Home News in Odia ପ୍ଲାଷ୍ଟିକ ବ୍ୟବହାର କଥା ପ୍ରଦୂଷଣ ବୋର୍ଡ ଜାଣିଛି

ପ୍ଲାଷ୍ଟିକ ବ୍ୟବହାର କଥା ପ୍ରଦୂଷଣ ବୋର୍ଡ ଜାଣିଛି

ଭୁବନେଶ୍ୱର : ରାଜ୍ୟରେ ନିମ୍ନମାନର ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ଜାତ ସାମଗ୍ରୀ ଉପରେ ୨୦୨୨ ମସିହାରୁ କଟକଣା ଲାଗିଥିଲେ ମଧ୍ୟ ଏବେ ବି ତାହାର ବହୁଳଭାବେ ମିଳୁଛି ଓ ଲୋକେ ବ୍ୟବହାର କରୁଛନ୍ତି । ଖୋଦ୍‍ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ସ୍ୱୀକାର କରୁଛି ।

ଲୋକଙ୍କୁ ସଚେତନ କରିବାପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ବିଜ୍ଞାପନରୁ ଏହା ଜଣାଯାଇଛି । ବୋର୍ଡ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ ନିମ୍ନମାନର ପଲିଥିନ୍‍ ସହିତ କ୍ଷତିକାରକ ଥର୍ମୋକୁଲ, ପ୍ଲାଷ୍ଟିକ ନିର୍ମିତ ଫ୍ଲେକ୍ସ, କାଠି, ଅନ୍ୟାନ୍ୟ ସାମଗ୍ରୀର ଉତ୍ପାଦନ, ମହଜୁଦ, ବଣ୍ଟନ, ବିକୟ ଏବଂ ବ୍ୟବହାର ଉପରେ ନିଷେଧ ସଂକ୍ରାନ୍ତରେ ୨୦୨୨ ଜୁଲାଇ ୧ ତାରିଖ ଠ।।ରୁ ସର୍ବସାଧାରଣ ସୂଚନା ଜାରି କରାଯାଇଥିଲା । ପୁର୍ନବାର ୨୦୨୩ ମସିହାରେ ମଧ୍ୟ ଏହା ପ୍ରକାଶିତ ହୋଇଥିଲା ।

ତଥାପି ଦେଖିବାକୁ ମିଳୁଛି ଯେ ଉପରୋକ୍ତ ନିଷେଧ ସାମଗ୍ରୀଗୁଡିକ ଏବେ ମଧ୍ୟ ବଜାରରେ ବହୁଳଭାବେ ମିଳୁଛି ଏବଂ ଜନସାଧାରଣଙ୍କ ଦ୍ୱାରା ବ୍ୟବହାର କରାଯାଉଛି । ତେଣୁ ଦାୟିତ୍ୱବାନ୍‍ ନାଗରିକ ଭାବେ କାର୍ଯ୍ୟ କରିବାକୁ ବୋର୍ଡ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି । ଏଥିରେ ନିମ୍ନମାନର ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନକରିବା ସହିତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପିରଚାଳନା ନିୟମ ୨୦୧୬ ପାଳନ ପାଇଁ କୁହାଯାଇଛି । ନିୟମର ଅବମାନନା କଲେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି ।

ତେବେ ବୋର୍ଡ କର୍ତ୍ତୃପକ୍ଷ ବିଜ୍ଞାପନ ଦେଇ ସେମାନଙ୍କ କାମ ସାରିଦେଉଥିବାବେଳେ ଶତ ବାରଣ ସତ୍ୱେ ରାଜ୍ୟକୁ କିଭଳି ଟ୍ରକ ଟ୍ରକ ନିମ୍ନମାନର ପଲିଥିନ୍‍, ଥର୍ମୋକୁଲ, ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀ ଆସୁଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରୁଥିବାବେଳେ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତ ଦୂରରକଥା ଖୋଦ ରାଜଧାନୀରେ ସରକାର ପ୍ଲାଷ୍ଟିକ ନିଷେଧ ଆଇନ୍‍କୁ କଡାକଡି କରିପାରୁ ନାହାନ୍ତି । ସହର ସାରା କେବଳ ନିମ୍ନମାନର ପ୍ଲାଷ୍ଟିକ ନୁହେଁ ଥର୍ମୋକୁଲ୍‍ ବି ହାଉଜାଉ ହେଉଛି । ଜଳଖିଆ ଦୋକାନ ହେଉ କିମ୍ବା ଭୋଜିଭାତ ଶସ୍ତାରେ ମିଳୁଥିବା ପ୍ରଦୂଷଣକାରୀ ଥର୍ମୋକୁଲ ବ୍ୟବହାର ହେଉଛି । କେତେକ ସ୍ଥାନରେ ବ୍ୟବହାର ପରେ ଥର୍ମୋକୁଲ ଆବର୍ଜନାକୁ ଲୋକେ ନିଆଁ ଲଗାଇ ଦେଉଥିବାରୁ ସେଥିରୁ ବାହାରୁଥିବା କଳା ଧୂଆଁ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ଏଥି ସହିତ ପ୍ଲାଷ୍ଟିକ ନିର୍ମିତ ମିଠା ଟ୍ରେ, ଡବା, ଚାମଚ, ଷ୍ଟ୍ର, ନିମ୍ନମାନର ପିଭିସି ବ୍ୟାନର ଆଦି ମଧ୍ୟ ସହର ସାରା ଖୋଲାଖୋଲି ଭାବେ ବିକ୍ରି ଓ ବ୍ୟବହାର ହେଉଛି । ଗୋଟିଏ ପଟେ ଆଇନ୍‍ ଅନୁଯାୟୀ ଏଗୁଡିକୁ ନିଷେଧ କରାଯାଇ ପାରୁନଥିବାବେଳେ ଅନ୍ୟପଟେ ନିଜ ପକ୍ଷ ରଖିବାପାଇଁ କେବଳ ସଚେତନତା ବାର୍ତ୍ତା ଦେଇ କାମ ସାରିଦେବା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି । (ତଥ୍ୟ)