ସମୁଦ୍ରକୁ ଶଙ୍ଖେ ଭଳି । ରାଜଧାନୀର କଳେବର ଯେଭଳି ବୃଦ୍ଧି ପାଉଛି ସେହି ଅନୁସାରେ ଖାଦ୍ୟ ଯାଞ୍ଚ ଅଧିକାରୀ ନିଯୁକ୍ତ ହେଉନାହାନ୍ତି । ଯେଉଁ ଅଧିକାରୀମାନେ ବି ଅଛନ୍ତି ସେମାନେ କାଁ ଭାଁ ଯାଞ୍ଚ କରିଥାନ୍ତି । ବିଶେଷକରି ଯଦି କେଉଁଠାରେ ଖାଦ୍ୟ ପାଇଁ ରୋଗ ବ୍ୟାପିବାର ଖବର ଆସେ ସେଠାରେ ଚଢଉ କରିଥାନ୍ତି । ଚଢଉ ବେଳର ସଚିତ୍ର ଖବର ପ୍ରକାଶନର ବି ବ୍ୟବସ୍ଥା ହୋଇଥାଏ । ଏହାପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ।

ରାଜଧାନୀରେ ଦିନକୁ ଦିନ ଅସ୍ଥାୟୀ ମାଂସ ଓ ମାଛ ଦୋକାନ ଗଢି ଉଠୁଥିବାବେଳେ ଏଗୁଡିକ ସାଧାରଣତଃ ନାଳ ନର୍ଦ୍ଦମା ଉପରେ ନିଜର ବେପାର ଚଳାଉଛନ୍ତି । ମୃତ ମାଛ ଓ ପଶୁ ମାଂସରେ ଜୀବାଣୁମାନେ ପ୍ରବେଶ ସହଜ ହୋଇଥିବାରୁ ଏଗୁଡିକ ସଂକ୍ରମିତ ହେବାର ଭୟ ରହିଛି । ଏହାର ଯାଞ୍ଚ କରିବାର ଦାୟିତ୍ୱ ଖାଦ୍ୟ ଅଧିକାରୀମାନଙ୍କର ଥିବାବେଳେ ସେମାନେ କେବଳ ଧର୍ମକୁ ଆଖିଠାର ମାରିବା ଭଳି କାଁ ଭାଁ ଯାଞ୍ଚ କରିଥାନ୍ତି ।

ସାମାନ୍ୟ ବର୍ଷାରେ ସହରର କେତେକ ଅଞ୍ଚଳ ଜଳବନ୍ଦୀ ହେଉଥିବାବେଳେ ସେହିସବୁ ଅଞ୍ଚଳରେ ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ଜରିଆରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହା ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । ଏଥିପ୍ରତି ଦୃଷ୍ଟି ନଦେଲେ ବର୍ଷାଦିନରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ପେଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଲୋକେ ଅନ୍ୟାନ୍ୟ ମାରାତ୍ମକ ରୋଗରେ ବି ପଡିପାରନ୍ତି ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି । (ତଥ୍ୟ)